ପୃଷ୍ଠା:Odisha Itihasa.pdf/୨୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତୀୟ ଅନୁଷ୍ଠାନ କାର୍ଯ୍ୟ କରୁଥିଲା । ଆନ୍ଦୋଳନର ପ୍ରଖରତା ବେଳେ ତାର ସଂଖ୍ୟା ଯେ ନିଶ୍ଚିତ ରୂପେ ଅନେକ ବେଶୀ ହୋଇଥିବ - ଏହା ଅନୁମାନ କରିହୁଏ । ଅସହଯୋଗ ଆନ୍ଦୋଳନକୁ ସଂପ୍ରସାରିତ କରିବାରେ ଜାତୀୟତାବାଦୀ ପତ୍ର-ପତ୍ରିକାର ବିଶେଷ ଭୂମିକା ରହିଥିଲା । ଆନ୍ଦୋଳନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ 'ସମାଜ' (ଅକ୍ଟୋବର ୧୯୧୯), 'ଆଶା' (ବରହମପୁର) ଏବଂ ସମ୍ବଲପୁରରୁ 'ଉତ୍କଳ ସେବକ' (୧୯୨୦) ପ୍ରକାଶନ ଆରମ୍ଭ ହେଲା । ଆନ୍ଦୋଳନ ବେଳେ 'ସେବା' (ମେ ୧୯୨୧) ଏବଂ 'ସ୍ୱରାଜ୍ୟ ସମାଚାର' (୧୯୨୧) ପ୍ରକାଶିତ ହେଲେ । ତା'ଛଡ଼ା ଆଗରୁ ପ୍ରକାଶିତ ହେଉଥିବା 'ଉତ୍କଳ ଦୀପିକା', 'ପ୍ରଜାମିତ୍ର', 'ଶକ୍ତି', ଓ 'ପୁରୀବାସୀ', ଆଦି ଆନ୍ଦୋଳନର ବଡ଼ ପକ୍ଷଧର ଥିଲେ । ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏହି ପତ୍ରିକାଗୁଡ଼ିକ ସମାଚାର ପ୍ରକାଶ କରୁଥିଲେ ଏବଂ ସୂଚନା ଦେଉଥିଲେ । ପତ୍ରିକାଗୁଡ଼ିକଯୋଗୁଁ ଅସହଯୋଗ ଏକ ପ୍ରକାଶ୍ୟ ଆନ୍ଦୋଳନର ରୂପ ପାଇଥିଲା । ଅନ୍ୟ ପକ୍ଷରେ ଆନ୍ଦୋଳନର ପ୍ରଭାବକୁ ପ୍ରତିହତ କରିବାପାଇଁ ତାଳଚେର ଗଡ଼ଜାତ ରାଜା ନିୟମିତ ଢଙ୍ଗରେ 'ଗଡ଼ଜାତ ବାସିନୀ' ନାମରେ ପତ୍ରିକା ପ୍ରକାଶନ କରୁଥିଲେ ।

ସରଳ ଭାଷା, ନିୟମିତତା, ସ୍ୱାଧୀନ ଚିନ୍ତା ଏବଂ ଜାତୀୟ ଉଦ୍ଦେଶ୍ୟ ଥିଲା ଜାତୀୟତାବାଦୀ ପତ୍ରିକାଗୁଡ଼ିକର ବୈଶିଷ୍ଟ୍ୟ । ଜାତୀୟ କଂଗ୍ରେସର ଅଣ-ଆନୁଷ୍ଠାନିକ ମୁଖପତ୍ର ହେବା ସତ୍ତ୍ୱେ କଂଗ୍ରେସର ଅନ୍ଧ ଅନୁକରଣ ସେମାନେ କରୁ ନଥିଲେ । ସେଗୁଡ଼ିକର ପ୍ରକାଶନରେ ଆନୁଷ୍ଠାନିକ ଭାବରେ କଂଗ୍ରେସଠାରୁ କୌଣସି ଆର୍ଥିକ ସାହାଯ୍ୟ ନିଆଯାଉ ନଥିଲା । ଆର୍ଥିକ ସାହାଯ୍ୟ ଦେବା ନିମିତ୍ତ କଂଗ୍ରେସର ସାମର୍ଥ୍ୟ ବି ନଥିଲା । ସେହି କାରଣରୁ ପତ୍ରିକାଗୁଡ଼ିକର ବିଚାର ଓ ଦୃଷ୍ଟିକୋଣ ଉପରେ କଂଗ୍ରେସ ଦଳର କର୍ତ୍ତୃତ୍ୱ ମଧ୍ୟ ନଥିଲା । ସଂପାଦକ ଏବଂ ପତ୍ରିକାଗୁଡ଼ିକର ସ୍ଥାନୀୟ ସହଯୋଗୀମାନେ ହିିଁ ପତ୍ରିକାର ନୀତି ନର୍ଦ୍ଧାରଣ କରୁଥିଲେ । ସେଥିପାଇଁ ୧୯୨୧ରେ 'ଉତ୍କଳ ସେବକ' ଯେତେବେଳେ ଲେଖିଲା ଯେ, କଂଗ୍ରେସରେ ଗାନ୍ଧୀ ବିଚାରର କେହି ସଚ୍ଚା ଅନୁଗାମୀ ନାହାନ୍ତି, କଂଗ୍ରେସ ଦଳ ପକ୍ଷରୁ କଦାପି ତାର ବିରୋଧ କରାଗଲା ନାହିିଁ । ନିଜ ନିଜ ସ୍ତରରେ ପତ୍ରିକାମାନେ ସ୍ୱାଧୀନ ଥିଲେ ଏବଂ ନିଜର ସ୍ୱାଧୀନ ବିଚାରକୁ ଅଭିବ୍ୟକ୍ତ କରୁଥିଲେ । ସେଗୁଡ଼ିକର ବୈଶିଷ୍ଟ୍ୟ ଥିଲା- ସରଳ ଭାଷା, ଗ୍ରାମ୍ୟ ସ୍ତରରେ ବୁଝିବା ଭଳି ଭାଷାା 'ସେବା'ରେ ବ୍ୟବହୃତ ଭାଷା ଏତେ ଗାଉଁଲି ଯେ ତାକୁ ଅନ୍ୟ ପତ୍ରିକାମାନେ ମଧ୍ୟ ସମାଲୋଚନା କରୁଥିଲେ । ମାତ୍ର 'ସେବା' ଲୋକ ସ୍ତରରେ ପହଞ୍ଚିବା ଲକ୍ଷ୍ୟରେ ଗାଉଁଲି ଭାଷା - ତା'ର ଏକ ବଡ଼ ସଂପତ୍ତି ବୋଲି ଗର୍ବ କରୁଥିଲା । 'ସମାଜ'ର ପ୍ରସାର ମୂଳରେ ମଧ୍ୟ ବଡ଼ କାରଣ ଥିଲା ତା'ର ସରଳ ଭାଷା । ପ୍ରକାଶନ ଆରମ୍ଭ ହେବାର ଛଅ ମାସ ମଧ୍ୟରେ ସରକାରୀ ରିପୋର୍ଟ ଅନୁଯାୟୀ ଏହା ବିହାର ଓ ଓଡ଼ିଶା ପ୍ରଦେଶର ଏକ ପ୍ରମୁଖ ପତ୍ରିକା ହୋଇପାରିଥିଲା ଏବଂ ତା'ର କାରଣ ଥିଲା, ତା'ର ନିର୍ଭୟ ଭାବ ଓ ସରଳ ଭାଷା । ଖୁବ ଅଳ୍ପ ସମୟ ମଧ୍ୟରେ 'ସମାଜ' ଏତେ ଲୋକପ୍ରିୟ ହୋଇପଡ଼ିଲା ଯେ, ଗାଁ ଗାଁରେ ତାକୁ ସମ୍ବାଦପତ୍ରର ଏକ ସମାନାର୍ଥକ ଶବ୍ଦ ରୂପେ ଲୋକ ବ୍ୟବହାର କଲେ । ପଢ଼ି ନଜାଣିଲେ ବି 'ସମାଜକୁ' ଶୁଣିଲେ ଜାତୀୟତାବାଦ ଓ ରାଜନୀତି ଅବୁଝା ରହିବ ନାହିଁ ବୋଲି ଲୋକେ କହୁଥିଲେ ।{{right|ଓଡ଼ିଶା ଇତିହାସ . ୨୬୭