ପୃଷ୍ଠା:Odisha Itihasa.pdf/୨୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକଙ୍କୁ ନେଇ ଏକ ଗଡ଼ଜାତ ସମ୍ମିଳନୀ ଆୟୋଜିତ ହେଲା । ଗଡ଼ଜାତ-ଗଡ଼ଜାତ ମଧ୍ୟରେ ଏହା ଲୌକିକ ସ୍ତରରେ ସମ୍ବନ୍ଧ ସ୍ଥାପନ କଲା । ଏହାର ଆୟୋଜକ ଥିଲେ କଂଗ୍ରେସର କେତେଜଣ ଯୁବନେତା ଯେଉଁମାନେ ଗଡ଼ଜାତର ଅତ୍ୟାଚାରୀ ସାମାଜିକ ପରିବେଶକୁ ନିକଟରୁ ଅନୁଭବ କରିଥିଲେ । ସେମାନେ ହେଲେ ଗୋବିନ୍ଦ ଚନ୍ଦ୍ର ମିଶ୍ର, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ମଧୁସୂଦନ ପଟ୍ଟନାୟକ ଓ ରାଧାନାଥ ରଥ । ଏମାନଙ୍କ ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ମିଶ୍ର ଦଶପଲ୍ଲା ଗଡ଼ଜାତର ଶରବ୍ୟ ହୋଇ ୧୯୧୮ ମସିହାରୁ ସାବରମତି ଆଶ୍ରମ ତଥା ସତ୍ୟବାଦୀ ଆଦି ସ୍ଥାନରେ ରହି ଜାତୀୟତାବାଦୀ କାର୍ଯ୍ୟରେ ସଂଶ୍ଳିଷ୍ଟ ହୋଇ ସାରିଥିଲେ । ମଧୁସୂଦନ ପଟ୍ଟନାୟକ କନିକା ଜମିଦାରୀରେ ୧୯୨୧-୨୨ରେ ସଂଘଟିତ ପ୍ରଜା ଆନ୍ଦୋଳନରେ ଭାଗ ନେଇ ଜେଲ୍‍ ଦଣ୍ଡ ଭୋଗିଥିଲେ । ସମ୍ମିଳନୀ କଂଗ୍ରେସ ସଂଗଠନ ବାହାରେ ଗଡ଼ଜାତ ପ୍ରଜାକୁଳକୁ ଗୋଟାଏ ମଞ୍ଚରେ ଆଣିବାକୁ ପ୍ରୟାସ କଲା । ୧୯୩୭ରେ ଅନ୍ୟ ଏକ ପ୍ରଜାମଣ୍ଡଳ ସମ୍ମିଳନୀ ବସିଥିଲା, ଯାହା ଗଡ଼ଜାତର ସାମାଜିକ ଅବସ୍ଥାକୁ ଅନୁଧ୍ୟାନ କରିବାଲାଗି ଏକ କମିଟି ଗଠନ କରିଥିଲା । ଏହା ପୂର୍ବରୁ ୧୯୨୦ ଦଶକରେ ହିଁ ଗୋପବନ୍ଧୁ ଦାସ ଗଡ଼ଜାତ ରାଜାମାନଙ୍କୁ ସତର୍କ କରି କହିଥିଲେ ଯେ, ଭବିଷ୍ୟତରେ ସେମାନେ ପ୍ରଜାଙ୍କ ପ୍ରତି ବିରୋଧୀ ଭାବ ରଖିଲେ ଫଳ ଭଲ ହେବ ନାହିଁ । ୧୯୨୮ରେ ଗୋପବନ୍ଧୁ ଲେଖିଥିଲେ, "ଦେଶୀୟ ରାଜା ମହାରାଜାମାନେ ପ୍ରଜାମାନଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରିବାଦ୍ୱାରା ଆପଣା ସ୍ୱାର୍ଥ ଆପଣା ହାତରେ ଯେ ନଷ୍ଟ କରୁଛନ୍ତି, ଏହା