ପୃଷ୍ଠା:Odisha Itihasa.pdf/୨୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଭା, ପଟୁଆର, ସ୍ଳୋଗାନ ତଥା ସ୍ୱରାଜ ପାଣ୍ଠି ସଂଗ୍ରହ, କଂଗ୍ରେସର ସଦସ୍ୟତା ସଂଗ୍ରହ ଅଭିଯାନ, ଅରଟ ବଣ୍ଟନ, ପଞ୍ଚାୟତ ସ୍ଥାପନ ଆଦି ହେଲା ଅସହଯୋଗ ଆନ୍ଦୋଳନର କେତୋଟି ମୁଖ୍ୟ କାର୍ଯ୍ୟକ୍ରମ । ତା' ବାହାରେ, ୧୯୨୧ର ଉତ୍ତରାର୍ଦ୍ଧରେ ବିଦେଶୀ ବସ୍ତ୍ର ବର୍ଜନ, ପିକେଟିଂ, ବିଦେଶୀ ବସ୍ତ୍ର ଦହନ ଆଦି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା । ତା'ଛଡ଼ା ପରଂପରାରୁ ମଧ୍ୟ ଅନେକ କାର୍ଯ୍ୟକ୍ରମକୁ ଆନ୍ଦୋଳନକୁ ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଥମ କରି ବ୍ୟବହାର କରାଗଲା । ଉଦାହରଣ ସ୍ୱରୂପ, ଭଜନ ଓ କୀର୍ତ୍ତନକୁ ଦେଖାଯାଇପାରେ । କଂଗ୍ରେସ ନେତାଙ୍କ ସ୍ୱାଗତପାଇଁ, ଜେଲ୍‍ ବରଣ କରିଥିବା ନେତାଙ୍କୁ ଜେଲ୍‍ଯାଏ ପାଛୋଟି ନେବାପାଇଁ ତଥା ସଭାସ୍ଥଳୀକୁ ପଟୁଆରରେ ଯିବାବେଳେ ପାରଂପରିକ ସଂକୀର୍ତ୍ତନର ଖୁବ୍‍ ବ୍ୟବହାର ଅସହଯୋଗ ସମୟରେ ଦେଖିବାକୁ ମିଳେ । ବାଞ୍ଛାନିଧି ମହାନ୍ତି, ବୀରକିଶୋର ଦାସ ଆଦି କବିଙ୍କ ସ୍ୱଦେଶ ପ୍ରୀତିମୂଳକ ଗୀତକୁ ସଂକୀର୍ତ୍ତରେ ମଧ୍ୟ ବ୍ୟବହାର କରାଗଲା ଏବଂ ସେହି ସଂକୀର୍ତ୍ତନକୁ ସ୍ୱଦେଶୀ କୀର୍ତ୍ତନ ବୋଲି କୁହାଗଲା । କେତେକ ସ୍ଥାନରେ ରଥଯାତ୍ରା ବେଳେ ରଥରେ ଖଦିର ମଧ୍ୟ ବ୍ୟବହାର ଦେଖିବାକୁ ମିଳିଲା । ଏହି ସମୟରେ କେତେକ ଜାତୀୟତାବାଦୀଙ୍କ ରଚନାରେ ଅରଟକୁ 'ସୁଦର୍ଶନ ଚକ୍ର' ସାଙ୍ଗରେ ମଧ୍ୟ ତୁଳନା କରାଯିବାର ନଜିର ରହିଛି । ସୁଦର୍ଶନ ଚକ୍ର ପରି ଅରଟ ସବୁ ପ୍ରକାର ଅନ୍ୟାୟ ଓ ଅତ୍ୟାଚାରରୁ ବିମୁକ୍ତି ଦେବ ବୋଲି କଳ୍ପନା କରାଗଲା । ପାରଂପରିକତାର ଉପଯୋଗ ଫଳରେ ଅସହଯୋଗ ପ୍ରକୃତ ଅର୍ଥରେ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଆଞ୍ଚଳିକ ଆନ୍ଦୋଳନ ଭଳି ପ୍ରତୀତ ହେଲା ।

