ପୃଷ୍ଠା:Odisha Itihasa.pdf/୨୫୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦେଇ ସେମାନେ ଲୋକଙ୍କ ନଜରରେ ଦୋଷୀ ହେବାକୁ ଚାହିିଁଲେ ନାହିିଁ । ଏ ଆଡ଼େ ସରକାର ଚାପ ଦେଉଥାନ୍ତି, ଲୋକଙ୍କ ମନରେ ଭୟ ସୃଷ୍ଟିପାଇଁ ଗୋପବନ୍ଧୁଙ୍କୁ ଯେନତେନ ପ୍ରକାରେଣ ଦଣ୍ଡ ଦିଆଯାଉ । ଦଣ୍ଡ ଦିଆଗଲେ ଲୋକେ ଯେ ବିଚାରପତିଙ୍କୁ କ୍ଷମା କରିବେ ନାହିିଁ - ଏକଥା ମାଜିଷ୍ଟ୍ରେଟମାନେ ମଧ୍ୟ ଅନୁଭବ କରୁଥାନ୍ତି । ଶେଷରେ ନୂତନ ଭାବେ ନିଯୁକ୍ତ ମାଜିଷ୍ଟ୍ରେଟ ସୁରେଶ ଚନ୍ଦ୍ର ବୋଷଙ୍କୁ, ଯିଏ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କର ଭାଇ, ବିଚାର ଦାୟିତ୍ୱ ଦିଆଗଲା । ଜାତୀୟତାରେ ଓତପ୍ରୋତ ସୁରେଶ ଚନ୍ଦ୍ର ସରକାରୀ ଚାପ ନମାନି ମୋକଦ୍ଦମାର ନିରପେକ୍ଷ ବିଚାର କଲେ ଏବଂ ଶେଷରେ ଗୋପବନ୍ଧୁଙ୍କୁ ନିର୍ଦୋଷରେ ଖଲାସ କଲେ । ଏହି ଐତିହାସିକ ବିଚାର ସମ୍ୱନ୍ଧରେ ସେ ଯେଉଁ ବିସ୍ତୃତ ବିବରଣୀ ଦେଇଛନ୍ତି, ତହିିଁରୁ କଂଗ୍ରେସର ବିପୁଳ ଲୋକାଧାର (ତାଙ୍କ ମତରେ ଶୁଣାଣି ଶେଷ ଦିନ ପ୍ରାୟ ତିରିଶ ହଜାର ଜନସମାଗମ ହୋଇଥିଲା ଏବଂ ଶାନ୍ତିରକ୍ଷାନିମିତ୍ତ ପୋଲିସ ବଦଳରେ ମଝିରେ ମଝିରେ ବନ୍ଦୀ ଗୋପବନ୍ଧୁଙ୍କୁ ହସ୍ତକ୍ଷେପ କରିବାକୁ ପଡୁଥିଲା), ସହଯୋଗକୁ ନେଇ ସରକାରଙ୍କ ମନରେ ଜାଗ୍ରତ ହୋଇଥିବା ଭୟ ଏବଂ ଅନେକ ସରକାରୀ କର୍ମଚାରୀଙ୍କର ଆନ୍ଦୋଳନ ପ୍ରତି ରହିଥିବା ଦରଦ ତଥା ସରକାରୀ ତନ୍ତ୍ରର କ୍ରମ ବିଫଳତା କଥା ସୁସ୍ପଷ୍ଟ ହୁଏ । ମାତ୍ର କେତେଜଣ ଯୁବ - ଛାତ୍ରଙ୍କ ହାତରେ ୧୯୨୧ର ଜାନୁଆରିରେ ଆରମ୍ଭ ହୋଇଥିବା ଅସହଯୋଗ ଯେ ବର୍ଷର ଶେଷ ବେଳକୁ ଓଡ଼ିଶାର ଇତିହାସରେ ଏକ ସୁଦୃଢ଼ ସ୍ଥିତି ପାଇସାରିଥିଲା, ତାହା