ପୃଷ୍ଠା:Odisha Itihasa.pdf/୨୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ତ୍ରିମଣ୍ଡଳର ସହାନୁଭୂତିପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ କଂଗ୍ରେସ ନେତୃବୃନ୍ଦଙ୍କ ଗଡ଼ଜାତ ସମସ୍ୟା ପ୍ରତି ସଂବେଦନଶୀଳତା ଅନେକାଂଶରେ ଦାୟୀ । ଏହି ସମୟରେ ବିଭିନ୍ନ ଗଡ଼ଜାତରେ ପ୍ରଜାମଣ୍ଡଳମାନ ଗଠିତ ହେଲା । ଗଡ଼ଜାତ ଅଂଚଳର ଶିକ୍ଷିତ ଯୁବକ ଓ ରାଜନୈତିକ ସଚେତନ ବ୍ୟକ୍ତିମାନେ ମୋଗଲବନ୍ଦି ଅଂଚଳରେ ଥିବା କଂଗ୍ରେସ ସଂଗଠନ ସହିତ ସଂପର୍କ ରକ୍ଷାକରି ଏହି ପ୍ରଜାମଣ୍ଡଳଗୁଡ଼ିକୁ ସଂଗଠିତ କରିଥିଲେ । କଂଗ୍ରେସର ବାମପନ୍ଥୀ ଓ ପ୍ରଗତିଶୀଳ ଯୁବକର୍ମୀମାନେ ମଧ୍ୟ ତହିଁରେ ଯଥାସଂଭବ ସକ୍ରିୟ ସହଯୋଗ କରୁଥିଲେ । ୧୯୩୭-୩୮ ମସିହାରେ କଂଗ୍ରେସର ପରୋକ୍ଷ ସହାୟତାରେ ଗଡ଼ଜାତ ରାଜ୍ୟଗୁଡ଼ିକରେ ଚାଲିଥିବା ଅତ୍ୟାଚାରର ସତ୍ୟାସତ୍ୟ ଜାଣିବା ନିମିତ୍ତ ଏକ ଅନୁସନ୍ଧାନ କମିଟି ଗଠିତ ହେଲା । ଏହା 'ଷ୍ଟେଟ୍‍ସ୍‍ ପିପୁଲ୍‍ସ ଏନ୍‍କ୍ୱାରି କମିଟି' ନାମରେ ପରିଚିତ । ଏହାର ଅଧ୍ୟକ୍ଷ ଥିଲେ ଓଡ଼ିଶାର ହରେକୃଷ୍ଣ ମହତାବ । ସଦସ୍ୟ ଥିଲେ ବଳବନ୍ତରାୟ ମେହେଟା ଓ ଓଡ଼ିଶାର ଲାଲମୋହନ ପଟ୍ଟନାୟକ । ତଦନ୍ତକୁ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ମହତାବ ସବୁ ଗଡ଼ଜାତଙ୍କୁ ନିଜ ନିଜ ପକ୍ଷ ରଖିବାପାଇଁ ଅନୁରୋଧ ପତ୍ର ପଠାଇଥିଲେ । ମାତ୍ର ଗଡ଼ଜାତ ରାଜାମାନଙ୍କ ତରଫରୁ ତଦନ୍ତକୁ ଏକ ରକମର ବାସନ୍ଦ କରାଗଲା । ଫଳରେ କମିଟି କେବଳ ଗଡ଼ଜାତ ପ୍ରଜାମାନଙ୍କ ପାଖରୁ ସତ୍ୟାସତ୍ୟ ବୁଝିଲେ ଏବଂ ସେହି ଆଧାରରେ ନିଜର ରିପୋର୍ଟ ପ୍ରସ୍ତୁତ କଲେ । ରିପୋର୍ଟରେ ଗଡ଼ଜାତର ଆଇନ ଶୃଙ୍ଖଳା ସୁଧାରିବାକୁ ଏବଂ ଶାସନ ବ୍ୟବସ୍ଥାକୁ ପଲିଟିକାଲ୍‍ ଏଜେଣ୍ଟଙ୍କଠାରୁ ସରକାରଙ୍କ ପାଖକୁ ହସ୍ତାନ୍ତର କରିବାକୁ ତଥା ଗଡ଼ଜାତବାସୀଙ୍କୁ ମୋଗଲବନ୍ଦି ପରି ନାଗରିକ ଅଧିକାର ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ କମିଟିର ରିପୋର୍ଟ ଗଡ଼ଜାତ ପ୍ରଜାମାନଙ୍କୁ ଆନ୍ଦୋଳନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ପ୍ରେରଣା ଯୋଗାଇଲା । କାରଣ, ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଛି ଏବଂ ରାଜା ଅତ୍ୟାଚାର ଆଉ ଲୁଚି ରହିବ ନାହିଁ ବୋଲି ଲୋକେ ଧାରଣା କରିନେଲେ ।

ଢେଙ୍କାନାଳ ୧୯୩୭ ଜୁନ୍ ମାସ ସୁଦ୍ଧା ଢେଙ୍କାନାଳରେ ପ୍ରଜାମଣ୍ଡଳ ଗଠିତ ହୋଇ ସାରିଥିଲା । ରାଜାଙ୍କ ଅତ୍ୟାଚାର ଓ ବିରୋଧୀ ମନୋଭାବଯୋଗୁଁ ଏହା ଏକ ଗୁପ୍ତ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ଆର୍ତ୍ତତ୍ରାଣ ପାତ୍ର, କୃତ୍ତିବାସ ସୁବୁଦ୍ଧି, ଶ୍ୟାମସୁନ୍ଦର ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ତ୍ରିଲୋଚନ ପ୍ରଧାନ ଆଦି ଏହାର ନେତୃତ୍ୱ ନେଉଥିଲେ । ପ୍ରଜାମଣ୍ଡଳ ପକ୍ଷରୁ ଦାବିପତ୍ର ବଣ୍ଟା ହୋଇ ତହିଁରେ ନାଗରିକ ଅଧିକାରପାଇଁ ସ୍ୱୀକୃତି, ବେଆଇନ କରଗୁଡ଼ିକର ପ୍ରତ୍ୟାହାର ଓ ଜଂଗଲ ଆଇନର ସଂଶୋଧନ ଦାବି କରାଯାଇଥିଲା ।

୧୯୩୮ ସେପ୍ଟେମ୍ବର ମାସରେ ଜେନାପୁରଠାରେ ଏକ କୃଷକ ସମାବେଶ ହେଲା । ପ୍ରାଦେଶିକ କଂଗ୍ରେସ ଦଳରେ ଥିବା ସମାଜବାଦୀ ଓ ସାମ୍ୟବାଦୀ ଗୋଷ୍ଠୀ ଏହାର ସଂଯୋଜନା୨୮୬ . ଓଡ଼ିଶା ଇତିହାସ