ପୃଷ୍ଠା:Odisha Itihasa.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନକୁ ବିଧିବଦ୍ଧ ଭାବେ ସ୍ୱୀକାର କରି ପ୍ରଦେଶର ସୀମାରେଖା ନିର୍ଣ୍ଣୟ କରିବାଲାଗି ଏକ ସୀମା କମିସନ ଗଠନ କଲେ । ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ପ୍ରାଦେଶିକ କଂଗ୍ରେସ କମିଟି ପ୍ରଦେଶ ଗଠନପାଇଁ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଲେ । ସୀମା କମିସନ ସହିତ ନୂତନ ପ୍ରଦେଶର ସୀମାରେଖା ନିର୍ଣ୍ଣୟ କରିବାକୁ କଂଗ୍ରେସ ପକ୍ଷରୁ ନୀଳକଣ୍ଠ ଦାସଙ୍କୁ ଦାୟିତ୍ୱ ଦିଆଗଲା । ସୀମା କମିସନର ଅଧ୍ୟକ୍ଷ ଥିଲେ ସାର ସାମୁଏଲ୍‍ ଓଡ଼ୋନେଲ୍‍ ଏବଂ ଅନ୍ୟ ଦୁଇଜଣ ସଦସ୍ୟ ହେଲେ ଏଚ୍‍.ଏମ୍‍.ମେହେଟା ଓ ଆସାମର ତରୁଣରାମ ଫୁକନ୍‍ । ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି, ସଚ୍ଚିଦାନନ୍ଦ ସିହ୍ନା ଓ ନରସିଂହ ରାଜୁ କମିସନର ସହଯୋଗୀ ସଦସ୍ୟ ଭାବରେ ଯଥାକ୍ରମେ ଓଡ଼ିଆ, ହିନ୍ଦୀ ଓ ତେଲ୍‍ଗୁ ଭାଷୀ ଲୋକଙ୍କର ପ୍ରତିିନିଧିତ୍ୱ କଲେ । କମିସନର ରିପୋର୍ଟରେ ନୂତନ ପ୍ରଦେଶରେ ସମଗ୍ର ଓଡ଼ିଶା ଡିଭିଜନ, ଅନୁଗୁଳ, ପଦ୍ମପୁର, ଖଡ଼ିଆଳ ଓ ଗଂଜାମ ଅଞ୍ଚଳ ମିଶିବ ବୋଲି ଉଲ୍ଲେଖ ରହିଲା । ଓଡେ଼ାନେଲ୍‍ କମିଟି ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବା ସପକ୍ଷରେ ନ ଥିଲେ । ଏହାର ପ୍ରତିବାଦରେ ଶତାଧିକ ସଂଖ୍ୟାରେ ସ୍ମାରକପତ୍ରମାନ ସରକାରଙ୍କ ନିକଟକୁ ପଠାଗଲା । ଶେଷରେ, ନୂତନ ପ୍ରଦେଶରେ ପୂର୍ବୋକ୍ତ ଅଂଚଳ ବ୍ୟତୀତ ଗଂଜାମର ଓଡ଼ିଆ ବହୁଳ ଅଂଚଳ, ବରହମ୍‍ପୁର ସହର, ଜୟପୁର ଜମିଦାରୀ, ପାରଳାଖେମୁଣ୍ଡି ସହର ଓ ପାରଳାଖେମୁଣ୍ଡି ଜମିଦାରୀର ଏକ ତୃତୀୟାଂଶ, ଘୁମୁସର, ଆସ୍କା, କୋଦଳା, ଛତ୍ରପୁର, ସୁରଙ୍ଗୀ, ବରଦା, ଚିକିଟି ଓ ବରହମ୍‍ପୁର ତାଲୁକର ଉତ୍ତରାଂଶ ମିଶ୍ରଣ ହେବ ବୋଲି ସ୍ଥିର ହେଲା । ଏହାଛଡ଼ା ଓଡ଼ିଶାପାଇଁ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟ ଗଠିତ ହେବ ଓ ତା'ର ଜଣେ ଗଭର୍ଣ୍ଣର ରହିବେ । ୧୯୩୬ ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ୍‍ ପାର୍ଲ୍ୟାମେଣ୍ଟରେ 'କନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଓଡ଼ିଶା ଅର୍ଡ଼ର ବିଲ୍‍-୧୯୩୬' (Constitution of Orissa Order Bill-1936)ଆଗତ ହେଲା । ଏହା ପୂର୍ବରୁ ୧୯୩୪ ଫେବ୍ରୁଆରି ମାସ ୪ ତାରିଖରେ ମଧୁସୂଦନ ଦାସ, ଯାହାଙ୍କ ସ୍ୱପ୍ନ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଏହି ସ୍ୱପ୍ନକୁ ସାକାର କରିବାପାଇଁ ଯିଏ ସାରା ଜୀବନ କାର୍ଯ୍ୟ କରିଥିଲେ, ତାଙ୍କର ଦେହାନ୍ତ ହେଲା । ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଏହାର ପ୍ରଥମ ଗଭର୍ଣ୍ଣର ହେଲେ ସାର୍‍ ଜନ୍‍ ଅଷ୍ଟିନ୍ ହବାକ୍‍ ।

ପ୍ରଜାମଣ୍ଡଳ ଆନ୍ଦୋଳନ ୧୯୩୦-୪୦ କାଳାଂଶର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଥିଲା ଗଡ଼ଜାତମାନଙ୍କରେ ସଂଘଟିତ ପ୍ରଜାମଣ୍ଡଳ ଆନ୍ଦୋଳନ । ସମସାମୟିକ ଆଇନ ଅମାନ୍ୟ ଆନ୍ଦୋଳନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଶାରେ କଂଗ୍ରେସ ଦଳର ମନ୍ତ୍ରିମଣ୍ଡଳ ପରିଚାଳନା ଆଦି ଘଟଣାବଳୀ ସହିତ ଏହାର ବିଶେଷ ସମ୍ବନ୍ଧ ରହିଥିଲା ।

ଓଡ଼ିଶାର ଗଡ଼ଜାତ ଓ ଇଂରେଜ ଶାସନ କାଳରେ ସେଠାରେ ଚାଲିଥିବା ପ୍ରଜା-ଉତ୍ପୀଡ଼ନ ସମ୍ବନ୍ଧରେ ପୂର୍ବରୁ ଆଲୋଚିତ ହୋଇଛି । ଉତ୍ପୀଡ଼ନ ବିରୁଦ୍ଧରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ୨୮୨ . ଓଡ଼ିଶା ଇତିହାସ