ପୃଷ୍ଠା:Odisha Itihasa.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଯାଇଥିଲା । ଯୁଦ୍ଧରେ ବୋମାମାଡ଼ ହେଲେ ଗାନ୍ଧିଜୀ ସରକାରଙ୍କୁ ଗାଦିଚ୍ୟୁତ କରିବେ ବୋଲି ମଧ୍ୟ କେତେକ ସ୍ଥାନରେ ପ୍ରଚାର ହୋଇଥିଲା । ଇଂରେଜ ସରକାର ଅପେକ୍ଷା ଗାନ୍ଧିଜୀ ଅଧିକ ଶକ୍ତିଶାଳୀ, ଏହି ଧାରଣା ଲୋକଙ୍କୁ ଅଧିକ ଭୟଶୂନ୍ୟ କରିଥିଲା । କୋରାପୁଟରେ ରାଧାକୃଷ୍ଣ ବିଶ୍ୱାସରାୟ ଏକ ସଭାରେ ଲୋକଙ୍କୁ କହିଥିଲେ, "ପୂର୍ବରୁ ହୁଏତ ଆମ୍ଭେମାନେ ମେଣ୍ଢା ଥିଲେ, କିନ୍ତୁ ବର୍ତ୍ତମାନ ଆମେ ମଣିଷ । ତେଣୁ ବଳପୂର୍ବକ କୌଣସି ସରକାର ଆମକୁ ଯୁଦ୍ଧରେ ସାମିଲ ହେବାପାଇଁ ବାଧ୍ୟ କରିପାରିବ ନାହିଁ ।" ସରକାର ଲୋକଙ୍କୁ ପ୍ରତିରକ୍ଷା ଚୁକ୍ତି ଦଲିଲ୍‍କୁ କିଣି ଯୁଦ୍ଧ ପାଣ୍ଠିପାଇଁ ଆର୍ଥିକ ସହଯୋଗ କରିବାକୁ ସେତେବେଳେ ବିଜ୍ଞାପନ ଓ ପ୍ରଚାରପତ୍ର ବାଣ୍ଟୁ ଥିଲେ । ଯେଉଁ ସ୍ଥାନମାନଙ୍କରେ ପ୍ରଚାରପତ୍ର ଲଗାଯାଉଥିଲା, ସେଭଳି ସ୍ଥାନରେ ସମ୍ବଲପୁର ଜିଲ୍ଲା ଭେଡେନ୍‍ର ମଙ୍ଗଲୁ ପ୍ରଧାନ ନାମକ ଜଣେ କର୍ମୀ ନିଜ ଲିଖିତ ଏକ ପ୍ରଚାରପତ୍ର ଲଗାଇ ଦେଉଥିଲେ । ଏଥିରେ ସରକାରଙ୍କ ଯୁଦ୍ଧ ଦଲିଲ୍‍କୁ ନ କିଣିବାପାଇଁ ଆହ୍ୱାନ ଦିଆଯାଇଥିଲା । ମଂଗଲୁ ପ୍ରଧାନଙ୍କ ପ୍ରଚାରପତ୍ରରେ ଲେଖାଥିଲା: "କଂଗ୍ରେସର ଆଦେଶ, ୟୁରୋପରେ ହେଉଥିବା ଯୁଦ୍ଧପାଇଁ ଆମେ ସରକାରକୁ କୌଣସି ସାହାଯ୍ୟ କରିବା ନାହିଁ । ଖଦି ବୁଣିବା ସହ ଅହିଂସାତ୍ମକ ଉପାୟରେ ଆମେ ନିଜକୁ ପ୍ରସ୍ତୁତ କରିବା । ଆମ ଭାଇମାନେ ଜାଣିବା କଥା ଯେ, ବର୍ତ୍ତମାନ ଦେଶର ପରିସ୍ଥିତିରେ ଜଣେ ଯେତେବେଳେ ନିଜକୁ ରକ୍ଷା କରିବାରେ ଅସମର୍ଥ ସେ ଅନ୍ୟକୁ କିପରି ରକ୍ଷା କରିବ ?"

ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦାଳନ ସମୟରେ ଉତ୍କଳ ପ୍ରାଦେଶିକ ସ୍ତରୀୟ ନେତୃବୃନ୍ଦ ବିଭିନ୍ନ ସ୍ଥାନରୁ ପଦଯାତ୍ରାରେ ବାହାରି ଗାନ୍ଧୀଙ୍କର ଆଦର୍ଶ ଓ ଯୁଦ୍ଧ ପରିସ୍ଥିତି ସଂପର୍କରେ ସଭାସମିତିମାନ କରୁଥିଲେ । ଏହି କ୍ରମରେ ଗୋପବନ୍ଧୁ ଚୌଧୁରୀ ବରୀରୁ ଗଣେଶ୍ୱରପୁର ପଦଯାତ୍ରା କଲେ । ନୀଳାମ୍ବର ଦାସ ସୋରରୁ ଯାଜପୁର ପଦଯାତ୍ରା କଲେ । ଲକ୍ଷ୍ମୀନାରାୟଣ ସାହୁଙ୍କ ଉଦ୍ୟମରେ ବାଲେଶ୍ୱରର ଏକ ମଦ ଦୋକାନକୁ ସଂସ୍କୃତ ଟୋଲ୍‍ରେ ପରିଣତ କରାଗଲା । ପୋଲିସ ଓ ଗିରଫଦାରି ପ୍ରତି କର୍ମୀମାନଙ୍କ ମନରେ ସୃଷ୍ଟି ହୋଇଥିବା ନିଡର ଭାବର ଏକ ଉଦାହରଣ ହେଲା ଯେ, ବ୍ୟକ୍ତିଗତ ସତ୍ୟାଗ୍ରହରେ ସାଧାରଣ କର୍ମୀ ମଧ୍ୟ ଗିରଫ ହେବାକୁ ଚାହୁଁଥିଲେ, ମାତ୍ର ପୋଲିସ କେବଳ ପ୍ରମୁଖ ନେତାଙ୍କୁ ଗିରଫ କରୁଥିଲା । ଏହାଦ୍ୱାରା ଗିରଫ ହେଉ ନଥିବା କର୍ମୀ ହତାଶ ହେଉଥିଲେ । ଜେଲ୍‍ ଯିବା ଏଣିକି ଭୟ ପରିବର୍ତ୍ତେ ସାମାଜିକ ସମ୍ମାନର ପ୍ରଶ୍ନରେ ପରିଣତ ହେଲା । କଂଗ୍ରେସ କାମରେ ଏଣିକି ଅନେକ କର୍ମୀ ଆଗ୍ରହ ପ୍ରକାଶ କରୁଥିଲେ । ସେମାନଙ୍କୁ ଦାୟିତ୍ୱ ଓ କାର୍ଯ୍ୟ ଦେଇ ନପାରିଲେ ସେମାନେ ସଂଗ୍ରାମ ପ୍ରତି ବୀତସ୍ପୃହ ହେବେ ବୋଲି ନେତୃତ୍ୱ ବୁଝି ପାରିଥିଲେ । ଏଥିପାଇଁ ଗିରଫ ହୋଇ ନଥିବା ସତ୍ୟାଗ୍ରହୀମାନଙ୍କୁ ରାଜଧାନୀ କଟକକୁ ପଦଯାତ୍ରାରେ ଆସିବାପାଇଁ କଂଗ୍ରେସ ପକ୍ଷରୁ ନିର୍ଦେଶ ଦିଆଗଲା । ରାସ୍ତାରେ ସେମାନେ ସଭା ସମିତି କରି ତହିଁରେ ଯୁଦ୍ଧ ବିରୋଧୀ ସ୍ଲୋଗାନ ଓ ଭାଷଣ ଦେବେ ବୋଲି କୁହାଯାଇଥିଲା । ଏସବୁ ସତ୍ତ୍ୱେ ଯଦି ସେମାନେ ପୋଲିସ୍‍ଦ୍ୱାରା ଗିରଫ ନହୁଅନ୍ତି, ତେବେ ସରକାର ନିଜ ଯୁଦ୍ଧନୀତି ଭୁଲ ବୋଲି ସ୍ୱୀକାର କରି ସାରିଲେଣି ଏବଂ ସେଥିପାଇଁ କଂଗ୍ରେସ ଲୋକଙ୍କୁ ଯୁଦ୍ଧ ବିରୋଧୀ ସ୍ଲୋଗାନପାଇଁ ଗିରଫ କରୁ ନାହାନ୍ତି ବୋଲି{{right|ଓଡ଼ିଶା ଇତିହାସ . ୨୭୯