ପୃଷ୍ଠା:Odisha Itihasa.pdf/୨୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଲୋମିଟର ଦୂର ସମୁଦ୍ର ତଟସ୍ଥିତ ଦାଣ୍ଡିରେ ପହଞ୍ଚିଲେ ଏବଂ ଆଇନ୍‍ ଅମାନ୍ୟ କରି ଲୁଣ ମାରିଲେ । ତାଙ୍କର ପଦଯାତ୍ରା ଓ ଆଇନ ଅମାନ୍ୟ ଦେଶର ଚାରିଆଡେ଼ ଉତ୍ସାହ ସୃଷ୍ଟି କଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତି ଅଭୂତପୂର୍ବ ଗଣ ସମର୍ଥନ ଦେଖିବାକୁ ମିଳିଲା । ଏହାର କାରଣ ଥିଲା ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ । ସରକାରଙ୍କ ଲବଣ ନୀତିଯୋଗୁଁ ସ୍ଥାନୀୟ ଲୋକେ ଆଗ ଭଳି ଲୁଣ ମାରି ପାରୁ ନଥିଲେ । କଂଗ୍ରେସର ନୂଆ ଆନ୍ଦୋଳନ ଲୋକଙ୍କୁ ବିନା ଅପରାଧବୋଧରେ ଲୁଣ ମାରିବାନିମନ୍ତେ ସାହସ ଓ ସୁଯୋଗ ପ୍ରଦାନ କଲା । ଲୁଣ ମରା ବ୍ୟତୀତ ଆନ୍ଦୋଳନ; ବିଦେଶୀ ବସ୍ତ୍ର ବର୍ଜନ, ବ୍ରିଟିଶ୍‍ ପୋଲିସ ଓ ସରକାରଦ୍ୱାରା ଗ୍ରାମରେ ନିଯୁକ୍ତ ଚୌକିଦାର ପାଇଁ ଆଦାୟ ହେଉଥିବା ଟିକସକୁ ମଧ୍ୟ ବର୍ଜନ କରିବାକୁ ଆହ୍ୱାନ ଦେଲା ।

କଂଗ୍ରେସ କର୍ମୀ ସ୍ୱେଚ୍ଛାସେବୀ ସଂଗଠନ ଓ ବାନର ସେନା ଗଠନ କଲେ ଏବଂ ତା' ମାଧ୍ୟମରେ ବିଦେଶୀ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନଗୁଡ଼ିକ ଆଗରେ ପିକେଟିଂ କଲେ । ଗ୍ରାମେ ଗ୍ରାମେ ସଂକୀର୍ତ୍ତନ ଦଳମାନ ପୂର୍ଣ୍ଣ ସ୍ୱରାଜର ବାର୍ତ୍ତା ପ୍ରଚାର କଲେ । ସଂକୀର୍ତ୍ତନ ଦଳ ସାଧାରଣତଃ ମନ୍ଦିରମାନଙ୍କରୁ ବାହାରି ଶୋଭାଯାତ୍ରାରେ ଯାଉଥିଲେ । ଲବଣ ସତ୍ୟାଗ୍ରହରେ ଭାଗ ନେବାକୁ ଯାଉଥିବା ସତ୍ୟାଗ୍ରହୀମାନଙ୍କୁ ଉଦ୍‍ବୁଦ୍ଧ କରିବାଲାଗି ମନ୍ଦିରମାନଙ୍କରେ ପୂଜାର ଆୟୋଜନ କରାଯାଉଥିଲା । ଜଗନ୍ନାଥଙ୍କ ନାମରେ ଶପଥ ନେଇ ଲୋକେ ସତ୍ୟାଗ୍ରହରେ ଭାଗ ନେବାକୁ ଯାଉଥିଲେ । ଏହି ଦୃଷ୍ଟିରୁ ଦେଖିଲେ, ଓଡ଼ିଶାରେ ଆଇନ ଅମାନ୍ୟ ଏକ ରକମର ସାଂସ୍କୃତିକ ଆନ୍ଦୋଳନ ହେବାକୁ ପ୍ରୟାସ କରିଥିଲା । ଲୋକ ସ୍ତରରେ, ରାଜନୀତି ସ୍ଥାନୀୟ ଧର୍ମ ଓ ସଂସ୍କୃତି ସହ ଜଡ଼ିତ ହୋଇ ଯାଇଥିଲା ।

