ପୃଷ୍ଠା:Odisha Itihasa.pdf/୨୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୨୪ ଫେବ୍ରୁଆରି ମାସରେ ଅସୁସ୍ଥତାଯୋଗୁଁ ମହାତ୍ମାଗାନ୍ଧୀକୁ ଜେଲରୁ ମୁକ୍ତ କରି ଦିଆଗଲା । ସେହି ବର୍ଷ ଗୋପବନ୍ଧୁ ଦାସ ମଧ୍ୟ ଜେଲ୍‍ରୁ ମୁକ୍ତ ହେଲେ । ଏହା ଓଡ଼ିଶାରେ କଂଗ୍ରେସର କାର୍ଯ୍ୟକୁ ଚଳଚଞ୍ଚଳ କଲା । ୧୯୨୮ ଜୁନ୍ ୧୭ ତାରିଖରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗୋପବନ୍ଧୁ ଦାସ ଏଣିକି ହେଲେ ଉତ୍କଳ କଂଗ୍ରେସ ଶାଖାର ସର୍ବୋଚ୍ଚ ନେତା । ୧୯୨୫ ଅଗଷ୍ଟ ମାସରେ ତାଙ୍କ ଅନୁରୋଧରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସି କଟକରେ ମଧୁସୂଦନ ଦାସଙ୍କ ଅତିଥି ହୋଇଥିଲେ ଏବଂ ମଧୁସୂଦନ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସ୍ୱଦେଶୀ ଚମଡ଼ା ଉଦ୍ୟୋଗ ଉତ୍କଳ ଟେନେରୀକୁ ପତନରୁ ରକ୍ଷା କରିବାପାଇଁ ଲୋକଙ୍କୁ ନିବେଦନ କରିଥିଲେ । ୧୯୨୭ ଡିସେମ୍ବରରେ ଗାନ୍ଧୀ ପୁଣି ଥରେ ଓଡ଼ିଶା ଆସି ପ୍ରାୟ ତିିନି ସପ୍ତାହ କାଳ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ । ଏହା ଗୋପବନ୍ଧୁଙ୍କ ସଂଯୋଜନାରେ ସଂଘଟିତ ହୋଇଥିବାରୁ ଗୋପବନ୍ଧୁ ଓ ଅସହଯୋଗୀ ଗୋଷ୍ଠୀଙ୍କ ମହତ୍ତ୍ୱକୁ ପ୍ରତିପାଦନ କଲା ।

