ପୃଷ୍ଠା:Odisha Itihasa.pdf/୨୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ ଗୋଷ୍ଠୀର ନେତୃତ୍ୱ ରହିଥିଲା ବଲ୍ଲଭଭାଇ ପଟେଲ୍‍ ଓ ରାଜେନ୍ଦ୍ର ପ୍ରସାଦ ଆଦି ନେତାଙ୍କ ହାତରେ । ଗାନ୍ଧିଜୀଙ୍କ ଅନୁପସ୍ଥିତିରେ (କାରଣ ଗାନ୍ଧୀ ଜେଲ୍‍ ଦଣ୍ଡ ଭୋଗୁଥିଲେ) କଂଗ୍ରେସର ଅସହଯୋଗ ନୀତିରେ କୌଣସି ପରିବର୍ତ୍ତନ ନହେବା କଥା ବୋଲି ସେମାନେ ମତ ଦେଲେ । ସେମାନଙ୍କୁ ଅପରିବର୍ତ୍ତନବାଦୀ ( No-Changers) ବୋଲି କୁହାଗଲା । ସେମାନଙ୍କ ଯୁକ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟର ଗଣସଂଗ୍ରାମର ପ୍ରସ୍ତୁତି ପର୍ବ ଭାବରେ କର୍ମୀ ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିବା କଥା । ଗଠନମୂଳକ କାର୍ଯ୍ୟ ମଧ୍ୟରେ ସେମାନେ ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ଗ୍ରାମ ସଂଗଠନ, ପଞ୍ଚାୟତ ଗଠନ, ଖଦି ପ୍ରସାର ଆଦି ଉପରେ ମହତ୍ତ୍ୱ ଦେଲେ । କାଉନ୍‍ସିଲ୍‍ରେ କଂଗ୍ରେସ ଲୋକ ଯୋଗ ନଦେବା କଥା ବୋଲି ସେମାନେ କହିଲେ । କଂଗ୍ରେସ ଦଳ ମଧ୍ୟରେ ଏହି ବିଭେଦ ୧୯୨୬ ପର୍ଯ୍ୟନ୍ତ ଚାଲିଲା । ୧୯୨୬ରେ କାଉନ୍‍ସିଲ୍‍ପାଇଁ ଯେତେବେଳେ ପୁଣି ଥରେ ନିର୍ବାଚନ ହେଲା, କଂଗ୍ରେସ ଦଳ ତହିଁରେ ଭାଗନେଲା । ଅର୍ଥାତ୍‍ କାଉନ୍‍ସିଲ୍‍ରେ ପ୍ରବେଶ ପ୍ରଶ୍ନକୁ ନେଇ କଂଗ୍ରେସ ଦଳ ମଧ୍ୟରେ ୧୯୨୬ ପରଠାରୁ ନାନା ମତ ରହିଲା ନାହିଁ । ସ୍ୱରାଜ ଦଳ ପୁଣି କଂଗ୍ରେସର ଅବିଭାଜ୍ୟ ଅଂଶ ହୋଇ ପଡ଼ିଲା । ଓଡ଼ିଶାରେ ଅସହଯୋଗର ପ୍ରତ୍ୟାହାର ପରେ ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟ ଗୋଷ୍ଠୀ ବିବାଦର ଶିକାର ହେଲା । ୧୯୨୧ରେ ମଧୁସୂଦନ ଦାସ ବିହାର ଓ ଓଡ଼ିଶା ପ୍ରଦେଶର ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ବୋଲି ଅସହଯୋଗୀମାନେ ତାଙ୍କର ତୀବ୍ର ବିରୋଧ କରିଥିଲେ । ଏହା ମଧୁସୂଦନଙ୍କୁ ଏକ ରକମର ରାଜନୈତିକ ଶୂନ୍ୟତା ମଧ୍ୟକୁ ଠେଲି ଦେଇଥିଲା । ସେ ଅସହଯୋଗକୁ ଗ୍ରହଣ କରି ପାରି ନଥିଲେ । ଇଂରେଜଙ୍କ ସହଯୋଗରେ ଜାତୀୟ ଉନ୍ନତି ହୋଇ ପାରିବ ବୋଲି ସେ ବିଶ୍ୱାସ କରୁଥିଲେ । ମାତ୍ର ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ୧୯୨୪ରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଗ୍ରହଣ କଲେ । ୧୯୨୩ରେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଆଦି ନିର୍ବାଚନ ଲଢ଼ିଲେ ଓ ଓଡ଼ିଶାରେ ସ୍ୱରାଜ୍ୟ ଦଳର ପ୍ରତିନିଧିତ୍ୱ କଲେ । ଓଡ଼ିଶାରେ ଅପରିବର୍ତ୍ତନବାଦୀ ଗୋଷ୍ଠୀର ନେତୃତ୍ୱ ନେଲେ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଆଦି । ସେମାନଙ୍କୁ 'ଅସହଯୋଗୀ' ଏବଂ ଅନ୍ୟମାନଙ୍କୁ 'ସହଯୋଗୀ' ବୋଲି କୁହାଗଲା । ଉଭୟ ଗୋଷ୍ଠୀ ମଧ୍ୟରେ ପରିପୂରକତା ଥିଲା; ତୀବ୍ର ପ୍ରତିଯୋଗିତା ମଧ୍ୟ ରହିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଶିକ୍ଷାର ପ୍ରସାର, ନିଶା ନିବାରଣ, ଖଦିର ପ୍ରସାର, ବନ୍ୟାବାତ୍ୟା ବେଳେ ସରକାରୀ ରିଲ୍‍ଫ୍‍ ଆଦି ପ୍ରସଙ୍ଗକୁ ନେଇ ଯେତେବେଳେ ଅସହଯୋଗୀମାନେ ସଭାସମିତି କରୁଥିଲେ ବା ପତ୍ରପତ୍ରିକାରେ ଲେଖୁଥିଲେ, ସେତେବେଳେ ସହଯୋଗୀ ଗୋଷ୍ଠୀର ନିର୍ବାଚିତ ପ୍ରତିନିଧିମାନେ ଉକ୍ତ ବିଷୟଗୁଡ଼ିକୁ କେନ୍ଦ୍ର ଏସେଂବ୍ଲି ଓ କାଉନ୍‍ସିଲ୍‍ରେ ଉତ୍‍ଥାପନ କରୁଥିଲେ । ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ ମଧ୍ୟ କରୁଥିଲେ । କିନ୍ତୁ ୧୯୨୭-୨୮ ବେଳକୁ ପୁଣି ଯେତେବେଳେ ଗଣ ଆନ୍ଦୋଳନର ଜୁଆର ଦେଶରେ ପ୍ରବାହିତ ହେବାକୁ ଆରମ୍ଭକଲା, ସମସ୍ତେ ତହିଁରେ ସମ୍ମିଳିତ ହେଲେ ।୨୭୦ . ଓଡ଼ିଶା ଇତିହାସ