ପୃଷ୍ଠା:Odisha Itihasa.pdf/୨୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶେଷ ଚର୍ଚ୍ଚା ହୋଇଥିଲା । ଶିବିରାର୍ଥୀମାନେ ଜାତିଭେଦ ନମାନି ମିଳିମିଶି ଚଳୁଥିଲେ ବୋଲି ପରେ କେତେକ ସବର୍ଣ୍ଣ ଶିବିରାର୍ଥୀ ନିଜ ଗ୍ରାମରେ ସାମାଜିକ ବାସନ୍ଦର ଶିକାର ହୋଇଥିବା ସମାଚାର ପ୍ରକାଶ ପାଇଥିଲା । କଟକର ଅହିୟାସ ଗ୍ରାମରେ ଆୟୋଜିତ ଏକ କର୍ମୀ ପ୍ରଶିକ୍ଷଣ ଶିବିରରେ ନବକୃଷ୍ଣ ଚୌଧୁରୀ ସଂଯୋଜକର ଭୂମିକା ନେଇଥିଲେ । ଏଥିରେ ବିଶ୍ୱ ଇତିହାସ, ଭୂଗୋଳ, ସାମ୍ରାଜ୍ୟବାଦୀ ଶୋଷଣ, ୧୮୫୭ ଗଣସଂଗ୍ରାମ, ତିଳକ, ଗାନ୍ଧୀ, ନେହେରୁ ତଥା ମାର୍କସଙ୍କ ବିଚାର ଉପରେ ବିଶଦ ଆଲୋଚନା କରାଯାଇଥିଲା । ଶିବିରରେ ବିଭିନ୍ନ ଇଂରାଜୀ ଓ ଓଡ଼ିଆ ସଂବାଦପତ୍ର ମଧ୍ୟ ପାଠ କରାଯାଇଥିଲା । ଗଣ ଆନ୍ଦୋଳନପାଇଁ ଏହି ଧରଣର ରାଜନୈତିକୀକରଣର ବିଶେଷ ଆବଶ୍ୟକତା ରହିଥିବା କଥା ନେତୃତ୍ୱ ଅନୁଭବ କରୁଥିଲେ । ଖୋର୍ଦ୍ଧା ନିକଟବର୍ତ୍ତୀ ବାଂକୋଳଠାରେ ଆୟୋଜିତ ଏକ ଶିବିରରେ ନୟାଗଡ଼ ଓ ଦଶପଲ୍ଲା ଗଡ଼ଜାତରୁ ମଧ୍ୟ କିଛି ଲୋକ ଆସି ଭାଗ ନେଇଥିଲେ । ଏହାର ପରିଚାଳନା ଭାର ଭଗବତୀ ଚରଣ ପାଣିଗ୍ରାହୀ, ନବକୃଷ୍ଣ ଚୌଧୁରୀ ଓ ମୋହନ ଦାସ ଆଦି ଯୁବ ନେତାଙ୍କ ହାତରେ ରହିଥିଲା । ବାଲେଶ୍ୱରର ସୋର ଓ ଭୋଗରାଇ, ଖୋର୍ଦ୍ଧାର ଜଙ୍କିଆ ଓ ସମ୍ବଲପୁରର ବରଗଡ଼ଠାରେ ମଧ୍ୟ ୧୯୩୭ରୁ ୧୯୪୦ ମଧ୍ୟରେ କୃଷକ ଓ ଯୁବକ ଶିବିରମାନ ଆୟୋଜିତ ହୋଇଥିଲା । ଏକ ସ୍ୱେଚ୍ଛାସେବୀ ବର୍ଗ ଗଠନ କରି ତାହାରି ମାଧ୍ୟମରେ ବିଭିନ୍ନ ସାମାଜିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ କଂଗ୍ରେସ ପ୍ରୟାସ କରୁଥିଲା । ଏହିସବୁ ପ୍ରଶିକ୍ଷଣ ଶିବିର ପଛରେ ମୁଖ୍ୟତଃ କଂଗ୍ରେସ ଭିତରେ ଥିବା ପ୍ରଗତିଶୀଳ ଯୁବଗୋଷ୍ଠୀର (କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ) ପ୍ରମୁଖ ଭୂମିକା