ପୃଷ୍ଠା:Odisha Itihasa.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଯଥା: ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମୋହନ ଦାସ ଆଦି) ଆଲୋଚନାକୁ ସଂଯୋଜନା କରୁଥିଲେ । ସ୍ୱେଚ୍ଛାସେବୀ ବର୍ଗ ପୋଲିସ୍‍ ଓ ଜମିଦାରମାନଙ୍କର ଯଥେଚ୍ଛାଚାରରୁ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇଥିଲା । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଭାରତର ଇଂରେଜ ସରକାର କଂଗ୍ରେସର ବିନା ସହମତିରେ ଭାରତକୁ ତହିଁରେ ପକ୍ଷଭୁକ୍ତ କଲେ । ଏହାର ପ୍ରତିବାଦ କରି ପ୍ରାଦେଶିକ କଂଗ୍ରେସ ସରକାରମାନେ ସରକାରରୁ ଓହରିଗଲେ । ଓଡ଼ିଶାରେ ବିଶ୍ୱନାଥ ଦାସ ସରକାର ମଧ୍ୟ ଇସ୍ତଫା ଦେଲେ । ପୁଣିଥରେ କଂଗ୍ରେସ ଓ ସରକାର ମଧ୍ୟରେ ଛକାପଂଝା ଚାଲିଲା । ଏହି ସମୟରେ (୧୯୪୦ରେ) କଂଗ୍ରେସ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲା । ଏହା ଗଣ ଆନ୍ଦୋଳନ ନଥିଲା । କାରଣ ଫାସୀବାଦୀ ବିରୋଧୀ କଂଗ୍ରେସ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସରକାର ଆଗରେ ବେଶି ସମସ୍ୟା ସୃଷ୍ଟି କରିବାକୁ ଇଚ୍ଛା କରୁ ନଥିଲା । କଂଗ୍ରେସ ନେତୃବୃନ୍ଦ ଯୁଦ୍ଧର ବିରୋଧ କରିବାପାଇଁ ଲୋକଙ୍କୁ ସଭାସମିତି ମାଧ୍ୟମରେ ବୁଝାଇଲେ । ସରକାର ଲୋକଙ୍କ ପାଖରୁ ଯୁଦ୍ଧ ପାଣ୍ଠି ସଂଗ୍ରହ କରୁଥିଲେ । ଗଡ଼ଜାତ ରାଜାମାନଙ୍କ ସାହାଯ୍ୟରେ ଯୁଦ୍ଧପାଇଁ ମଜୁରିଆ ମଧ୍ୟ ସଂଗ୍ରହ କରାଯାଉଥିଲା । କଂଗ୍ରେସ ଲୋକ ଏହାର ବିରୋଧ କଲେ ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ 'ରଣଭେରୀ' ପତ୍ରିକା ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ତହିଁରେ ସରକାରକୁ ଖଜଣା ନଦେବା ସକାଶେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିରେ ଯୁବକମାନଙ୍କୁ 'ଯୁବ ଶାନ୍ତି ସେନା' ଗଠନ କରିବାକୁ ଏବଂ ନାଲି ପଗଡ଼ି ପିନ୍ଧି ପୋଲିସର ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ନିର୍ବାହ କରିବାକୁ ମଧ୍ୟ କୁହାଯାଇଥିଲା ।

ଏହି ସମୟରେ ସରକାର ଓ ପୋଲିସ ପ୍ରତି ଲୋକଙ୍କ ମନରେ ଏକ ପ୍ରକାର ନିଡ଼ର ଭାବ ଜାତ ହୋଇଥିବାର ଅନେକ ପ୍ରମାଣ ମିଳେ । ଜଳେଶ୍ୱରରେ ନକୁଳ ଶତପଥୀ ନାମକ ଜଣେ ଯୁବକ ହାଟ ମଝିରେ ଏକ ଯୁଦ୍ଧ ବିରୋଧୀ ପ୍ରଚାରପତ୍ର ଲଗାଇ ବକ୍ତୃତା ଦେବା ସମୟରେ ପୋଲିସ ହାତରେ ଗିରଫ ହେଲେ । ପୋଲିସ ପଚାରିବାରୁ ସେ ନିଜ ଠିକଣା 'ଭାରତ' ବୋଲି ଉତ୍ତର ଦେଇଥିଲେ । ଭଦ୍ରକ ଅଗରପଡ଼ା ହାଇସ୍କୁଲ୍‍ର ଜଣେ ଛାତ୍ର ଯତୀନ୍ଦ୍ର ମୋହନ ମହାପାତ୍ର 'ଚଷାଭାଇ' ଶୀର୍ଷକ ଏକ ଗୀତ ପୁସ୍ତିକା ଲେଖି ତହିଁରେ ଇଂରେଜ ସରକାରର ଆର୍ଥିକ ଶୋଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ଲୋକ ନିର୍ଭୟରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସ୍ୱଦେଶୀ, ଅସହଯୋଗ, ଅସ୍ପୃଶ୍ୟତା ଓ ନିଶା ନିବାରଣ, ସାକ୍ଷରତା ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ସେ ପୁସ୍ତିକାରେ ଆହ୍ୱାନ କରିଥିଲେ । କଂଗ୍ରେସ ସହିତ ସମ୍ବନ୍ଧ ଅତୁଟ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ଓ ଜମିଦାରମାନଙ୍କୁ ଚାଷୀଶୋଷଣ ବନ୍ଦ କରିବାକୁ ସତର୍କ କରି ଦିଆଗଲା । ପୋଲିସ ପୁସ୍ତିକାକୁ ବାଜ୍ୟାପ୍ତ କରିଥିଲେ । ସତ୍ୟାଗ୍ରହୀମାନେ ହାଟ, ମନ୍ଦିର ଆଦି ସର୍ବ ସାଧାରଣ ସ୍ଥାନରେ ନିର୍ଭୀକ ଭାବରେ ଲିଖିତ ଭାଷଣମାନ ପଢ଼ୁଥିଲେ । ତହିଁରେ ଲୋକଙ୍କୁ କୌଣସି ମତେ ଯୁଦ୍ଧପାଇଁ ଆର୍ଥିକ ସହାୟତା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯୁଦ୍ଧକୁ କୌଣସି ପ୍ରକାର ସହଯୋଗ ନଦେବାକୁ ମହାତ୍ମାଗାନ୍ଧୀଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ମଧ୍ୟ ପ୍ରଚାର୨୭୮ . ଓଡ଼ିଶା ଇତିହାସ