ପୃଷ୍ଠା:Odisha Itihasa.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେତା ପ୍ରାଦେଶିକ କଂଗ୍ରେସ କମିଟିର ଉପସଭାପତି ଆସନ ମଧ୍ୟ ଅଳଂକୃତ କରିଥିଲେ । ମାତ୍ର ଅନ୍ୟ ପକ୍ଷରେ, ସମାଜର ଅନ୍ୟ ଏକ ପ୍ରମୁଖ ବର୍ଗ ମହିଳାମାନଙ୍କର ଉପସ୍ଥିତି ଆନ୍ଦୋଳନରେ ନଥିଲା ପ୍ରାୟ ସ୍ଥିତିରେ ରହିଥିଲା । ଆଦିବାସୀମାନଙ୍କୁ ମଧ୍ୟ ଆନ୍ଦୋଳନ ଆକୃଷ୍ଟ କରିପାରି ନଥିଲା, ଯଦିଓ ସେମାନଙ୍କର ଉପନିବେଶବାଦ ବିରୋଧତା କିଛି କମ୍‍ ନଥିଲା । ଊନବିଂଶ ଶତାବ୍ଦୀଯାକ ଆଦିବାସୀମାନେ ଉପନିବେଶବାଦର ଯଥେଚ୍ଛାଚାର ବିରୁଦ୍ଧରେ ବିଦ୍ରୋହ କରିଥିବା କଥା ପୂର୍ବରୁ ଆଲୋଚିତ । ତା' ସତ୍ତ୍ୱେ ଆଦିବାସୀଙ୍କର କଂଗ୍ରେସ ମଞ୍ଚରେ ଯୋଗ ନଦେବାର କାରଣ ଭାବରେ ଆଧୁିନିକ ଶିକ୍ଷିତ ବୁଦ୍ଧିଜୀବୀର ନେତୃତ୍ୱକୁ ଦେଖାଯାଇପାରେ । କଂଗ୍ରେସର ଶିକ୍ଷିତ ନେତୃତ୍ୱ ରାଜା- ପ୍ରଜା ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ବୁଝିପାରି ପ୍ରଜାଙ୍କୁ ଆନ୍ଦୋଳନର ପକ୍ଷଭୁକ୍ତ କରିବା ସକାଶେ ରାଜା ବିରୋଧୀ ବା ସାମନ୍ତବାଦ ବିରୋଧୀ ସ୍ୱ-ଦୃଷ୍ଟିକୋଣକୁ ସୁସ୍ପଷ୍ଟ କରିଥିଲେ । (ଯାହାର ଫଳ ସ୍ୱରୂପ କନିକା ଆନ୍ଦୋଳନ ସଂଘଟିତ ହେଲା) ହେଲେ ସେହି ଢଙ୍ଗରେ ଆଦିବାସୀ ଓ ଅଣ-ଆଦିବାସୀ ମଧ୍ୟରେ ରହିଥିବା ସାଂସ୍କୃତିକ ଓ ସାମାଜିକ ଅନ୍ତର୍ଦ୍ୱନ୍ଦ୍ୱକୁ ବୋଧହୁଏ ନେତୃତ୍ୱ ବୁଝି ପାରି ନଥିଲେ । ଜାତୀୟତାବାଦୀ ନେତୃତ୍ୱ ଆଦିବାସୀର ପାରମ୍ପରିକ ଜୀବନ ଶୈଳୀ ଓ ଆଧୁିନିକ ସଭ୍ୟତା ନାମରେ ଔପନିବେଶିକ ଅନୁପ୍ରବେଶ ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ମଧ୍ୟ ବୁଝି ପାରି ନଥିଲେ । ଫଳରେ ଆଦିବାସୀ ଅନ୍ତତଃ ଅସହଯୋଗରେ ସାମିଲ ହୋଇ ପାରିଲେ ନାହିିଁ । ଅସହଯୋଗ ସମୟରେ ଜଣେ ବି ଆଦିବାସୀ କଂଗ୍ରେସ କର୍ମୀର ନାମ ଶୁଣିବାକୁ ମିଳେ ନାହିିଁ । ଏହାକୁ ଅସହଯୋଗର ଏକ ବଡ଼ ଦୁର୍ବଳତା ଭାବରେ ଦେଖାଯାଇପାରେ । ଅନ୍ୟ ପକ୍ଷରେ ଯେମିତି ସରକାର ଆନ୍ଦୋଳନର ବିରୋଧୀ ପକ୍ଷ, ଗଡ଼ଜାତ ରାଜା ଓ ଜମିଦାର ମଧ୍ୟ ପ୍ରାୟ କ୍ଷେତ୍ରରେ ସେମିତି ବିରୋଧୀ ପକ୍ଷ ସାଜିଥିଲେ । ସେମାନଙ୍କ ଦୃଷ୍ଟିରେ ଅସହଯୋଗ ହେଲା ଏକ 'ରୋଗ', ଯାହା ସୌଭାଗ୍ୟକୁ ଗଡ଼ଜାତରେ ବ୍ୟାପୀ ନଥିଲା ! ସେମାନଙ୍କ ପତ୍ରପତ୍ରିକାରେ କୁହାଯାଇଥିଲା ଯେ, କେବଳ ନିଶା ନିବାରଣ କାର୍ଯ୍ୟପାଇଁ ଗାନ୍ଧି ପ୍ରଶଂସାର ପାତ୍ର ! ଅସହଯୋଗ ନୀତିକୁ ଯଦି ବାଦ ଦିଅନ୍ତି, ଗୋପବନ୍ଧୁ ଏବଂ ତାଙ୍କ ସହଯୋଗୀ ପ୍ରଶଂସାର ଯୋଗ୍ୟ ହେବେ ବୋଲି ତାଳଚେର ରାଜାନୁକୂଲ୍ୟରେ ପ୍ରକାଶିତ 'ଗଡ଼ଜାତ ବାସିନୀ' ଏକାଧିକ ଥର ମତ ବ୍ୟକ୍ତ କରିଥିଲା । କନିକା ଜମିଦାର ଥିଲେ ଉତ୍କଳ ସମ୍ମିଳନୀର ଜଣେ ପୁରୋଧା । ତାଙ୍କ ପ୍ରଜା ପୀଡ଼ନ ନୀତି ଓ 'ଉତ୍କଳ ସମ୍ମିଳନୀ'ରେ ସଂପୃକ୍ତି ମଧ୍ୟରେ କାହିିଁ କେଉଁଠି ଅନ୍ତର୍ଦ୍ୱନ୍ଦ୍ୱ ସେ ଦେଖି ପାରୁ ନଥିଲେ । ଅସହଯୋଗ ଆନ୍ଦୋଳନର ସେ ଜଣେ ବଡ଼ ନିନ୍ଦୁକ ଥିଲେ । ବ୍ୟବସାୟୀ ଓ ଅନ୍ୟ ଧନିକ ଶ୍ରେଣୀର ସହଯୋଗ ମଧ୍ୟ ଅସହଯୋଗକୁ ଯଥୋଚିତ ମାତ୍ରାରେ ମିଳି ନଥିଲା । ନିଜ କଟକ ଗସ୍ତ ସମୟରେ ୧୯୨୧ ମାର୍ଚ୍ଚ ମାସରେ ଗାନ୍ଧି ଗୁଜରାଟୀ ଓ ମାରଓ୍ୱାଡ଼ି ବ୍ୟବସାୟୀଙ୍କୁସ୍ୱତନ୍ତ୍ର ଭାବରେ ଭେଟି ପାଣ୍ଠିପାଇଁ ନିବେଦନ କରିଥିଲେ । ଏହା ସତ୍ତ୍ୱେ କଂଗ୍ରେସ, ତିଳକ ସ୍ୱରାଜ୍ୟ ପାଣ୍ଠିପାଇଁ ଧାର୍ଯ୍ୟ ମତେ ଟଙ୍କା ସଂଗ୍ରହ କରି ନପାରିବା ପଛରେ ଧନିକ ବ୍ୟବସାୟୀଙ୍କ ନିଷ୍କ୍ରିୟତା ଏକ ବଡ଼ କାରଣ ଥିଲା ।{{right|ଓଡ଼ିଶା ଇତିହାସ . ୨୬୫