ବୁଝି ପାରୁ ନାହାନ୍ତି । ଆଜିକାଲି ସମୟର ଗତି ବଦଳି ଗଲାଣି । ରାଜଶକ୍ତିର ସେ ପୂର୍ବ ଅପ୍ରତିଦ୍ୱନ୍ଦ୍ୱୀ କ୍ଷମତା ନାହିଁ । କେତେ ପ୍ରବଳ ପରାକ୍ରାନ୍ତ ରାଜଶକ୍ତି ପୃଥିବୀରେ ଲୋପ ପାଇଗଲାଣି । ପ୍ରଜାମାନେ ଅତ୍ୟାଚାର ସହି ସହି କ୍ରମେ ଉଗ୍ର ହୋଇ ଉଠୁଛନ୍ତି । ଅତି ଅନ୍ୟାୟ ଦେବତାକୁ ପାର ନାହିଁ ବୋଲି ଗୋଟିଏ କଥା ଅଛି । ପୃଥିବୀରେ ରାଜଶକ୍ତିର ଏବେ କ୍ରମେ ସେହି ଦଶା ହେଉଅଛି ।" ଗୋପବନ୍ଧୁଙ୍କ ଲେଖାରୁ ସୁସ୍ପଷ୍ଟ ଯେ, କଂଗ୍ରେସ ନେତୃବର୍ଗ ଭବିଷ୍ୟତରେ ଗଡ଼ଜାତ ଆନ୍ଦୋଳନରୁ ଅଲଗା ରହିବ ନାହିଁ ।

ଗଡ଼ଜାତମାନଙ୍କରେ ସଂଘଟିତ ଆନ୍ଦୋଳନକୁ ସଂଗଠିତ କରିବାରେ 'ପ୍ରଜା ମଣ୍ଡଳ'ର ମୁଖ୍ୟ ଭୂମିକା ରହିଥିଲା । ଏହା ଏକ ରାଜନୈତିକ ଅନୁଷ୍ଠାନ ଥିଲା । ୧୯୩୧ ଓ ୧୯୩୭ରେ କଂଗ୍ରେସର ସାହଚର୍ଯ୍ୟରେ ଆୟୋଜିତ ଗଡ଼ଜାତ ସମ୍ମିଳନୀରେ, ପ୍ରତ୍ୟେକ ଗଡ଼ଜାତରେ ଏହି ଅନୁଷ୍ଠାନ ଗଢ଼ିବାପାଇଁ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ଗଡ଼ଜାତରେ ସ୍ଥାପିତ ପ୍ରଜାମଣ୍ଡଳ ନିଖିଳ ଉତ୍କଳ ଗଡ଼ଜାତ ପ୍ରଜା ସମ୍ମିଳନୀ ସହିତ ଯୋଗାଯୋଗ ରଖିବେ ବୋଲି ନିର୍ଦେଶ ରହିଥିଲା । ଗଡ଼ଜାତ ସମ୍ମିଳନୀର ମୁଖ୍ୟ ଅଫିସ୍‍ କଟକରେ ଥିଲା । ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ଅନୌପଚାରିକ ଶାଖା ଭାବରେ ଏହା କାର୍ଯ୍ୟ କରୁଥିଲା । ସାରଙ୍ଗଧର ଦାସ, ରାଧାନାଥ ରଥ, ଭୁବନାନନ୍ଦ ଦାସ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ମଧୁସୂଦନ ପଟ୍ଟନାୟକ ଓ ଗୋବିନ୍ଦଚନ୍ଦ୍ର ମିଶ୍ର ଆଦି କଂଗ୍ରେସ ନେତା ଓ କର୍ମୀମାନେ ଏହାର ମୁଖ୍ୟ ସଂଗଠକ ଥିଲେ । ସର୍ବଭାରତୀୟ ସ୍ତରରେ କଂଗ୍ରେସର ପରୋକ୍ଷ ସହଯୋଗରେ ସ୍ଥାପିତ ଅଲ୍‍ ଇଣ୍ଡିଆ ଷ୍ଟେଟସ୍‍ ପିପୁଲ୍‍ସ କନ୍‍ଫରେ୍‍ସ୨୮୪ . ଓଡ଼ିଶା ଇତିହାସ