ପୃଷ୍ଠା:Odisha Itihasa.pdf/୨୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିଲେ । ଆନ୍ଦୋଳନ ବେଳେ ଏହି ଦୁଇ ପତ୍ରିକାକୁ ନିଷିଦ୍ଧ ଘୋଷଣା କରାଗଲା । ଏହି ସମୟରେ ଅନେକ କ୍ଷୁଦ୍ର ପୁସ୍ତିକା ମଧ୍ୟ କଂଗ୍ରେସର ବାର୍ତ୍ତା ପ୍ରଚାର କରୁଥିଲେ । 'ସ୍ୱରାଜ୍ୟ ପାଲା', 'ପଲାସୀ ଅବସାନେ', 'ବିଦ୍ରୋହ ବୀଣା', 'ବୀର ବିଦ୍ରୋହୀ', 'ଖଟାମିଠା ଚଟଣି, 'ଲୁଣମରା ଗୀତ' ଓ 'ଅରଟ ମହିମା' ଆଦି ହେଲେ ସେହି ଧରଣର କେତେକ ପୁସ୍ତିକା । ଏଗୁଡ଼ିକ ମଧ୍ୟରୁ ଅନେକେ ଇଂରେଜ ଶାସନ ପ୍ରତି ତୀବ୍ର ବ୍ୟଙ୍ଗ କରିବାକୁ ସାହସ କରିଥିଲେ ଏବଂ ଖୁବ୍‍ ଜନ ଆଦୃତି ମଧ୍ୟ ଲାଭ କରିଥିଲେ । ୧୯୩୦ରେ ଜାତୀୟ କଂଗ୍ରେସକୁ ସରକାର ବେଆଇନ୍‍ ଘୋଷଣା କଲେ । ଏହା ସହିତ କଂଗ୍ରେସ ଅଫିସ୍‍ ଓ ଆଶ୍ରମଗୁଡ଼ିକୁ ବାଜ୍ୟାପ୍ତ କରିନେଲେ ଏବଂ ସେଠାକାର କାଗଜପତ୍ରକୁ ନଷ୍ଟ କରିଦେଲେ । ବରୀରେ ସ୍ଥାପିତ ଆଶ୍ରମ, ସତ୍ୟବାଦୀ, ବାଲେଶ୍ୱରର 'ପ୍ରଜାତନ୍ତ୍ର' ଓ କଟକର 'ସମାଜ' ଅଫିସ୍‍ ପୋଲିସ ଆକ୍ରମଣର ଶିକାର ହେଲା । କଂଗ୍ରେସ ନିଷିଦ୍ଧ ଘୋଷଣା ହେବା ପରେ ବାଲେଶ୍ୱରର ଫରାସୀ ଡିଙ୍ଗାରୁ କଂଗ୍ରେସ କର୍ମୀମାନେ ଆନ୍ଦୋଳନକୁ ସଂଯୋଜନା କଲେ । ଫରାସୀ ଡିଙ୍ଗା ଥିଲା ଫରାସୀ ଶାସନାଧୀନ ଏବଂ ସେଠାରେ ବ୍ରିଟିଶର ପ୍ରବେଶ ନଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ୱର ଅଞ୍ଚଳରେ ସଭା ସମିତି ଆୟୋଜନ କରି ପୋଲିସଠାରୁ ରକ୍ଷାପାଇବାପାଇଁ ଫରାସୀ ଡିଙ୍ଗାକୁ ଚାଲି ଯାଉଥିଲେ । ଫରାସୀ ଡିଙ୍ଗାରୁ 'ରଣଭେରି' ନାମକ ଏକ ପୁସ୍ତିକା ପ୍ରକାଶିତ ହୋଇ ତହିଁରେ ଆନ୍ଦୋଳନର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସୂଚନା ଦିଆଯାଉଥିଲା । 'ରଣଭେରୀ' ପୋଲିସ ଅତ୍ୟାଚାରର କାହାଣୀ ପ୍ରକାଶନ କରି ସରକାରଙ୍କ ଜନବିରୋଧୀ ରୂପକୁ ଦର୍ଶାଉଥିଲା ।

୧୯୩୧ ମାର୍ଚ୍ଚ ମାସରେ ଗାନ୍ଧୀ ଓ ବଡ଼ଲାଟ ଇରଓ୍ୱିନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଚୁକ୍ତି ଅନୁଯାୟୀ ରାଜନୈତିକ ବନ୍ଦୀମାନଙ୍କୁ ଜେଲରୁ ଖଲାସ କରି ଦିଆଗଲା । ଏହାକୁ ଲୋକେ ଗାନ୍ଧୀଙ୍କର ବିଜୟ ବୋଲି ମନେକଲେ । ପୋଲିସକୁ ଗ୍ରାମ ଛାଡ଼ି ଚାଲିଯିବାକୁ ଦାବିକରି ବାଲେଶ୍ୱରର ଶ୍ରୀଜଙ୍ଗଠାରେ ଲୋକେ ଥାନା ଉପରେ ଆକ୍ରମଣ କଲେ । ସାହସର ସହିତ ସେମାନେ ଲୁଣ ମଧ୍ୟ ମାରିଲେ । କେତେକ ସ୍ଥାନରେ ଚୌକିଦାରର ପୋଷାକକୁ କାଢ଼ି ଖଦି ପିନ୍ଧାଇ ଦେଲେ । ଡାକବାକ୍ସ ଓ ରେଭି୍ୟୁ ଅଫିସ୍‍ ଉପରେ ମଧ୍ୟ ଆକ୍ରମଣ ଦେଖିବାକୁ ମିଳିଲା ।

୧୯୩୧ରେ ଗାନ୍ଧୀ-ଇରଓ୍ୱିନ୍‌ଙ୍କ ଚୁକ୍ତି ପରେ ଆଇନ୍‍ ଅମାନ୍ୟ ଆନ୍ଦୋଳନର ତୀବ୍ରତା ଊଣା ହେଲା । ଏହି ସମୟରେ ରଚନାତ୍ମକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଗଲା । ଆଶ୍ରମ, ସେବାଦଳ, ସ୍ୱେଚ୍ଛାସେବୀ ସଂଗଠନ ଆଦିର ଗଠନ, ଖଦିର ପ୍ରଚାର-ପ୍ରସାର, ଜାତୀୟ ବିଦ୍ୟାଳୟ ସ୍ଥାପନ, ଅସ୍ପୃଶ୍ୟତା ଓ ନିଶା ବିରୁଦ୍ଧରେ ଆନ୍ଦୋଳନ, ନାରୀମୁକ୍ତି ଓ ବିଦେଶୀ ବସ୍ତ୍ର ବର୍ଜନ ଉପରେ କଂଗ୍ରେସ ଲୋକ ଗୁରୁତ୍ୱ ଦେଲେ । ୧୯୩୧ ଅଗଷ୍ଟ ୧ ତାରିଖରେ କୁନ୍ତଳା କୁମାରୀ ସାବତଙ୍କ ସଭାପତିତ୍ୱରେ ବାଲେଶ୍ୱରରେ ଏକ ନାରୀ କର୍ମୀମଣ୍ଡଳ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବକ୍ତାମାନେ ପର୍ଦ୍ଦା ଓ ଅସ୍ପୃଶ୍ୟତା ପରିତ୍ୟାଗ କରି ନାରୀମାନଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପରାମର୍ଶ ଦେଲେ ।୨୭୪ . ଓଡ଼ିଶା ଇତିହାସ