ପୃଷ୍ଠା:Odisha Itihasa.pdf/୨୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶା କର୍ମୀଙ୍କ ଏହି ଉତ୍ସାହ କଂଗ୍ରେସର ଅହମଦାବାଦ ଅଧିବେଶନରେ ମଧ୍ୟ ପରିଲକ୍ଷିତ ହେଲା । ବର୍ଷକରେ ସ୍ୱରାଜ ପ୍ରାପ୍ତି ଯେହେତୁ ନିଶ୍ଚିତ, ଅହମଦାବାଦ ଅଧିବେଶନକୁ କଂଗ୍ରେସର ଶେଷ ଅଧିବେଶନ ମନେକରି ଓଡ଼ିଶାରୁ ରେକର୍ଡ଼ ସଂଖ୍ୟକ ୧୦୮ ଜଣ ପ୍ରତିିନିଧି ତହିଁରେ ଯୋଗ ଦେଇଥିଲେ । ତନ୍ମଧ୍ୟରୁ କେବଳ ଗଡ଼ଜାତରୁ, ଯେଉଁଠି ଆନୁଷ୍ଠାନିକ ଭାବରେ କଂଗ୍ରେସର କୌଣସି ଶାଖା ନଥିଲା, ଥିଲେ ଏଗାର ଜଣ । ଗୋପବନ୍ଧୁ, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶାରୁ ବାରଜଣ ଜାତୀୟ କଂଗ୍ରେସର ବିଷୟ କମିଟି ସଦସ୍ୟ ମନୋନୀତ ହେଲେ । ଅଧିବେଶନରୁ ଫେରିଲା ପରେ ପ୍ରାଦେଶିକ କଂଗ୍ରେସରେ ଅସହଯୋଗର ପରବର୍ତ୍ତୀ ସୋପାନ ଆଇନ ଅମାନ୍ୟ ଆନ୍ଦୋଳନପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲା । ତହିିଁରୁ ମନେହେଲା ଯେ ଚୌରିଚୌରା ଘଟଣାଯୋଗୁଁ ୧୯୨୨ ଫେବ୍ରୁଆରିରେ ଆନ୍ଦୋଳନକୁ କେନ୍ଦ୍ରୀୟ ନେତୃତ୍ୱ ପ୍ରତ୍ୟାହାର କରି ନଥିଲେ, ପ୍ରାଦେଶିକ ସ୍ତରରେ ଆନ୍ଦୋଳନ ଆହୁରି ବ୍ୟାପକ ଓ ସୁଦୃଢ଼ ହୋଇଥାନ୍ତା । ଆଇନ ଅମାନ୍ୟପାଇଁ ସ୍ଥାନେ ସ୍ଥାନେ ସ୍ୱେଚ୍ଛାସେବୀ ନିଯୁକ୍ତ ହେଲେ । ଓଡ଼ିଶାରେ ମୋଟ ୩୦୦୦ ସ୍ୱେଚ୍ଛାସେବୀ ନିଯୁକ୍ତ କରିବାକୁ ଧାର୍ଯ୍ୟ କରାଗଲା । କେବଳ ସମ୍ବଲପୁରରେ ୬୦୦ ଜଣ ସ୍ୱେଚ୍ଛାସେବୀ ନିଯୁକ୍ତ ହୋଇଥିବାର ସମ୍ବାଦ ମିଳିଲା । ଏହା ଆଇନ ଅମାନ୍ୟ ପ୍ରତି ଲୋକ ଉତ୍ସାହକୁ ଇଙ୍ଗିତ କରେ । ଅହମଦାବାଦରେ ସ୍ଥିର ହୋଇଥିଲା ଯେ, ସମଗ୍ର ଦେଶରେ ଆଇନ ଅମାନ୍ୟର ଡାକରା ନ ଦେଇ ପ୍ରଥମେ ମନୋନୀତ ଏକ ଛୋଟିଆ କ୍ଷେତ୍ର ପ୍ରସ୍ତୁତ କରାଯାଉ ଏବଂ ସେଠି ଆଇନ ଅମାନ୍ୟ ହେଉ । ସେହି ଆଧାରରେ ଗୁଜରାଟର ବର୍ଦ୍ଦୋଳିକୁ ମନୋନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ନେତୃବୃନ୍ଦ ଦୁଇଟି କ୍ଷେତ୍ରକୁ ମନୋନୀତ କଲେ; ଗୋଟାଏ ହେଲା ବାଲେଶ୍ୱରର ସାର୍ଥା ଏବଂ ଦ୍ୱିତୀୟଟି ହେଲା ପୁରୀ ଜିଲ୍ଲାର ଖୋର୍ଦ୍ଧା । ଆଇନ ଅମାନ୍ୟପାଇଁ ସାର୍ଥାରେ ୨୫ ଏବଂ ଖୋର୍ଦ୍ଧାରେ ୨୪ ଜଣ ସ୍ୱେଚ୍ଛାସେବୀଙ୍କର ପ୍ରଶିକ୍ଷଣ ମଧ୍ୟ ଆରମ୍ଭ ହେଲା । ଖୋର୍ଦ୍ଧାରେ ୩ ଫେବ୍ରୁଆରି ୧୯୨୨କୁ ଆଇନ ଅମାନ୍ୟ ନିମନ୍ତେ ଦିନ ଧାର୍ଯ୍ୟ ହେଲା । ଆଇନ ଅମାନ୍ୟ ପ୍ରତି ସାଧାରଣ ରୟତ ଚାଷୀର ଉତ୍ସାହ ବଢ଼ିବା ପଛରେ ବଡ଼ କାରଣ ହେଲା ଯେ, ସେମାନଙ୍କ ଧାରଣା ସରକାରୀ ତହବିଲରେ ଜମିର ଖଜଣା ଆଉ ଜମା କରିବାକୁ ପଡ଼ିବ ନାହିିଁ । ଲୋକ ସ୍ତରରେ ବ୍ୟାପକ ସମର୍ଥନପାଇଁ କର୍ମୀମାନେ ସେହି ଆଧାରରେ ପ୍ରଚାର ମଧ୍ୟ କରୁଥିଲେ,ଯଦିଓ ପ୍ରାଦେଶିକ କଂଗ୍ରେସର ସେଭଳି କୌଣସି ଲିଖିତ ନିର୍ଦେଶ ନଥିଲା ।

୧୯୨୨ ମସିହା ଜାନୁଆରି ମାସରେ ଏହି 'ଆଇନ ଅମାନ୍ୟ' ପ୍ରସ୍ତୁତି ସରକାରକୁ ମଧ୍ୟ ବ୍ୟତିବ୍ୟସ୍ତ କରି ପକାଇଲା । ଆଇନ ଅମାନ୍ୟଯୋଗୁଁ ଅବକାରୀ ଠିକା କାଳେ ବାଧାପ୍ରାପ୍ତ ହୋଇପାରେ, ସେହି ଆଶଙ୍କାରେ ଠିକା ଆଗତୁରା କରି ଦିଆଗଲା । ଫେବ୍ରୁଆରି ବଦଳରେ ଷୋହଳ ଜାନୁଆରିରେ ଠିକା ହେବା ଧାର୍ଯ୍ୟ ହେଲା । ଏପଟେ ପନ୍ଦର ଜାନୁଆରିରୁ କଂଗ୍ରେସ କର୍ମୀ ଠିକା ସ୍ଥାନ ଆଗରେ ପିକେଟିଂ ଆରମ୍ଭ କରିଦେଲେ । ପିକେଟିଂ ପ୍ରତି ଜନଉତ୍ସାହ ବୃଦ୍ଧି ପାଇବା ଲକ୍ଷ୍ୟ କରି ସରକାର ଆକସ୍ମିକ ଭାବରେ ୧୬ ତାରିଖ ଦିନ ଠିକା ବାତିଲ କଲେ । କଂଗ୍ରେସ ମହଲରେ ଏହାକୁ ଏକ ବଡ଼ ସଫଳତା ବୋଲି ମନେ କରାଗଲା । ଫଳସ୍ୱରୂପ,{{right|ଓଡ଼ିଶା ଇତିହାସ . ୨୫୯