ପୃଷ୍ଠା:Odisha Itihasa.pdf/୨୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁହାଗଲା, ମିଳୁଥିବା ସରକାରୀ ବନ୍ୟା ରିଲିଫର ପରିମାଣ ଆବଶ୍ୟକତାଠାରୁ ଅଧିକ ବୋଲି ସେ ରିପୋର୍ଟ ଦିଅନ୍ତୁ । ଅର୍ଥାତ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମ୍‍ ବୋଲି ମତ ଦିଅନ୍ତୁ । ଏଥିରେ ଚୌଧୁରୀ କ୍ଷୁଣ୍ଣ ହୋଇ ଚାକିରିରୁ ଇସ୍ତଫା ଦେଲେ ଏବଂ କଂଗ୍ରେସରେ ମିଶିଲେ । ତାଙ୍କର ସରକାର ପ୍ରତି ଏହି ବୀତସ୍ପୃହ ଭାବ ଏବଂ ଜାତୀୟତା ପ୍ରତି ଆକର୍ଷଣ ପଛରେ ତାଙ୍କ ପାରିବାରିକ ସଂସ୍କୃତି ରହିଥିଲା । ତାଙ୍କର ପିତା ଗୋକୁଳାନନ୍ଦ ଥିଲେ ଉତ୍କଳ ସମ୍ମିଳନୀର ଜଣେ ବଡ଼ ପକ୍ଷଧର, ଉଦାରପନ୍ଥୀ । ଅସହଯୋଗ ପୂର୍ବରୁ କଟକରେ ଯେଉଁ 'ଭାରତୀ ମନ୍ଦିର' ଗୋଷ୍ଠୀର ଛାତ୍ର ଯୁବକମାନେ ମହାଭାରତୀୟ ଜାତୀୟତାର ପକ୍ଷ ନେଇ ବିଚାର ବିମର୍ଶ କରୁଥିଲେ, ତହିିଁରେ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା । ସାନଭାଇ ନବକୃଷ୍ଣ ଚୌଧୁରୀ ଥିଲେ ଗୋଷ୍ଠୀର ଜଣେ ବଡ଼ ଉଦ୍ୟୋକ୍ତା । ପୁଣି ଓଡ଼ିଶା ଜାତୀୟତା ଆନ୍ଦୋଳନର କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ,ଗୋପବନ୍ଧୁ ଚୌଧୁରୀଙ୍କ କାକାଶ୍ୱଶୁର । ଉପ-ଜିଲ୍ଲାପାଳ ଭାବରେ ମଧ୍ୟ ଗୋପବନ୍ଧୁ ଚୌଧୁରୀ ଖଦି ପିନ୍ଧୁଥିଲେ, ସ୍ୱଦେଶୀ ବ୍ୟବହାର କରୁଥିଲେ ତଥା ଗାନ୍ଧିଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିଥିଲେ । ତେଣୁ, ତାଙ୍କର ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହେବା ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା । ବରଂ ଆନ୍ଦୋଳନର ଡାକରା ନାମରେ ଜୁଆର ନ ଆସିଥିଲେ, ଗୋପବନ୍ଧୁ ଚୌଧୁରୀଙ୍କ ଭଳି ଜାତୀୟତାବାଦୀ ନିରାଶ୍ରୟ ହୋଇ ପଡ଼ିଥାନ୍ତେ ବୋଲି ଅନୁମାନ କରିହୁଏ । ପୁଣି, ଆହୁରି କେତେକ ସରକାରୀ କର୍ମଚାରୀ ଥିଲେ, ଯେଉଁମାନେ ଚାକିରିରୁ ବିଭିନ୍ନ ବ୍ୟକ୍ତିଗତ କାରଣଯୋଗୁଁ ଇସ୍ତଫା ଦେଇ ପାରି ନଥିଲେ; ତା' ସତ୍ତ୍ୱେ ସେମାନେ ଯଥା ସାଧ୍ୟ କଂଗ୍ରେସର ସହଯୋଗ କରିଥିଲେ । ସମ୍ବଲପୁର ଛାତ୍ରଙ୍କ ରାଜନୈତିକୀକରଣ ପଛରେ ବିଶେଷ ଭୂମିକା ରହିଥିଲା ସେହିଭଳି ଜଣେ ଶିକ୍ଷକ ଦିବ୍ୟସିଂହ ମିଶ୍ରଙ୍କର, ଯିଏ, ସରକାରୀ ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ସାଙ୍ଗରେ ଶ୍ରେଣୀରେ ଖୋଲାଖୋଲି ବିବାଦୀୟ ରାଜନୀତି ପ୍ରସଙ୍ଗମାନ ଆଲୋଚନା କରୁଥିଲେ ଏବଂ ତା'ପାଇଁ ୧୯୧୮ରେ ଚାକିରିରୁ ସସ୍‍ପେଣ୍ଡ ମଧ୍ୟ ହୋଇଥିଲେ । ଠିକ ସେହିଭଳି, ୧୯୨୧ରେ ଯେତେବେଳେ ସମ୍ବଲପୁର ଜିଲ୍ଲା ସ୍କୁଲ ପିଲା ଅସହଯୋଗରେ ଯୋଗ ଦେଲେ, ତା' ପ୍ରତି ପ୍ରଧାନଶିକ୍ଷକ ମଧୁସୂଦନ ଦାସଙ୍କ ମୌନ ସହାନୁଭୂତି ରହିଥିଲା । ସେହିଭଳି, ଚକ୍ରଧରପୁରରେ ଅସହଯୋଗ ଆରମ୍ଭ କରିବାନିମିତ୍ତ ଗୋଦାବରୀଶ ମିଶ୍ରଙ୍କ ହାତରେ ଜଣେ ମୁସଲିମ ପୋଲିସ ଅଫିସର ନିଜ ଆଡୁ ଆଗଭର ହୋଇ ୪୧ ଟଙ୍କା ଅର୍ଥ ସାହାଯ୍ୟ ଦେଇଥିଲେ । ଗୋଦାବରୀଶ ମିଶ୍ର ଏ ସାହାଯ୍ୟରେ ଏତେ ଅଭିଭୂତ ହୋଇ ପଡ଼ିଥିଲେ ଯେ ଆନ୍ଦୋଳନର ଶୁଭାରମ୍ଭପାଇଁ ସେହିକ୍ଷଣି ସେ ମାନସିକ ସ୍ତରରେ ନିଷ୍ପତ୍ତି ନେଲେ । ଆନ୍ଦୋଳନକୁ ପ୍ରଖର କରିବାରେ ଏହି ଧରଣର ଛୋଟ ଛୋଟ ସାହାଯ୍ୟ ଯେ ମହତ୍ତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲା, ତାହା ନିଃସନ୍ଦେହରେ କୁହାଯାଇପାରେ ।

ଖିଲାଫତ ପ୍ରଶ୍ନଯୋଗୁଁ ଆରମ୍ଭରୁ ମୁସଲିମ ସମାଜର ଆନ୍ଦୋଳନପାଇଁ ସାମୂହିକ ସହଯୋଗ ରହିଥିଲା । ସମ୍ବଲପୁର, ଭଦ୍ରକ, କଟକ ଆଦି ସ୍ଥାନରେ ଅସହଯୋଗର ପ୍ରସାର ପଛରେ ମୁସଲମାନମାନଙ୍କର ବିଶେଷ ଭୂମିକା ରହିଥିଲା । ଏକରାମ ରସୁଲ ନାମରେ ଜଣେ ମୁସଲମାନ୨୬୪ . ଓଡ଼ିଶା ଇତିହାସ