ଏହି ଐତିହାସିକ ବିଚାରରୁ ସିଦ୍ଧ ହୋଇଥିଲା । ଅସହଯୋଗର ଉଗ୍ରତା ଏବଂ କଂଗ୍ରେସର ବର୍ଦ୍ଧିଷ୍ଣୁ ଜନାଧାର ଏହି ସମୟରେ ଅନ୍ୟ ଅଞ୍ଚଳମାନଙ୍କରେ ମଧ୍ୟ ପରିଲକ୍ଷିତ ହେଲା । ୨୨ ନଭେମ୍ୱର ୧୯୨୧ ଦିନ ଖୋର୍ଦ୍ଧାରେ ଗୋପବନ୍ଧୁଙ୍କ ବିଚାର ସରିଲା; ଗୋପବନ୍ଧୁ ନିର୍ଦୋଷରେ ଖଲାସ ହେଲେ; ତେଣିକି ଏକ ବିରାଟ ପଟୁଆରରେ ଲୋକେ ତାଙ୍କୁ ନେଇ ଏକ ସଭା କଲେ । ଗୋପବନ୍ଧୁଙ୍କ ଖଲାସ ହେବା, ସଭାର ଏବଂ ଲୌକିକ ସ୍ତରରେ ଅସହଯୋଗର ସଫଳତାକୁ ଇଙ୍ଗିତ କଲା । ଠିକ ସେହି ଦିନ ବାଲେଶ୍ୱରଠାରେ ହରେକୃଷ୍ଣ ମହତାବ ଏବଂ ଆଉ ଚାରି ଜଣ ଅସହଯୋଗୀ ବିଦେଶୀ ବସ୍ତ୍ର ବୋଝେଇ ଏକ ଶଗଡ଼ ଗାଡ଼ି ଆଗରେ ପିକେଟିଂ କରି ଗିରଫ ହେଲେ ଏବଂ ଜାମିନରେ ଯିବାକୁ ଅମଙ୍ଗ ହେଲେ । ସେଠାରେ ମଧ୍ୟ ଏକ ବିରାଟ ପଟୁଆରରେ ଲୋକେ ସେମାନଙ୍କୁ ଜେଲ୍‍ ଫାଟକ ଯାଏଁ ପାଛୋଟିନେଲେ । ପରଦିନ ଅଧିକ ସଂଖ୍ୟକ ଅସହଯୋଗୀ (ଦଶ ଜଣ) ପିକେଟିଂ ଜାରି ରଖିଲେ । ପରିଣାମ ସ୍ୱରୂପ, ଅନେକ ବ୍ୟବସାୟୀ ବିଦେଶୀ ବସ୍ତ୍ର ବିକ୍ରୀ ନ କରିବାକୁ ନିଷ୍ପତ୍ତି ନେଲେ । ଦୁଇଜଣ ବ୍ୟବସାୟୀ ଅସହଯୋଗର 'ନିର୍ଦେଶ' ଅମାନ୍ୟ କରି ବିଦେଶୀ ବସ୍ତ୍ରର କାରବାର କରିବାରୁ ସ୍ୱରାଜ ପଞ୍ଚାୟତରେ ସେମାନଙ୍କର ବିଚାର ହୋଇ ଦଣ୍ଡ ଦିଆଗଲା । ବାଲେଶ୍ୱର ଜିଲ୍ଲାର ବସ୍ତା, ସୋରୋ, ଜଳେଶ୍ୱର ଏବଂ ଭଦ୍ରକରେ ଅନେକ ବ୍ୟବସାୟୀ, ଅସହଯୋଗୀଙ୍କ ଚାପରେ ବିଦେଶୀ ବସ୍ତ୍ରର କାରବାର ନ କରିବାକୁ ସାମୂହିକ ଭାବେ ଶପଥ ନେଲେ । ପୁରୀରେ କୁଲି ଏବଂ ଶଗଡ଼ିଆମାନେ ବିଦେଶୀ ବସ୍ତ୍ର ବର୍ଜନ ଦାବି କରି ହରତାଳ କଲେ । ଫଳରେ କୋଚିନକୁ ଚାଉଳ ନେବାପାଇଁ ପ୍ରସ୍ତୁତ ଏକ ଜାହାଜ ତିିନିଦିନପାଇଁ ଅଟକି ରହିଲା ।୨୫୮ . ଓଡ଼ିଶା ଇତିହାସ