ଅସହଯୋଗ ସମୟରେ ଓଡ଼ିଶାରେ ଅନେକ ନୂଆ ଅନୁଷ୍ଠାନ, ଆଶ୍ରମ, ଖଦି କେନ୍ଦ୍ର, ଜାତୀୟ ବିଦ୍ୟାଳୟ ଆଦି ନାମରେ ପ୍ରତିଷ୍ଠିତ ହେଲା । ପ୍ରାୟ କ୍ଷେତ୍ରରେ ଏହି ତିନିଟି ଯାକ ଅନୁଷ୍ଠାନ ପରସ୍ପରପାଇଁ ପରିପୂରକ ଥିଲେ । ଫଳସ୍ୱରୂପ ଗୋଟାକର ଉତ୍‍ଥାନରେ ଅନ୍ୟଗୁଡ଼ିକର ଉତ୍‍ଥାନ ଏବଂ ଗୋଟାକର ପତନରେ ଅନ୍ୟଗୁଡ଼ିକର ପତନ ଦେଖିବାକୁ ମିଳୁଥିଲା । ଅନୁଷ୍ଠାନ ଗୁଡ଼ିକୁ ସ୍ୱରାଜ୍ୟ ଆଶ୍ରମ, ସ୍ୱରାଜ୍ୟ ଆଳୟ, ସ୍ୱରାଜ ମନ୍ଦିର ଆଦି ନାମରେ ନାମିତ କରାଯାଇଥିଲା । ସେଠାରେ ଖଦିକାମ ଚାଲୁଥିଲା; କର୍ମୀମାନଙ୍କର ସାମୟିକ ରହଣି ଏବଂ ସଭାସ୍ଥଳ ଭାବରେ ମଧ୍ୟ ତାର ଉପଯୋଗ ହେଉଥିଲା । କଟକରେ ଏଥିପାଇଁ ନାମମାତ୍ର ଭଡ଼ାରେ ଘର ନିଆଯାଇଥିଲା । ଅନ୍ୟ ସ୍ଥାନରେ କଂଗ୍ରେସ କର୍ମୀ ନିଜ ଘରକୁ ହିିଁ ଆଶ୍ରମ ଘୋଷଣା କରିଥିଲେ ଏବଂ ସଂଗଠନ କାମପାଇଁ ତାର ଉପଯୋଗ କରୁଥିଲେ । ଯଦିଓ 'ସତ୍ୟବାଦୀ' ନାମରେ ଆଶ୍ରମ ଶବ୍ଦ ଯୋଡ଼ା ଯାଇ ନଥିଲା, ଏହା ଥିଲା ସେ ବେଳର ଏକ ଆଦର୍ଶ ଆଶ୍ରମ, ଯେଉଁଠି ଜାତୀୟ ସ୍କୁଲ ଚାଲିଥିଲା; କର୍ମୀ ପ୍ରଶିକ୍ଷଣ ଓ ଖଦିକାମ ଚାଲିଥିଲା; ପୁଣି ଆନ୍ଦୋଳନର ଏକ ମୁଖ୍ୟ କେନ୍ଦ୍ର ରୂପେ ତାହା କାର୍ଯ୍ୟ କରୁଥିଲା । 'ସତ୍ୟବାଦୀ' ମାସିକ ଏବଂ ୧୯୧୯ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଜାତୀୟତାବାଦୀ ସାପ୍ତାହିକ 'ସମାଜ'ର ପ୍ରକାଶନ ମଧ୍ୟ ସେଠାରେ ହେଉଥିଲା । ଏପରିକି ବନ୍ୟା ରିଲିଫ କାମପାଇଁ ମଧ୍ୟ ତାହା ଏକ ପ୍ରମୁଖ ରିଲିଫ କେନ୍ଦ୍ର ଥିଲା । ଅସହଯୋଗ ପରେ କଂଗ୍ରେସ ତରଫରୁ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୯୨୨ରେ ସୁଦ୍ଧା ଓଡ଼ିଶାରେ ୨୫ଟି୨୬୬ . ଓଡ଼ିଶା ଇତିହାସ