ପୃଷ୍ଠା:Odisha Itihasa.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିଲେ । ଢେଙ୍କାନାଳର ଅନେକ ପ୍ରଜା ଏଥିରେ ଯୋଗ ଦେଲେ । ଏହାର ପରେ ପରେ ଢେଙ୍କାନାଳ ପ୍ରଜାମଣ୍ଡଳ ସମାଜବାଦୀ ଓ ସାମ୍ୟବାଦୀଙ୍କ ନିୟନ୍ତ୍ରଣକୁ ଚାଲିଆସିଲା । ମହେଶ୍ୱର ସୁବାହୁ ସିଂହ, ବ୍ରଜକିଶୋର ଧଳ ଏବଂ ବୈଷ୍ଣବଚରଣ ପଟ୍ଟନାୟକ ହେଲେ ପ୍ରଜାମଣ୍ଡଳର ନୂତନ ନେତୃତ୍ୱ । କଂଗ୍ରେସ ସମାଜବାଦୀ (ଏଥିରେ କମ୍ୟୁନିଷ୍ଟ ବା ସାମ୍ୟବାଦୀ ମଧ୍ୟ ସାମିଲ୍‍ ଥିଲେ) ଗୋଷ୍ଠୀର ସଂପୃକ୍ତି ପରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଢେଙ୍କାନାଳ ରାଜା ପ୍ରଜାମଣ୍ଡଳକୁ ଦମନ କରିବା ସକାଶେ ମୋଗଲବନ୍ଦି ପୋଲିସର ସହାୟତା ନେଲେ । କର୍ମୀମାନେ ଗିରଫ ହେଲେ । ସେମାନଙ୍କ ଘର କୋରଖ ହେଲା । ପ୍ରଜାମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଲେ । ସେମାନଙ୍କ ଘର ଖାନତଲାସୀ ହେଲା । ସେପ୍ଟେମ୍ବର ୨୨ତାରିଖ ଦିନ ପରିସ୍ଥିତି ଅସମ୍ଭାଳ ହେବାରୁ ପ୍ରଜାମଣ୍ଡଳକୁ ବେଆଇନ୍‍ ଘୋଷଣା କରାଗଲା । ଅନେକ ଗାଁ, ଯଥା-ଗଡ଼ପର୍ଜଙ୍ଗ, କୁଆଳୋ, ଖଡ଼୍‌ଗ ପ୍ରସାଦ, ମଂଗଳପୁର ଓ ଭୁବନ ଆଦିରେ ରାଜାଙ୍କ ଲୋକ ନିଆଁ ଲଗାଇ ଦେଲେ । ପ୍ରଜା ବାସହରା ହୋଇ ଗାଁ' ଛାଡ଼ି ଚାଲିଗଲେ । ପୁଣି ପୋଲିସର ତାଗିଦରେ ଫେରିଆସିଲା ପରେ ଭୀଷଣ ରାଜା ଅତ୍ୟାଚାରର ସମ୍ମୁଖୀନ ହେଲେ । ପ୍ରାୟ ଏକ ଲକ୍ଷ ଢେଙ୍କାନାଳ ପ୍ରଜା ରାଜ୍ୟ ଛାଡ଼ି ମୋଗଲବନ୍ଦି ଅଂଚଳକୁ ପଳାଇଲେ ।

୧୯୩୮ ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ପୋଲିସ ଅତ୍ୟାଚାର ସମପରିମାଣରେ ବୃଦ୍ଧିପାଇଲା । ଅନେକ କଂଗ୍ରେସ କର୍ମୀ, ଯେଉଁମାନେ ପରେ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟ ଦଳରେ ଯୋଗଦେଲେ, ଢେଙ୍କାନାଳକୁ ପ୍ରବେଶ କଲେ ଏବଂ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କଲେ । ଭଗବତୀ ଚରଣ ପାଣିଗ୍ରାହୀ, ଗୌରାଙ୍ଗ ଚରଣ ଦାସ, ଗୋକୁଳ ମୋହନ ରାୟ ଚୂଡ଼ାମଣି, ଅନନ୍ତ ପଟ୍ଟନାୟକ, ସାରଙ୍ଗଧର ଦାସ ଓ ମାଳତୀ ଚୌଧୁରୀ ଆଦି ହେଲେ ସେହି ଧରଣର କେତେକ କଂଗ୍ରେସ ନେତା । ୧୯୩୮ ଡିସେମ୍ବର ୩ ତାରିଖରେ ଢେଙ୍କାନାଳରେ ପୋଲିସ ଜୁଲମର ପ୍ରତିବାଦ କରି ବିଧାନସଭା ସଭ୍ୟ ପଦରୁ ନବକୃଷ୍ଣ ଚୌଧୁରୀ ତ୍ୟାଗପତ୍ର ଦେଲେ । ଆନ୍ଦୋଳନ ତୀବ୍ର ହେଲା ।

ଏହି ସମୟରେ ରାଜାଙ୍କ ନିର୍ଦେଶରେ ଭୁବନ, ନୀଳକଣ୍ଠପୁର, ହିନ୍ଦୋଳ, ତୁମୁଶିଙ୍ଗା ଓ ଶିରିମୂଳାଠାରେ ପୋଲିସ ଗୁଳି ଚାଳନା କଲେ । ଫଳରେ ୧୧ଜଣରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ନିହତ ହେଲେ ଏବଂ ୨୩ ଜଣ ଗୁରୁତର ଆହତ ହେଲେ । ନୀଳକଣ୍ଠପୁରରେ ବାଜିରାଉତ ନାମକ ଜଣେ ୧୨ ବର୍ଷର ବାଳକ ପୋଲିସ ବାହିନୀକୁ ନଦୀ ପାରି କରିବାରେ ଅସହଯୋଗ କରିବାରୁ ଗୁଳିର ଶିକାର ହେଲା । ବାଜି ରାଉତ ଓ ଅନ୍ୟ କେତେକ ନିହତ ବ୍ୟକ୍ତିଙ୍କୁ ଶଗଡ଼ରେ ନେଇ କଟକରେ ଶୋଭାଯାତ୍ରା ହେଲା । ଏହା ମୋଗଲବନ୍ଦି ଅଂଚଳରେ ଗଡ଼ଜାତ ଅତ୍ୟାଚାରକୁ ପ୍ରତ୍ୟକ୍ଷ କଲା । ଆନ୍ଦୋଳନର ମାତ୍ରା ଏତେ ତୀବ୍ର ହେଲା ଯେ, ରାଜା ପଞ୍ଚାୟତ ଓ ପ୍ରଜାସଭା ଗଠନ କରି ପ୍ରଜାମାନଙ୍କୁ କିଛି ଗଣତାନ୍ତ୍ରିକ ଅଧିକାର ଦେବାକୁ ଘୋଷଣା କଲେ । ମାତ୍ର ରାଜତନ୍ତ୍ରର ଉଚ୍ଛେଦ ଦାବି କରି ପ୍ରଜା ରାଜ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ।{{right|ଓଡ଼ିଶା ଇତିହାସ . ୨୮୭