ରହିଥିଲା । ସ୍ଥାନୀୟ ସହଯୋଗରେ ଅଳ୍ପ ଖର୍ଚ୍ଚରେ ସେମାନେ ଶିବିର ପରିଚାଳନା କରୁଥିଲେ । ପ୍ରାଦେଶିକ ସ୍ତରରେ କଂଗ୍ରେସ ସରକାର ରହିଥିବାରୁ ପୋଲିସ ସେମାନଙ୍କପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ଅଥବା ଶିବିରାର୍ଥୀମାନଙ୍କୁ ଧମକ ଚମକ ଦେଉ ନଥିଲା । ପୋଲିସ ଓ କର୍ତ୍ତୃପକ୍ଷଙ୍କ ନିରପେକ୍ଷତାଯୋଗୁଁ ଲୋକେ ନିର୍ଭୟରେ ଶିବିରରେ ଯୋଗଦେଇ ପାରୁଥିଲେ । କେତେକ କ୍ଷେତ୍ରରେ ଗଡ଼ଜାତରୁ ମଧ୍ୟ ପ୍ରଜା ଆସି ଶିବିରରେ ଯୋଗ ଦେଉଥିଲେ ।

ଏହିସବୁ ପ୍ରଶିକ୍ଷଣ ଆୟୋଜନ ପଛରେ ସଂଭାବିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ଏକ ପ୍ରମୁଖ କାରଣ ଥିଲା । ଜାପାନ ଫାସୀବାଦୀ ଶକ୍ତି ଜର୍ମାନୀ ଓ ଇଟାଲୀ ସହିତ ଯୋଗ ଦେବା ପରେ ଭାରତ ଏବଂ ବିଶେଷକରି ପୂର୍ବତଟରେ ଅବସ୍ଥିତ ଓଡ଼ିଶା ଭଳି ରାଜ୍ୟପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଉ ଦୂର ଘଟଣା ହୋଇ ରହିଲା ନାହିଁ । ୧୯୩୯ ସେପ୍ଟେମ୍ବରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ଜାପାନ ପୂର୍ବତଟ ଦେଇ ଭାରତ ଆକ୍ରମଣ କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲା । ଉଭୟ ଇଂରେଜ ସରକାର ଓ ଭାରତର ଜାତୀୟତାବାଦୀ ନେତୃବୃନ୍ଦ ତୀବ୍ର ରୂପରେ ଫାସୀବାଦ ବିରୋଧୀ ଥିଲେ । ତେଣୁ ପ୍ରଶିକ୍ଷିଣ ଶିବିରରେ ଏକ ସ୍ୱେଚ୍ଛାସେବୀ ବର୍ଗ ନିର୍ମାଣ କରି ପାରିଲେ, ଆବଶ୍ୟକ ପଡ଼ିଲେ ତାହା ସମସ୍ୟାର ଯତ୍‍କିଞ୍ଚିତ୍‍ ମୁକାବିଲା କରିପାରିବ ବୋଲି ଆଶା ରହିଥିଲା । ଏହି କାରଣରୁ ପ୍ରତ୍ୟେକ ପ୍ରଶିକ୍ଷଣ ଶିବିରରେ ବିଶ୍ୱ ଇତିହାସ ଓ ବିଶ୍ୱଯୁଦ୍ଧ ଉପରେ ଆଲୋଚନା ହେଉଥିଲା । ସାଧାରଣତଃ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ବିଚାରରେ ବିଶ୍ୱାସ କରୁଥିବା ନେତା{{right|ଓଡ଼ିଶା ଇତିହାସ . ୨୭୭