କରି ଓଡ଼ିଶା ପ୍ରାଦେଶିକ ନେତୃତ୍ୱ ଆନ୍ଦୋଳନ ପ୍ରତ୍ୟାହାର କଲେ । ମାତ୍ର ଏହା ସହିତ ଆନ୍ଦୋଳନର ଉଗ୍ରତାକୁ ଯଥୋଚିତ ଢଙ୍ଗରେ ସଞ୍ଚାଳନ କରିବାକୁ ମଧ୍ୟ ପ୍ରୟାସ କଲେ । ଅନ୍ୟ ଅର୍ଥରେ କହିଲେ, ପ୍ରତିରକ୍ଷାମୂଳକ ପନ୍ଥା ଅନୁସରଣ କରି ଏଣିକି ଅସହଯୋଗ ଅବ୍ୟାହତ ରହିଲା, ଯାହା ଫଳରେ ଜାତୀୟ ନେତୃତ୍ୱର ଅବମାନନା ହେଲା ନାହିିଁ, ଅନ୍ୟପକ୍ଷରେ କଂଗ୍ରେସ ପ୍ରତି ଆକୃଷ୍ଟ ସାଧାରଣ ରାଜନୈତିକ କର୍ମୀ ଆନ୍ଦୋଳନରେ ଭାଗ ନେବାପାଇଁ କିଛିଟା ଅବସର ମଧ୍ୟ ପାଇଲେ । ଉଦାହରଣ ସ୍ୱରୂପ, କନିକା ଆନ୍ଦୋଳନକୁ ଏଣିକି କଂଗ୍ରେସର ଔପଚାରିକ କର୍ତ୍ତୃତ୍ୱରୁ ବାହାରେ ରଖାଗଲା । କଂଗ୍ରେସ କର୍ତ୍ତୃତ୍ୱ ବାହାରେ ଆନ୍ଦୋଳନ ଜାରି ରହିଲେ, ଜାତୀୟ କଂଗ୍ରେସ ଲାଗୁ କରିଥିବା ନିୟମ ଲାଗୁ ହେବ ନାହିିଁ । ଦ୍ୱିତୀୟରେ ଖଜଣା ବନ୍ଦ ବଦଳରେ ସେଠି ପୁରୁଣା ହାରରେ (ଘରୋଇ ବନ୍ଦୋବସ୍ତର ପୂର୍ବ ହାରରେ) ଖଜଣା ଦେବାକୁ ପ୍ରଜାଙ୍କୁ କୁହାଗଲା । ଅର୍ଥାତ ବର୍ଦ୍ଧିତ ହାରରେ ପ୍ରଜା ଜମିଦାରଙ୍କଠାରେ ଖଜଣା ଦେବେ ନାହିିଁ, ଅଥଚ ପୂର୍ବ ହାରରେ କେନ୍ଦ୍ରାପଡ଼ା ସରକାରୀ କଚେରିରେ ଯାଇ ଖଜଣା ଜମା କରିବେ । ଏପଟେ ଆନ୍ଦୋଳନପାଇଁ ପ୍ରସ୍ତୁତି ପର୍ବକୁ ଅବ୍ୟାହତ ରଖିବାପାଇଁ ଏପ୍ରିଲ୍ରେ କନିକାରେ ସତ୍ୟାଗ୍ରହ ସପ୍ତାହ ପାଳନ କରାଗଲା । ଗାଁମାନଙ୍କରେ ଗ୍ରାମସଭା ଏବଂ ଆନ୍ଦୋଳନ ପରିଚାଳନାପାଇଁ ଉପର ସ୍ତରରେ ଏକ ପ୍ରଜା ମହାସଭା ଗଠିତ ହେଲା । ଜଙ୍ଗଲ ଆଇନର ଅମାନ୍ୟ କରି ଲୋକେ କାଠ ମଧ୍ୟ କାଟିଲେ । ଶେଷରେ ପୋଲିସଦ୍ୱାରା ଗିରଫ ପାଞ୍ଚଜଣ ଖଜଣା ଖିଲାପି ରୟତ ପ୍ରଜାଙ୍କୁ ଯେଉଁଦିନ ଆନ୍ଦୋଳନକାରୀ ପୋଲିସ ହାତରୁ ମୁକ୍ତ କଲେ ଏବଂ ଜମିଦାର କଚେରିର ପିଅନକୁ ବାଧ୍ୟ କରି ଖଦି ପିନ୍ଧାଇଲେ, ଆନ୍ଦୋଳନର