ପୃଷ୍ଠା:Odisha Itihasa.pdf/୨୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଶର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶରେ ଖାନ୍‍ ଅବଦୁଲ୍‍ ଗଫର ଖାନ୍‍ଙ୍କ ନେତୃତ୍ୱରେ ଏହି ସମୟରେ 'ରେଡ଼୍‍ ସାର୍ଟ' ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ଗୋପବନ୍ଧୁ ଚୌଧୁରୀ ଓ ସୁରେନ୍ଦ୍ରାଥ ଦାସଙ୍କ ନେତୃତ୍ୱରେ ବାଲେଶ୍ୱରରେ 'ଲାଲ୍‍ ପାଇକ ବାହିନୀ' ଗଠନ କରାଯାଇଥିଲା । ବାହିନୀର ସଦସ୍ୟମାନେ ନାଲି ସାର୍ଟ ଓ ଗାନ୍ଧୀ ଟୋପି ପରିଧାନ କରୁଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ବେଳେ ଲୋକଙ୍କୁ ସେବା ପ୍ରଦାନ କରିବା ବାହିନୀର ଲକ୍ଷ୍ୟ ବୋଲି କୁହାଯାଉଥିଲା । ମାତ୍ର ସରକାରର ସନ୍ଦେହ, ଏହା ଇଂରେଜ ସାମରିକ ବାହିନୀର ସମାନ୍ତରାଳ ଦଳ । ୧୯୩୦ ସେପ୍ଟେମ୍ବରରେ କଟକଠାରେ 'ଗୋପବନ୍ଧୁ ସେବକ ବାହିନୀ' ଗଠନ କରି ତା' ମାଧ୍ୟମରେ କର୍ମୀମାନଙ୍କୁ ତାଲିମ ଦିଆଯାଉଥିଲା । ଏଭଳି ଏକ ତାଲିମ ଶିବିରରେ କଟକରେ ୧୯ଜଣ ପୁରୁଷ ଓ ୨ ଜଣ ମହିଳା କର୍ମୀ ପ୍ରଶିକ୍ଷଣ ପାଇଥିବାର ସଂବାଦ ପ୍ରକାଶିତ ହୋଇଥିଲା । ପୁରୀ ଓ ବାଲେଶ୍ୱରରେ ମଧ୍ୟ ଏହି ଧରଣର ତାଲିମ ଶିବିର ଆରମ୍ଭ ହୋଇଥିଲା ଯାହାକୁ ସରକାର ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ।

ଅସ୍ପୃଶ୍ୟତା ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନର ପ୍ରଭାବରେ ଅଗଷ୍ଟ ୧୯୩୨ରେ କଟକ ମ୍ୟୁନିସିପାଲିଟିରେ କାର୍ଯ୍ୟ କରୁଥିବା ମେହେନ୍ତରମାନେ ସେମାନଙ୍କ ଦାବି ପୂରଣପାଇଁ ଧର୍ମଘଟ କରିଥିଲେ । ଦାବିଗୁଡ଼ିକ ମଧ୍ୟରେ କାର୍ଯ୍ୟରୁ ନିଲମ୍ବିତ ମେହେନ୍ତରଙ୍କ ବାହାଲି, ସ୍ତ୍ରୀ ମେହେନ୍ତରମାନଙ୍କୁ ଗୃହଯୋଗାଣ ଓ ମାସିକ ଭତ୍ତାରୁ କଟାଯାଉଥିବା ଏକ ଟଙ୍କା ବ୍ୟବସ୍ଥାକୁ ବନ୍ଦ କରିବା ଆଦି ସାମିଲ୍‍ ଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଅବ୍ୟାହତ ରହିବ ବୋଲି ମେହେନ୍ତରମାନେ ଘୋଷଣା କରିଥିଲେ ।

୧୯୩୪ ବେଳକୁ ଆଇନ ଅମାନ୍ୟ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶିଥିଳ ପଡ଼ିଗଲା । ଗାନ୍ଧୀ ବା ଅନ୍ୟ କଂଗ୍ରେସ ନେତା ଏହାକୁ ପ୍ରତ୍ୟାହାର କରିନେବାକୁ କୌଣସି ନିଷ୍ପତ୍ତି ନେଇ ନଥିଲେ । ତା' ସତ୍ତ୍ୱେ ଆନ୍ଦୋଳନ ଆପେ ଆପେ ଶିଥିଳ ହୋଇଗଲା । ମାତ୍ର ୧୯୪୨ର 'ଭାରତ ଛାଡ଼' ଭଳି ଏକ ବୃହତ୍ତର ଆନ୍ଦୋଳନଲାଗି ପ୍ରସ୍ତୁତ ହେବାପାଇଁ ଏହା ଏକ ଅବସର ପ୍ରଦାନ କଲା । ଏହି ସମୟରେ ଗାନ୍ଧିଜୀ 'ହରିଜନ'ମାନଙ୍କର ମନ୍ଦିରରେ ପ୍ରବେଶ ଦାବିକରି ପଦଯାତ୍ରା ଆରମ୍ଭ କଲେ । ସେ ଓଡ଼ିଶାରେ ମଧ୍ୟ 'ହରିଜନ ଯାତ୍ରା' କରିଥିଲେ ।

୧୯୩୮ ସେପ୍ଟେମ୍ବରରେ ନବରଂଗପୁରରେ ଦଳିତ ବା 'ହରିଜନ'ମାନେ ମନ୍ଦିର ପ୍ରବେଶପାଇଁ ଉଦ୍ୟମ କଲେ । ଅନୁଗୁଳର କାଂଗୁଲା ଓ ପୋକଚୁଂଗା ଗ୍ରାମରେ ହରିଜନମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲେ । ଏଥିରେ ସବର୍ଣ୍ଣ କଂଗ୍ରେସ କର୍ମୀଙ୍କର ସହଯୋଗ ରହିଥିଲା । ୧୯୩୭ରେ ପ୍ରାଦେଶିକ ସ୍ତରରେ ଗଠିତ କଂଗ୍ରେସ ସରକାର ମଧ୍ୟ ଏହି ପ୍ରକାର ରାଜନୈତିକ ଆନ୍ଦୋଳନକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିଲେ । 'ହରିଜନ' ଓ ସବର୍ଣ୍ଣ କଂଗ୍ରେସ କର୍ମୀମାନେ ସାଧାରଣତଃ କଂଗ୍ରେସ ପତାକା ହାତରେ ଧରି ଓ ଦେଶାତ୍ମବୋଧକ ସଂଗୀତ ଗାନ କରି ମନ୍ଦିରରେ ପ୍ରବେଶ କରୁଥିଲେ । ଏହା ତତ୍‍କାଳୀନ ଅନ୍ୟ ମନ୍ଦିର ସତ୍ୟାଗ୍ରହଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହୋଇଥିଲା ।{{right|ଓଡ଼ିଶା ଇତିହାସ . ୨୭୫