ପୃଷ୍ଠା:Odisha Itihasa.pdf/୨୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୩୮ ମେ' ମାସରେ ନୀଳଗିରିରେ ପ୍ରଜାମଣ୍ଡଳର ଗଠନ ହେଲା । କୈଳାସ ଚନ୍ଦ୍ର ମହାନ୍ତି ଓ ବନମାଳୀ ଦାସ ଥିଲେ ଏହାର ପ୍ରମୁଖ ନେତା । ପ୍ରଜାମଣ୍ଡଳ ନାଗରିକ ଅଧିକାର ଏବଂ ପ୍ରତିିଧିମୂଳକ ଶାସନ ବ୍ୟବସ୍ଥା ଦାବି କଲା । କଂଗ୍ରେସର ପରୋକ୍ଷ ସମର୍ଥନ ଥିବାରୁ ପ୍ରଜାମଣ୍ଡଳ ଏଣିକି ଅସଂଖ୍ୟ ପ୍ରଜାଙ୍କୁ ଆକୃଷ୍ଟ କଲା ।

ପ୍ରଜାମଣ୍ଡଳକୁ ଦମନ କରିବାକୁ ରାଜା କର୍ମୀମାନଙ୍କୁ ଗିରଫ କଲେ । ପ୍ରଜାମାନଙ୍କୁ ଅର୍ଥଦଣ୍ଡ ଓ ଶାରୀରିକ ଶାସ୍ତି ଦିଆଗଲା । ରାଜାନୁମତି ବିନା କୌଣସି ସଭା ସମିତି ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହେଲା । ୧୯୩୯ ଫେବ୍ରୁଆରି ୯ ତାରିଖରେ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କଲେ ।

ତାଳଚେର ଢେଙ୍କାନାଳର ପଡେ଼ାଶୀ ଗଡ଼ଜାତ ହେଲା ତାଳଚେର । ୧୯୩୮ରେ ସେଠାରେ ମଧ୍ୟ ପ୍ରଜାମଣ୍ଡଳ ତୀବ୍ର ରୂପ ନେଲା । ତାଳଚେର ଆନ୍ଦୋଳନ ଭାରତଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ଲାଗି ରହିଲା । ୧୯୩୮ରେ ସେଠାରେ ଆନ୍ଦୋଳନ ଆରମ୍ଭ ହେଲା ଖଜଣାକୁ ନେଇ । ରାଜା ପ୍ରଜାମାନଙ୍କୁ ଏକାଥରକେ ଦୁଇ କିସ୍ତି ଖଜଣା ଦେବାକୁ ନିର୍ଦେଶନାମା ଜାରି କଲେ । ଖଜଣା ଦେଇ ପାରି ନ ଥିବା ପ୍ରଜାର ଜମି ବାଜ୍ୟାପ୍ତ ହେବ ବୋଲି ରାଜା ତାଗିଦ୍‍ କଲେ । କର୍ମଚାରୀମାନେ ପ୍ରଜାଙ୍କର ଅମଳ ହୋଇଥିବା ଧାନକୁ ବାଜ୍ୟାପ୍ତ କରିନେଲେ । ଅନନ୍ୟୋପାୟ ହୋଇ ସାଧାରଣ ପ୍ରଜା ରାଜ୍ୟ ଛାଡ଼ି ପଳାଇଲେ ।

ଉପରୋକ୍ତ ପୃଷ୍ଠଭୂମିରେ ୧୯୩୮ ସେପ୍ଟେମ୍ବର ମାସରେ ସେଠାକାର କୋଶଳା ଗ୍ରାମରେ ପବିତ୍ରମୋହନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରଜାମଣ୍ଡଳ ଗଠିତ ହେଲା । ତାଳଚେର ପ୍ରଜାମଣ୍ଡଳର ଢେଙ୍କାନାଳ ନେତୃବର୍ଗଙ୍କ ସହ ସଂପର୍କ ଥିଲା । ତାହାରି ପ୍ରଭାବରେ ଢେଙ୍କାନାଳ ପ୍ରଜାମଣ୍ଡଳ ପରି ତାଳଚେର ପ୍ରଜାମଣ୍ଡଳ ରାଜାଙ୍କୁ ଦାବିପତ୍ର ଦେଲା । ସେପ୍ଟେମ୍ବର ୧୬ ତାରିଖରେ ପ୍ରଜାମଣ୍ଡଳ ପକ୍ଷରୁ ଏକ ଜନସଭା ମଧ୍ୟ ଆୟୋଜିତ ହେଲା । ପରିଣାମ ସ୍ୱରୂପ ରାଜା ପ୍ରଜାମଣ୍ଡଳକୁ ବେଆଇନ୍‍ ଘୋଷଣା କଲେ ।

ପ୍ରଜାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରୁ ଲୋକ ମୋଗଲବନ୍ଦି ଅନୁଗୁଳ ଜିଲ୍ଲାକୁ ପଳାୟନ କଲେ । ରାଜ୍ୟ ଛାଡ଼ି ଅନୁଗୁଳରେ ଶରଣାର୍ଥୀ ସାଜିଥିବା ତାଳଚେର ପ୍ରଜାଙ୍କ ମୋଟ ସଂଖ୍ୟା ଗୋଟାଏ ସମୟରେ ୨୫,୦୦୦ ବୋଲି ହିସାବ କରାଯାଇଥିଲା । ଶରଣାର୍ଥୀ ଶିବିରରେ କଂଗ୍ରେସର ଗଠନମୂଳକ କାର୍ଯ୍ୟ ପରିଚାଳନାନିମିତ୍ତ ବାହାରୁ ଆସି ଅନେକ କଂଗ୍ରେସ କର୍ମୀ ସହଯୋଗ କରୁଥିଲେ । ଶିବିରରେ କଂଗ୍ରେସର ପତାକା ଉଡ଼ାଇ ପ୍ରଜା ଏକ ରକମର ସୁରକ୍ଷା ଅନୁଭବ କରୁଥିଲେ । କଂଗ୍ରେସ ନେତା ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ଗିରିଜା ଭୂଷଣ ଦତ୍ତ ତଥା ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ତାଳଚେର ପ୍ରଜାଙ୍କୁ ଯଥା ସମ୍ଭବ ସହଯୋଗ କରୁଥିଲେ । ୧୯୩୯ରେ ମହାତ୍ମାଗାନ୍ଧୀଙ୍କ ହସ୍ତକ୍ଷେପଯୋଗୁଁ ସରକାର ରାଜାଙ୍କୁ ବେଠି{{right|ଓଡ଼ିଶା ଇତିହାସ . ୨୮୯