୧୯୨୮ରେ ଯେତେବେଳେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ କଲିକତାଠାରେ ଆୟୋଜିତ ହେଲା, ତହିଁରେ ୩୦୦ କର୍ମୀ ଓଡ଼ିଶାରୁ ଯୋଗ ଦେଲେ । ସେମାନେ ଦୃଢ଼ ଭାବରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ମଧ୍ୟ ସମ୍ମିଳନୀରେ ରଖିଲେ । ଫଳରେ ପ୍ରାଦେଶିକତା ଓ ରାଷ୍ଟ୍ରୀୟତା ମଧ୍ୟରେ ଅନୁପୂରକତା ସୁସ୍ପଷ୍ଟ ହେଲା । ଏହା ପୂର୍ବରୁ ୧୯୨୮ ଫେବ୍ରୁଆରି ୩ ତାରିଖ ଦିନ ଭାରତର ଶାସନ ସଂସ୍କାର ପ୍ରସଙ୍ଗକୁ ଅନୁଧ୍ୟାନ କରିବାଲାଗି ଇଂଲଣ୍ଡରୁ ସାଇମନ କମିସନ ଆସି ପହଞ୍ଚିଲେ । ଦେଶର ଚାରିଆଡ଼େ ତା'ର ବିରୋଧ ହେଲା । ଓଡ଼ିଶାରେ ମଧ୍ୟ ଜାତୀୟତାବାଦୀମାନେ ଏକଜୁଟ ହୋଇ କମିସନଙ୍କୁ ବର୍ଜନ କଲେ, କାରଣ ତହିଁରେ କୌଣସି ଭାରତୀୟଙ୍କୁ ସଭ୍ୟ ଭାବରେ ରଖା ଯାଇ ନଥିଲା । ଏହି ସମୟରେ କନିକା ଜମିଦାର ରାଜେନ୍ଦ୍ର ନାରାୟଣ ଭଂଜଦେଓ, ଲକ୍ଷ୍ମୀଧର ମହାନ୍ତି ଓ ଶ୍ରୀକୃଷ୍ଣ ମହାପାତ୍ର ଆଦି କେତେକ ଇଂରେଜ ଅନୁଗତ ଓଡ଼ିଶା ଲିବରାଲ୍‍ ଲିଗ୍‍ ନାମରେ ଏକ ଅନୁଷ୍ଠାନ ଗଢ଼ି କମିସନଙ୍କୁ ସ୍ୱାଗତ କରିଥିଲେ । ସେମାନଙ୍କ ଯୁକ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିବ । ଅବଶ୍ୟ ମୁଷ୍ଟିମେୟ ଲୋକଙ୍କୁ ବାଦ ଦେଲେ ଏହି ଲିଗ୍‍ ନାମକ ସଂସ୍ଥାରେ କେହି ନଥିଲେ । ଏଭଳିକି ଲକ୍ଷ୍ମୀ ନାରାୟଣ ସାହୁ, ମଥୁରାନନ୍ଦ ମହାନ୍ତି, କୃତ୍ତିବାସ ନନ୍ଦ ଓ ଆନନ୍ଦ ଦାସ ଆଦି ନେତୃବୃନ୍ଦ, ଯେଉଁମାନେ ଆରମ୍ଭରୁ ଲିଗ୍‍ରେ ଥିଲେ, ପରେ ଲିଗ୍‍ରୁ ତ୍ୟାଗପତ୍ର ଦେଇ ସାଇମନ୍‍ କମିସନ୍‍ର ବିରୋଧ କରିଥିଲେ ।

୧୯୨୯ରେ କଂଗ୍ରେସର ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନପାଇଁ ନିଷ୍ପତ୍ତି ନିଆଗଲା । ସେ ଅନୁଯାୟୀ ଓଡ଼ିଶାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲା । ୧୯୨୮ ଜୁନ୍ ୧୭ ତାରିଖରେ ଗୋପବନ୍ଧୁ ଦାସଙ୍କର ମାତ୍ର ୫୦ ବର୍ଷ ବୟସରେ ଦେହାନ୍ତ ହେବା ପରେ ଗୋପବନ୍ଧୁ ଚୌଧୁରୀ ଓଡ଼ିଶାରେ କଂଗ୍ରେସର ସଭାପତି ଅର୍ଥାତ୍‍ ସର୍ବୋଚ୍ଚ ନେତା ହେଲେ ।

୧୯୩୦ ଆଇନ୍‍ ଅମାନ୍ୟ ଆନ୍ଦୋଳନର ପ୍ରମୁଖ ଆକର୍ଷଣ ଥିଲା ଲବଣ ଆଇନକୁ ଉଲ୍ଲଙ୍ଘନ କରିବା । ମହାତ୍ମାଗାନ୍ଧୀ ୧୨ ମାର୍ଚ୍ଚ ୧୯୩୦ରେ ପ୍ରସିଦ୍ଧ ଦାଣ୍ଡିଯାତ୍ରା ଆରମ୍ଭ କରି ଏହାର ଶୁଭାରଂଭ କରିଥିଲେ । ୭୮ଜଣ ସହକର୍ମୀଙ୍କ ସହିତ ସେ ସାବରମତି ଆଶ୍ରମରୁ ପଦଯାତ୍ରା କରି ୩୭୫{{right|ଓଡ଼ିଶା ଇତିହାସ . ୨୭୧