ଆଇନ ଅମାନ୍ୟ ସମୟରେ ଆନ୍ଦୋଳନ ବିବିଧ ରୂପ ନେଇଥିଲା । ସଂକୀର୍ତ୍ତନ ଦଳ ଖଦିର ପ୍ରସାର ଓ ନିଶା ନିବାରଣପାଇଁ ପ୍ରଚାର କାର୍ଯ୍ୟ କରୁଥିଲେ । ୧୪ ଜାନୁଆରି ୧୯୩୦ରେ କଲିକତାସ୍ଥ ଗୋବିନ୍ଦଚନ୍ଦ୍ର ସେନ ଅଂଚଳର ପ୍ରବାସୀ ଓଡ଼ିଆମାନେ 'ତ୍ରିନାଥ ମେଳା'ରେ ଗଂଜେଇ ସେବନକୁ ବାରଣ କରି ଆଇନ ଅମାନ୍ୟରେ ସହଭାଗୀ ହୋଇଥିଲେ । ଏହି ସମୟରେ କଟକରେ ଗଦାଧର ଦତ୍ତ ନାମକ ଜଣେ ଯୁବକ ବିବାହ ବେଳେ ଖଦି ବସ୍ତ୍ର ପିନ୍ଧିଥିଲେ ଏବଂ ମଣ୍ଡପକୁ ଖଦି ବସ୍ତ୍ରରେ ସଜେଇଥିଲେ । କଂଗ୍ରେସ ଓ ଜାତୀୟତା ସହ ନିଜକୁ ଯୋଡ଼ି ସେ ଯୌତୁକବିହୀନ ବିବାହ କରିଥିଲେ ।

ଗାନ୍ଧୀଙ୍କର ଦାଣ୍ଡିଯାତ୍ରା ସମୟରେ ବାଲେଶ୍ୱରର ଇଂଚୁଡ଼ିଠାରେ ଲୁଣ ମାରିବାକୁ ସ୍ଥିର କରାଗଲା । ଓଡ଼ିଶାର ବିଭିନ୍ନ ଅଂଚଳରୁ ସତ୍ୟାଗ୍ରହୀ ଇଂଚୁଡ଼ି ଅଭିମୁଖେ ଯାତ୍ରା କଲେ । ଇଂଚୁଡ଼ିର ଏହି ଲବଣ ସତ୍ୟାଗ୍ରହକୁ ସମ୍ବାଦପତ୍ରରେ 'ସତ୍ୟାଗ୍ରହ ଯୁଦ୍ଧ' ବୋଲି କୁହାଯାଉଥିଲା । ଲୋକେ କଂଗ୍ରେସର ସାହସ ପାଇ ସେଠାରେ ସରକାରୀ କର୍ମଚାରୀମାନଙ୍କୁ ଗୋଟେ ବୁନ୍ଦା ପାଣି ସୁଦ୍ଧା ପିଇବାକୁ ଦେବେ ନାହିଁ ବୋଲି କହୁଥିଲେ । କେତେକ ସ୍ଥାନରେ ଲୁଣରେ କାଚ ଓ କଣ୍ଟା ମିଶାଇ ଦିଆଯାଇଥିଲା । ପୋଲିସ୍‍ ଲୁଣକୁ ବାଜ୍ୟାପ୍ତ କଲେ ସେମାନଙ୍କ ହାତ ଏହାଦ୍ୱାରା କ୍ଷତାକ୍ତ ହେବ ବୋଲି ମନେ କରାଯାଉଥିଲା । ଇଂଚୁଡ଼ି ସତ୍ୟାଗ୍ରହରେ ସଂଗୃହୀତ ଲୁଣକୁ ଲୋକେ ଆଦରରେ୨୭୨ . ଓଡ଼ିଶା ଇତିହାସ