ପୃଷ୍ଠା:Odisha Itihasa.pdf/୨୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋରାପୁଟର ଶିବରଂଗପୁରରେ କଂଗ୍ରେସ କର୍ମୀମାନେ ଏହି ସମୟରେ ଆଦିବାସୀ ସମାଜରେ ସଂସ୍କାର ଆଣିବାପାଇଁ ଏକ ପୁସ୍ତିକା ବିତରଣ କରୁଥିଲେ । ପୁସ୍ତିକା ସ୍ଥାନୀୟ ସ୍ତରରେ ପ୍ରକାଶିତ ହୋଇଥିଲା । ଏଥିରେ ଆଦିବାସୀମାନଙ୍କୁ କେତେକ ପରାମର୍ଶ ଦିଆଯାଇଥିଲା । ତହିଁରେ ଭଗବାନଙ୍କୁ ସର୍ବଦା ସ୍ମରଣ କରି ପରର ମଙ୍ଗଳ ମନାସିବା, ପ୍ରାତଃକାଳରେ ସ୍ନାନ କରିବା, ଅଂଗାରରେ ଦାନ୍ତ ସଫା କରିବା ତଥା ପରିଷ୍କାର ଭାବେ ଶୌଚ ହେବା, କଂଗ୍ରେସର ପରାମର୍ଶ ଅନୁଯାୟୀ ଖଦି ବସ୍ତ୍ର ପିନ୍ଧିବା, ଅନ୍ୟର ଜମିରେ ବଳପୂର୍ବକ ଫସଲ ନ କରିବା, କଂଗ୍ରେସ ସଦସ୍ୟତା ଗ୍ରହଣ କରି ତାକୁ ପ୍ରତିବର୍ଷ ନବୀକରଣ କରିବା, ମଦ ଅଫିମ ତ୍ୟାଗ କରିବା ଏବଂ ପର୍ବପର୍ବାଣିରେ ଗାଈ, ମଇଁଷିଙ୍କୁ ବଳି ନଦେଇ ସେମାନଙ୍କୁ ପୂଜା କରିବାପାଇଁ କୁହାଯାଇ ଥିଲା । ଏଥିରୁ ଜଣାଯାଏ ଯେ, ହିନ୍ଦୁ କଂଗ୍ରେସକର୍ମୀ ନିଜ ସ୍ତରରେ ଆଦିବାସୀ ସମାଜରେ କଂଗ୍ରେସ ମାଧ୍ୟମରେ ନିଜ ରୀତି ନୀତିକୁ ପ୍ରବର୍ତ୍ତନ କରିବାକୁ ଉଦ୍ୟମ କରୁଥିଲେ । ସେମାନେ ଚାହୁଁ ନଥିଲେ ଯେ, ଆଦିବାସୀ ତା' ନିଜ ଜୀବନଶୈଳୀରେ ରହୁ । ଅର୍ଥାତ୍‍ ଉପନିବେଶବାଦର ବିରୋଧ ସହିତ ଆଦିବାସୀକୁ ତା' ନିଜ ଜୀବନ ଶୈଳୀକୁ ପରିହାର କରିବାକୁ ମଧ୍ୟ କୁହାଯାଉଥିଲା । ପ୍ରାଦେଶିକ କଂଗ୍ରେସ କମିଟି ତରଫରୁ ଏ ନେଇ କୌଣସି ଲିଖିତ ନିର୍ଦେଶ ଯଦିଓ ନଥିଲା, ଏ ପ୍ରକାର ସ୍ଥାନୀୟ ଉଦ୍ୟମକୁ ବିରୋଧ ନ କରିବାଦ୍ୱାରା କମିଟି ଯେ ତାକୁ ପରୋକ୍ଷ ସମର୍ଥ ଜ୍ଞାପନ କରୁଥିଲା- ଏହା ଅନୁମାନ କରିହୁଏ ।

୧୯୩୬ ଏପ୍ରିଲ୍‍ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ସେତେବେଳକୁ ଭାରତ ସରକାର ଆଇନ-୧୯୩୫ ପ୍ରଣୀତ ହୋଇଥାଏ । ଏହି ଆଇନ ଅନୁସାରେ ୧୯୩୭ ଫେବ୍ରୁଆରି ମାସରେ ପ୍ରଦେଶଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେଲା । କଂଗ୍ରେସ ୧୯୩୫ ଆଇନର ବିରୋଧ କରୁଥିଲା । କାରଣ ଏହା ଲୋକଙ୍କ ହାତକୁ କ୍ଷମତା ହସ୍ତାନ୍ତର କରିବାଲାଗି ଉଦ୍ଦିଷ୍ଟ ନଥିଲା । ଏହା ସତ୍ତ୍ୱେ କଂଗ୍ରେସ ନିର୍ବାଚନରେ ଭାଗନେଲା । ଗାନ୍ଧିଜୀ ନିର୍ବାଚନରେ ପ୍ରଚାରପାଇଁ ସୁଦ୍ଧା ଯାଇ ନଥିଲେ । ନିର୍ବାଚନରେ ଅଧିକାଂଶ ପ୍ରଦେଶରେ କଂଗ୍ରେସକୁ ବିପୁଳ ସଫଳତା ପ୍ରାପ୍ତ ହେଲା । ଓଡ଼ିଶାରେ ମଧ୍ୟ କଂଗ୍ରେସ ଜୟ ଲାଭ କଲା । ଜୁଲାଇ ୧୯୩୭ରେ ଓଡ଼ିଶାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ିଲା ( ଏ ସଂପର୍କରେ ପରେ ଆଲୋଚନା ରହିଛି ) । କଂଗ୍ରେସର ମନ୍ତ୍ରିମଣ୍ଡଳ ଗଠନ ପରେ ଲୋକଙ୍କର କଂଗ୍ରେସଠାରୁ ଆଶା ବୃଦ୍ଧିପାଇଲା, ଲୋକ ନିର୍ଭୟ ଭାବନେଇ କଂଗ୍ରେସ କାର୍ଯ୍ୟକ୍ରମରେ ଭାଗ ନେଲେ । ୧୯୩୮ରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ପ୍ରଶିକ୍ଷଣ ଶିବିରକୁ ନିରୀକ୍ଷଣ କଲେ, ଏହା ସହଜରେ ଅନୁମିତ ହୁଏ ।

୧୯୩୮ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କର୍ମୀ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଗଲା । ସେହି ବର୍ଷ ନଭେମ୍ବର ମାସରେ କୋରାପୁଟର ଜୟପୁର ନିକଟବର୍ତ୍ତୀ ନୂଆପୁଟଠାରେ ୩୦୦ କର୍ମୀଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଲା । ଶିବିରରେ ବ୍ୟାୟାମ, ହସ୍ତତନ୍ତ, ଖଦି ପ୍ରସାର, ଅସ୍ପୃଶ୍ୟତା ନିବାରଣ, ହୋମିଓପାଥି ଓ ପ୍ରାକୃତିକ ଚିକିତ୍ସା ତଥା ଗୋପାଳନ ବିଷୟରେ୨୭୬ . ଓଡ଼ିଶା ଇତିହାସ