ସଫଳତା ନିଶ୍ଚିତ ବୋଲି ଲୋକଙ୍କର ଧାରଣା ହେଲା । ସେହିଦିନ (୧୩ ଏପ୍ରିଲ ୧୯୨୨) ଲୋକ ହରତାଳ କଲେ ଏବଂ ଭଜନ, କୀର୍ତ୍ତନ କରି ଉତ୍ସବ ପାଳନ କଲେ । ଅନ୍ୟ ଏକ ଘଟଣାରେ ଏପ୍ରିଲ ୧୮ ତାରିଖ ଦିନ ଅନ୍ୟ ଜଣେ ଗିରଫ ପ୍ରଜାକୁ ଲୋକେ ମୁକ୍ତ କରିନେଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ୨୩ ଏପ୍ରିଲ ଦିନ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସକାଶେ ଅଧିକ ସଂଖ୍ୟକ ପୋଲିସ୍କୁ ପଠାଗଲା । ବିଜୟୀ ଭାବ ନେଇ ପ୍ରଜାମାନେ ଗଛକାଟି ପୋଲିସ୍ର ରାସ୍ତା ଅବରୋଧ କଲେ । ପରିଣାମ ସ୍ୱରୂପ, ପୋଲିସ ଗୁଳିଚାଳନା କଲେ ଏବଂ ତହିିଁରେ ବାସୁ ଏବଂ ବିସୁନି ନାମକ ଦୁଇଜଣ ପ୍ରଜା ନିହତ ହେଲେ । ଆହୁରି ଅନେକ ପ୍ରଜା ଆହତ ହେଲେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନିକାର ଅନ୍ୟୂନ ଦେଢ଼ଶହ ପ୍ରଜା ଗିରଫ ହୋଇ ଜେଲକୁ ପଠାହେଲେ; ଆନ୍ଦୋଳନକାରୀଙ୍କ ଘର କୋରଖ ହେଲା; କଂଗ୍ରେସର ସମର୍ଥକ ହେବାର ସନ୍ଦେହରେ ଅନେକ ପ୍ରଜାଙ୍କୁ ନିସ୍ତୁକ ମାଡ଼ ଦିଆଗଲା । ଦମନ ଓ ଆତ୍ୟାଚାର, କନିକାର ପ୍ରଜା ଆନ୍ଦୋଳନକୁ ଏପ୍ରିଲ ଶେଷ ସପ୍ତାହରେ ଦଳି ଦେଇଗଲା । ଓଡ଼ିଶାର ପତ୍ରପତ୍ରିକା କନିକାରେ ପୋଲିସର ବର୍ବର କାଣ୍ଡକୁ ପଞ୍ଜାବର ଜାଲିଆନାଓ୍ୱାଲାବାଗ ଘଟଣା ସହ ତୁଳନା କରି ତୀବ୍ର ନିନ୍ଦା କଲେ । କନିକା ବାହାରେ ଓଡ଼ିଶାର ଚୌରିଚୌରା ଘଟଣା ପରେ କଂଗ୍ରେସ ଆନ୍ଦୋଳନ ଗଠନ ମୂଳକ କାର୍ଯ୍ୟରେ ହିିଁ ସୀମିତ ରହିଲା । ସେହି ଭିତ୍ତିରେ ଦଳ ଗ୍ରାମେ ଗ୍ରାମେ ସ୍ୱରାଜ ପଞ୍ଚାୟତ ଗଠନ, ନିଶା ନିବାରଣ, ଜାତୀୟ ବିଦ୍ୟାଳୟ ତଥା ସ୍ୱରାଜ୍ୟ ପାଣ୍ଠି ସଂଗ୍ରହ ଆଦି କାର୍ଯ୍ୟରେ ନିଜକୁ୨୬୨ . ଓଡ଼ିଶା ଇତିହାସ