ପୃଷ୍ଠା:Odisha Itihasa.pdf/୨୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଜାରରେ କିଣୁଥିଲେ ଏବଂ ଲୁଣ କିଣୁଥିବା ବ୍ୟକ୍ତିକୁ ପୋଲିସ୍‍ ଗିରଫ କଲେ ମିଳିମିଶି ତାକୁ ପୋଲିସ୍‍ କବଳରୁ ମୁକ୍ତ କରୁଥିଲେ । ଏହି ପ୍ରକ୍ରିୟାରେ ଲୁଣ ମାରିବା ପରି ଲୁଣ କିଣିବା ଏବଂ ପୋଲିସର ବିରୋଧ କରିବା, ଆଇନ ଅମାନ୍ୟ ଆନ୍ଦୋଳନର ପର୍ଯ୍ୟାୟଭୁକ୍ତ ହେଲା । ଲବଣ ସତ୍ୟାଗ୍ରହରେ ଭାଗ ନେଇଥିବା କର୍ମୀ ପରବର୍ତ୍ତୀ ସମୟରେ ଭାରତ ଛାଡ଼ ଆନ୍ଦୋଳନର ପ୍ରମୁଖ ନେତୃତ୍ୱ ନେଲେ । ଇଂଚୁଡ଼ି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଆଦି କଂଗ୍ରେସ ନେତା । ଏଥିରେ ଶତାଧିକ ଲୋକ ଭାଗ ନେଇଥିଲେ । ଲୁଣ ମାରିବାର ପାରମ୍ପରିକ ଅଧିକାର ଫେରି ପାଇବା ଆଶାରେ ଅନେକ ସାଧାରଣ ଲୋକ ଏଥିରେ ସାମିଲ୍‍ ହେଲେ ଏବଂ ତା' ମାଧ୍ୟମରେ କଂଗ୍ରେସ ରାଜନୀତି ସହ ପରିଚିତ ହେଲେ । ଇଂଚୁଡ଼ି ଲବଣ ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ୱରେ ଅନେକ ମହିଳାଙ୍କର ଅଂଶ ଗ୍ରହଣ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଥିଲା । ଜାତୀୟ ସଂଗ୍ରାମରେ ଏଣିକି ଅଧିକରୁ ଅଧିକ ମହିଳା ଭାଗନେଲେ । ଦ୍ୱିତୀୟତଃ, ମହିଳା ପୋଲିସର ଅଭାବରେ ସେମାନଙ୍କୁ ଗିରଫ କରାଯାଇ ପାରୁ ନଥିବାରୁ ମହିଳାମାନେ ଲୁଣ ମାରିବା, ଲୁଣ ବିକ୍ରୀ କରିବା ଆଦି ବିଭିନ୍ନ ଆଇନ ଅମାନ୍ୟ ସଂପର୍କିତ କାର୍ଯ୍ୟରେ ଅଧିକ ଉପଯୋଗୀ ପ୍ରମାଣିତ ହେଲେ । ଇଂଚୁଡ଼ି ବ୍ୟତୀତ କଟକର କୁଜଙ୍ଗ, ପୁରୀର କୁହୁଡ଼ି, ସିଂହେଶ୍ୱର ଓ ଲଟ୍ର ଏବଂ ଗଞ୍ଜାମ ଜିଲ୍ଲାର ହୁମାଠାରେ ଲବଣ ସତ୍ୟାଗ୍ରହ ଆୟୋଜିତ ହୋଇଥିଲା । ବର୍ଷାଋତୁ ଆରମ୍ଭ ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଅବ୍ୟାହତ ରହିଥିଲା । ସତ୍ୟାଗ୍ରହୀମାନେ ଶତାଧିକ ସଂଖ୍ୟାରେ ଗିରଫ ହେଲେ । ଲବଣ ସତ୍ୟାଗ୍ରହ, ବିଶେଷ କରି ଇଂଚୁଡ଼ି ଆନ୍ଦୋଳନଯୋଗୁଁ ସମଗ୍ର ଦେଶରେ ଓଡ଼ିଶା ଚର୍ଚ୍ଚାର ପରିସରକୁ ଆସିଲା । ଅନେକଙ୍କ ମତରେ ଦାଣ୍ଡି ପରେ ଇଂଚୁଡ଼ି ଥିଲା ଆଇନ ଅମାନ୍ୟ ସମୟର ସର୍ବବୃହତ୍‍ ଲବଣ ସତ୍ୟାଗ୍ରହ ।

ବର୍ଷା ଋତୁରେ ଲବଣ ସତ୍ୟାଗ୍ରହ ସ୍ଥଗିତ ହେଲା । ମାତ୍ର ଆନ୍ଦୋଳନକୁ ଅବ୍ୟାହତ ରଖିବା ନିମିତ୍ତ ଚୌକିଦାରୀ ଟିକସର ବିରୋଧକୁ ଏହି ସମୟରେ ମହତ୍ତ୍ୱ ଦିଆଗଲା । ଇଂରେଜମାନଙ୍କ ସମୟରେ ହିଁ ଲୋକଙ୍କ ଉପରେ ନୂଆକରି ଚୌକିଦାରୀ ଟିକସ ଲାଗୁ କରାଯାଇଥିଲା । ଟିକସ ନାମରେ ଏହି ବୋଝକୁ ଲୋକ ବିରୋଧ କରୁଥିଲେ । ଟିକସକୁ ବିରୋଧ କରିବା ପଛରେ ଅନ୍ୟ ଏକ କାରଣ ହେଲା ଯେ, ଚୌକିଦାରମାନେ ପୋଲିସ୍‍ ପ୍ରଶାସନପାଇଁ ଗ୍ରାମରେ ଗୁପ୍ତଚରର କାମ କରୁଥିଲେ ଏବଂ ସେମାନଙ୍କଯୋଗୁଁ ଅନେକ ସମୟରେ ବିନା କାରଣରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଥିଲା । ଆଇନ ଅମାନ୍ୟ ଆନ୍ଦୋଳନକୁ ଚଉକିଦାରୀ ଟିକସ ଉଚ୍ଛେଦ କରିବାଲାଗି ଏକ ଅବସର ମନେକରି ଲୋକ ଚାରିଆଡେ଼ ଏହି ଟିକସର ବିରୋଧ କଲେ । ବାଲେଶ୍ୱରର ଶ୍ରୀଜଙ୍ଗଠାରେ ଗ୍ରାମବାସୀ ଟିକସର ବିରୋଧ କରି ପୋଲିସ ଉପରେ ଆକ୍ରମଣ କରିଥିଲେ ।

ଆଇନ ଅମାନ୍ୟ ସମୟରେ କଟକରୁ ପ୍ରକାଶିତ 'ସମାଜ' ଓ ବାଲେଶ୍ୱରରୁ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ପ୍ରକାଶିତ 'ପ୍ରଜାତନ୍ତ୍ର' କଂଗ୍ରେସର ମୁଖପତ୍ର ଭଳି ସମାଚାରମାନ ପ୍ରକାଶ{{right|ଓଡ଼ିଶା ଇତିହାସ . ୨୭୩