ପୃଷ୍ଠା:Odisha Itihasa.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଶୋକଙ୍କ କଳିଙ୍ଗ ଆକ୍ରମଣକୁ ନେଇ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀବରକୁଳ ମଧ୍ୟରେ ଏକ କିମ୍ବଦନ୍ତୀ ପ୍ରଚଳିତ ଅଛି । କିମ୍ବଦନ୍ତୀ ଅନୁଯାୟୀ ଅଶୋକ ଜଣେ ଧୀବର କନ୍ୟା କାରୁବାକୀକୁ ବିବାହ କରିବାକୁ ଚାହୁଁଥିଲେ; ମାତ୍ର କଳିଙ୍ଗର ରାଜକୁମାରଙ୍କ ସହିତ କାରୁବାକୀଙ୍କ ବିବାହ ହେବାରୁ କଳିଙ୍ଗ ଓ ମଗଧ ମଧ୍ୟରେ ଶତ୍ରୁତା ଜନ୍ମିଲା, ଯାହାର ପରିଣତି ହେଲା କଳିଙ୍ଗ ଯୁଦ୍ଧ । କିନ୍ତୁ ବ୍ୟାପକ ଅର୍ଥନୈତିକ ଓ ସାମାଜିକ କାରଣ ବିନା ଏତେ ବିଶାଳ ସୈନ୍ୟବାହିନୀ ନେଇ କୌଣସି ରାଜା ଯୁଦ୍ଧ ଡାକରା ଦେଇ ନପାରନ୍ତି । ଯୁଦ୍ଧ ପରେ ହୁଏତ ସେତେବେଳର ପରମ୍ପରା ଅନୁଯାୟୀ ରାଜା କଳିଙ୍ଗରୁ କାରୁବାକୀଙ୍କୁ ନେଇ ବିବାହ କରିଥାଇ ପାରନ୍ତି । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ କାରୁବାକୀ କିମ୍ବଦନ୍ତୀ ଅଶୋକଙ୍କ ବହୁତ ପରେ ଆରମ୍ଭ ହୋଇଛି ଏବଂ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ କରିବାର ଯଥେଷ୍ଟ ଅବକାଶ ରହିଛି । ଅନେକ ସମୟରେ ଜାତିର ଗୌରବ ବୃଦ୍ଧି ଆଶାରେ କିମ୍ବଦନ୍ତୀମାନ ସୃଷ୍ଟି ହୋଇଥାଏ । ଏ କ୍ଷେତ୍ରରେ ମଧ୍ୟ ବିଶାଳ ମଗଧ ରାଜପରିବାର ଓ ମହାନ ସମ୍ରାଟ ଅଶୋକଙ୍କ ସହ ଧୀବରକୁଳର ବୈବାହିକ ବନ୍ଧନ ସ୍ଥାପନ କରି କିମ୍ବଦନ୍ତୀଟି ସେଭଳି ଏକ ଉଦ୍ଦେଶ୍ୟ ପୂରଣ କରୁଛି ବୋଲି ମନେ କରିବା ଅସ୍ୱାଭାବିକ ନୁହେଁ ।

ଅଶୋକଙ୍କ ତ୍ରୟୋଦଶ ଅନୁଶାସନରେ କଳିଙ୍ଗ ଯୁଦ୍ଧର ପରିଣତି ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହା ଅନୁଯାୟୀ, ଯୁଦ୍ଧରେ ଏକଲକ୍ଷ କଳିଙ୍ଗ ଲୋକଙ୍କର ମୃତ୍ୟୁ ହେଲା ଓ ଦେଢ଼ ଲକ୍ଷ ଲୋକଙ୍କୁ ଆହତ ଅବସ୍ଥାରେ ଯୁଦ୍ଧ ବନ୍ଦୀ ରୂପେ ନିଆଗଲା । ଏହି ସଂଖ୍ୟାରେ ଅନେକ ଅତିରଞ୍ଜନ ରହିଛି ବୋଲି କେତେକ ଐତିହାସିକ କହିଥାନ୍ତି । ଯୁଦ୍ଧରେ ବହୁ ସଂଖ୍ୟାରେ ଲୋକଙ୍କର ହତାହତ ହେବା ହୁଏତ ସତ୍ୟ, ମାତ୍ର ମୃତାହତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ କରି ଲକ୍ଷେ ଓ ଦେଢ଼ ଲକ୍ଷ ବୋଲି କହିବା ଅତିରଞ୍ଜନ ମନେହୁଏ । ଏକ ରୂଢ଼ି ଭାବରେ ଅନୁଶାସନରେ ହୁଏତ 'ଲକ୍ଷ' ଶବ୍ଦକୁ ବ୍ୟବହାର କରାଯାଇଛି ।

ଏକଥା ଅନସ୍ୱୀକାର୍ଯ୍ୟ ଯେ କଳିଙ୍ଗ ଯୁଦ୍ଧର ଭୟାବହତା ଅଶୋକଙ୍କୁ ଚଣ୍ତାଶୋକରୁ ଧର୍ମାଶୋକରେ ପରିଣତ କଲା । ଏଣିକି ରଣଭେରୀ ବଦଳରେ ଅଶୋକଙ୍କ ନେତୃତ୍ୱରେ ଧର୍ମଭେରୀ ବାଜିଲା । ଯୁଦ୍ଧ ପରେ ମଗଧ ହିଂସା ଓ ଆକ୍ରମଣାତ୍ମକ ନୀତି ପରିହାର କଲା ଏବଂ ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଶାନ୍ତି, ଅହିଂସା, ପ୍ରେମ, କରୁଣା ଓ ମାନବିକତା ମାଧ୍ୟମରେ ହୃଦୟ ଜୟ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନର ପ୍ରଥମ ଓ ଶେଷ ଯୁଦ୍ଧ ଥିଲା । ଯୁଦ୍ଧରେ ବ୍ରାହ୍ମଣ, ଶ୍ରମଣ ତଥା ନିରୀହ ନାଗରିକମାନେ ଯେଉଁ ପରି ଭାବରେ ମୃତାହତ ହେଲେ, ତାହା ଅଶୋକଙ୍କୁ ଦାରୁଣ ଭାବରେ ବ୍ୟଥିତ କଲା । ପ୍ରଜାମାନଙ୍କର ନୈତିକ ଓ ସାମାଜିକ କଲ୍ୟାଣ ନିମନ୍ତେ ସେ ଧର୍ମର ପ୍ରସାର କଲେ, ଯାହା ଅଶୋକଙ୍କ ଧର୍ମ୍ମ(ଧର୍ମ) ବୋଲି ଇତିହାସରେ ପରିଚିତ । ତାଙ୍କରି ପୃଷ୍ଠପୋଷକତାରେ ବୌଦ୍ଧଧର୍ମ ଦକ୍ଷିଣ-ପୂର୍ବ ଏସିଆ, ମିଶର, ଗ୍ରୀସ୍‍ ପ୍ରଭୃତି ଦେଶରେ ବହୁଳ ଭାବେ ପ୍ରସାରଲାଭ କଲା । ସେ କଳିଙ୍ଗର ପ୍ରଜାମାନଙ୍କୁ ପୁତ୍ର ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେଲେ । ମଗଧର ପ୍ରତ୍ୟକ୍ଷ ଶାସନ ବାହାରେ ରହିଥିବା ପାର୍ବତ୍ୟ ଅଞ୍ଚଳର୨୬ . ଓଡ଼ିଶା ଇତିହାସ