ପୃଷ୍ଠା:Odisha Itihasa.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଦିବାସୀମାନଙ୍କୁ ସେ 'ଧମ୍ମ' (ଧର୍ମ) ପାଳନ କରିବାକୁ ପରାମର୍ଶ ଦେଲେ । ପ୍ରଶାସନରେ ଧର୍ମ ମହାମାତ୍ର (ଅଧିକାରୀ) ନିଯୁକ୍ତ କରି ସେମାନଙ୍କୁ ଶାନ୍ତିର ଆଦର୍ଶ ପ୍ରଚାର କରିବାକୁ ବିଭିନ୍ନ ଦେଶକୁ ପ୍ରେରଣ କଲେ । ସେ ପ୍ରଜାଙ୍କୁ ପିତୃ ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ମଣିଷ ଦୟାପରବଶ ହେବାପାଇଁ ନିଜ ଅନୁଶାସନରେ ପରାମର୍ଶ ଦେଲେ । ଏହି ପ୍ରକାରେ ଅଶୋକ କଳିଙ୍ଗ ଯୁଦ୍ଧ ଉତ୍ତାରୁ ଯୁଦ୍ଧ ପରିବର୍ତ୍ତେ ଧର୍ମ ପ୍ରଚାରକୁ ମାଧ୍ୟମ କରି ମଗଧର ରାଜନୈତିକ କର୍ତ୍ତୃତ୍ୱ ବିସ୍ତାର କରିବାକୁ ପ୍ରୟାସ କରିଥିଲେ ଏବଂ ତହିଁରେ ଅନେକ ମାତ୍ରାରେ ସଫଳ ହୋଇଥିଲେ । କଳିଙ୍ଗ ଯୁଦ୍ଧ ପୂର୍ବରୁ ଅର୍ଥାତ୍‍ ଅଶୋକ ସିଂହାସନ ଆରୋହଣ କରିବା ସମୟରେ ବୌଦ୍ଧଧର୍ମ ମଗଧ ଏବଂ ତା'ର ପାଖାପାଖି ରାଜ୍ୟ ପର୍ଯ୍ୟନ୍ତ ସୀମିତ ରହିଥିଲା । ଯୁଦ୍ଧ ପୂର୍ବରୁ ଅଶୋକ କିମ୍ବା ତାଙ୍କ ପୂର୍ବପୁରୁଷ ଯଥା ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାର ମଧ୍ୟ ବୌଦ୍ଧଧର୍ମ ଗ୍ରହଣ କରିନଥିଲେ । ଚନ୍ଦ୍ରଗୁପ୍ତଙ୍କର ଜୈନଧର୍ମ ପ୍ରତି ଆକର୍ଷଣ ଥିଲା । ଗୌତମ ବୁଦ୍ଧଙ୍କ ସମୟରେ ମଗଧ ତଥା ଅନ୍ୟ କେତେକ ମହାଜନପଦରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୌଦ୍ଧଧର୍ମ ରାଜଅନୁଗ୍ରହ ପ୍ରାପ୍ତ ହୋଇଥିଲା । ସେହି ଅନୁସାରେ ଦେଖିଲେ, ଅଶୋକଙ୍କ ସମୟରେ ଅତିବେଶି ହେଲେ ବୌଦ୍ଧଧର୍ମ ଲୋକସ୍ତରରେ ରହିଥିଲା ବୋଲି କୁହାଯାଇ ପାରିବ । ମାତ୍ର ତାଙ୍କ ଉଦ୍ୟମରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ତଥା ବିଦେଶକୁ ପ୍ରସାରିତ ହେଲା । ଅର୍ଥାତ୍‍ କଳିଙ୍ଗଯୁଦ୍ଧଯୋଗୁଁ ବୌଦ୍ଧଧର୍ମ ଏକ ବିଶ୍ୱସ୍ତରର ଧର୍ମ ଭାବରେ ଖ୍ୟାତି ପାଇଲା । ଏହା କଳିଙ୍ଗ ଯୁଦ୍ଧ, ଅଶୋକ, ବୌଦ୍ଧଧର୍ମ ଓ ମଗଧର ଐତିହାସିକ ମହତ୍ତ୍ୱ ପ୍ରତିପାଦନ କରେ । କଳିଙ୍ଗ ଯୁଦ୍ଧ ପରେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ଅଶୋକ ସମ୍ପୂର୍ଣ୍ଣ ରୂପେ ସଂସାର ବିମୁଖ ହୋଇଥିଲେ ବୋଲି କୁହାଯାଇ ପାରିବ ନାହିଁ । ଯୁଦ୍ଧର ମାର୍ଗ ପରିହାର କରି ଧର୍ମ ଓ ଆଦର୍ଶ ମାଧ୍ୟମରେ ସେ ମଗଧ ସାମ୍ରାଜ୍ୟର କର୍ତ୍ତୃତ୍ୱ ବଜାୟ ରଖିବାକୁ ତଥା ତାକୁ ପାରୁପର୍ଯ୍ୟନ୍ତ ବିସ୍ତାର କରିବାକୁ ପ୍ରୟାସ କରିଥିଲେ । ଯୁଦ୍ଧ ପରେ ସେ ସେନାବାହିନୀକୁ ଭଙ୍ଗ କରିନଥିଲେ । କଳିଙ୍ଗକୁ ମଧ୍ୟ ତ୍ୟାଗ ନକରି ମଗଧ ସାମ୍ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ କରିଥିଲେ ବୋଲି ପ୍ରମାଣ ରହିଛି । ପରାଜୟ ପରେ କଳିଙ୍ଗ ମଗଧର ପଞ୍ଚମ ପ୍ରଦେଶ ଭାବେ ଶାସିତ ହେଲା । ତୋଷାଳୀ ଥିଲା ଏହାର ମୁଖ୍ୟ ରାଜଧାନୀ ଏବଂ ସମାପା ଥିଲା ଦ୍ୱିତୀୟ ରାଜଧାନୀ । ଯୁଦ୍ଧର କ୍ଷୟକ୍ଷତି ପରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ସେ ଉଦାର ନୀତି ଗ୍ରହଣ କରିଥିଲେ । ସେ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନରେ ଘୋଷଣା କରିଥିଲେ ଯେ, "ସମସ୍ତ ପ୍ରଜା ହେଲେ ମୋର ସନ୍ତାନ । ଯେପରି ମୁଁ ମୋର ସନ୍ତାନମାନଙ୍କର ଇହକାଳ ଓ ପରକାଳର ସୁଖ କାମନା କରେ, ସେହିପରି ସମସ୍ତ ମନୁଷ୍ୟଙ୍କ ନିମନ୍ତେ ତାହା ହିଁ ମୋର କାମ୍ୟ ।"

ଆରମ୍ଭରେ କଳିଙ୍ଗ ଅଶୋକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଚାଲିଥିଲା । ଫଳରେ ମଗଧର ଅନ୍ୟାନ୍ୟ ପ୍ରାଦେଶିକ ରାଜଧାନୀ ତକ୍ଷଶିଳା, ଉଜ୍ଜୟିନୀ ଓ ସୁବର୍ଣ୍ଣଗିରି ପରି କଳିଙ୍ଗର ମୁଖ୍ୟ ରାଜଧାନୀ ତୋଷାଳୀ ମଧ୍ୟ ମହତ୍ତ୍ୱ ପାଇଲା । ମାତ୍ର ପରବର୍ତ୍ତୀ ସମୟରେ କଳିଙ୍ଗକୁ ଅଶୋକଙ୍କର ପ୍ରତିିନିଧି ରୂପେ ଜଣେ ମଗଧ ରାଜକୁମାର ଶାସନ କଲେ । ତାଙ୍କର ନାମ କୁମାରମନ୍ୟ ଥିଲା{{right|ଓଡ଼ିଶା ଇତିହାସ . ୨୭