ପୃଷ୍ଠା:Odisha Itihasa.pdf/୨୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଣପୁର

ଖୋର୍ଦ୍ଧା ପାଖରେ ରଣପୁର ଏକ କ୍ଷୁଦ୍ର ଗଡ଼ଜାତ । ୧୯୩୯ ଜାନୁଆରି ମାସରେ ଏଠାରେ ପ୍ରଜାମଣ୍ଡଳ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା । ରଣପୁର ପ୍ରଜାମଣ୍ଡଳର ସଭାପତି ଥିଲେ ବନମାଳୀ ରାମ, ଉପ ସଭାପତି କୃପାସିନ୍ଧୁ ମିଶ୍ର, ସଂପାଦକ ରଘୁନାଥ ମହାନ୍ତି ଓ ସଂଗଠନ ସଂପାଦକ ଦିବାକର ପରିଡ଼ା । ରାଜା ପ୍ରଜାମଣ୍ଡଳକୁ ବେଆଇନ୍‍ ଘୋଷଣା କରି ନେତୃବର୍ଗଙ୍କୁ ଗିରଫ କଲେ । ଏହାର ପ୍ରତିବାଦ କରି ପ୍ରଜା ରାଜପ୍ରାସାଦ ଘେରାଉ କଲେ ଏବଂ ନେତାମାନଙ୍କର ମୁକ୍ତି ଦାବି କଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ରାଜା ପଲିଟିକାଲ୍‍ ଏଜେଣ୍ଟ ମେଜର ବେଜଲଗେଟ୍‍ଙ୍କ ସହଯୋଗ ଭିକ୍ଷା କଲେ । ସେହିଦିନ (୫ ଜାନୁଆରି) ବେଜଲଗେଟ ନିକଟସ୍ଥ ନୟାଗଡ଼ରେ ଅବସ୍ଥାନ କରୁଥିଲେ । ରଣପୁର ଆସି ସେ ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାକୁ ନିଜ ବନ୍ଧୁକରୁ ଗୁଳି ଚାଳନା କଲେ । ଏଥିରେ ଅର୍ଜୁନ ରାଉତ ନାମକ ଜଣେ କର୍ମୀଙ୍କର ମୃତ୍ୟୁ ହେଲା । ଏହା ପରେ ଉତ୍ତ୍ୟକ୍ତ ପ୍ରଜା ବେଜଲଗେଟଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ।

ପଲିଟିକାଲ୍‍ ଏଜେଣ୍ଟ ଭଳି ଜଣେ ଉଚ୍ଚ ପଦସ୍ଥ ଇଂରେଜ ଅଧିକାରୀଙ୍କ ହତ୍ୟା ପ୍ରଜାମଣ୍ଡଳ ଆନ୍ଦୋଳନକୁ ତତ୍‍କାଳୀନ ରାଜନୀତିକ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ କଲା । କଂଗ୍ରେସ ନେତୃବର୍ଗ ବିଶେଷକରି ହରେକୃଷ୍ଣ ମହତାବଙ୍କ ପରାମର୍ଶରେ ରଣପୁର ପ୍ରଜା ରାଜ୍ୟ ଛାଡି ପଳାୟନ କଲେ । ପୋଲିସ ଅତ୍ୟାଚାରରୁ ମୁକ୍ତି ପାଇବାଲାଗି ଏହା ହିଁ ଉଚିତ ବିକଳ୍ପ ବୋଲି ମନେ କରାଯାଉଥିଲା । ହତ୍ୟାପାଇଁ ପ୍ରଜାମଣ୍ଡଳର ଦୁଇଜଣ ପ୍ରମୁଖ ନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଫାଶୀଦଣ୍ଡ ଏବଂ ଅନ୍ୟ ୨୭ ଜଣ କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଜାତୀୟ କଂଗ୍ରେସ ବେଜଲଗେଟ ହତ୍ୟାର ନିନ୍ଦା କରି ସରକାରଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ପ୍ରୟାସ କଲା । ରଣପୁର ଆନ୍ଦୋଳନକୁ କ୍ରୂର ଭାବେ ଦମନ କରାଗଲା ସତ, ମାତ୍ର ଏହା ଗଡ଼ଜାତ ସମସ୍ୟାର ଜଟିଳତାକୁ ବୁଝିବାଲାଗି ସରକାରଙ୍କୁ ବାଧ୍ୟ କଲା ।

ନୀଳଗିରି ୧୯୩୮-୩୯ରେ ବାଲେଶ୍ୱର ନିକଟବର୍ତ୍ତୀ ନୀଳଗିରି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଏହା ପୂର୍ବରୁ ୧୯୨୭-୨୮ରେ ମଧ୍ୟ ନୀଳଗିରିରେ ପ୍ରଜା ବେଠି, ବେଗାରି ଉଚ୍ଛେଦ ଦାବି କରି ଆନ୍ଦୋଳନ କରିଥିଲେ । ରାଜା ସ୍ଥାନୀୟ ଜଙ୍ଗଲରେ ଉପଲବ୍‍ଧ ହାତୀ ଧରିବାକୁ ବେଗାରିରେ (ବିନା ଦେୟରେ) ଲୋକଙ୍କୁ ନିୟୋଜିତ କରୁଥିଲେ । ହାତୀ ବିକ୍ରୀ କରି ରାଜା ଅର୍ଥଲାଭ କରୁଥିଲେ । ହାତୀ ଧରାରେ ଯାଇ ଲୋକ ନିଜ ବିଲବାଡ଼ି କାମ କରି ପାରୁ ନଥିଲେ । ପୁଣି ହାତୀ ଧରା ବେଳେ ଶିକାରୀର ବନ୍ଧୁକରେ ଅନେକ ସମୟରେ ପ୍ରଜା ହତାହତ ହେଉଥିଲେ । ଏହାର ବିରୋଧ କରି ପ୍ରଜା ସମୟ ସମୟରେ ଆନ୍ଦୋଳନ କରୁଥିଲେ ଏବଂ ଦମନର ଶିକାର ହେଉଥିଲେ ।୨୮୮ . ଓଡ଼ିଶା ଇତିହାସ