ପୃଷ୍ଠା:Odisha Itihasa.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

of hurry. The judicial officer of the capital [Toshali] must strive at all times for this and they should not inflict sudden imprisonment or sudden coercion on people. For this purpose I would be sending on quinquennial tours the Mahamatras who would not be harsh and irascible and would be soft and gentle in dealings.
କଳିଙ୍ଗ ଯୁଦ୍ଧ ଓ ତା'ର ଐତିହାସିକ ମହତ୍ତ୍ୱ ଆଲୋଚନା ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନକୁ ଆସେ । ଯୁଦ୍ଧ ସମୟରେ କଳିଙ୍ଗର ରାଜା କିଏ ଥିଲେ ? କେଉଁ ବଂଶ ସେତେବେଳେ କଳିଙ୍ଗରେ ଶାସନ କରୁଥିଲେ ? କେଉଁ ଧରଣର ଶାସନ କଳିଙ୍ଗରେ ପ୍ରଚଳିତ ଥିଲା ? ବିନା ରାଜା କିମ୍ବା ବିନା ଲୋକପ୍ରିୟ ଶାସନରେ ଲକ୍ଷ ଲକ୍ଷ ଲୋକ କଳିଙ୍ଗ ପକ୍ଷରେ ଯୁଦ୍ଧରେ ଯୋଗଦେବା ସମ୍ଭବ ନୁହେଁ । ଯୁଦ୍ଧରେ ହତାହତ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ କେଉଁ ଅନୁପାତରେ ସୈନିକ ଥିଲେ ? ଯଦି ମୃତାହତଙ୍କ ମଧ୍ୟରେ ଅଧିକାଂଶ ବେସାମରିକ ନାଗରିକ, ତେବେ କଳିଙ୍ଗର ସେନାବାହିନୀର ବିଶାଳତାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ଆଜି ପର୍ଯ୍ୟନ୍ତ ଐତିହାସିକମାନଙ୍କର ହସ୍ତଗତ ହୋଇନାହିଁ । କଳିଙ୍ଗ ଯୁଦ୍ଧ ଓ ମଗଧ ଶାସକ ଅଶୋକଙ୍କ କଳିଙ୍ଗ ଅଧିକାର ସମ୍ବନ୍ଧରେ ଜାଣିବା ଲାଗି ଏକମାତ୍ର ନିର୍ଭରଯୋଗ୍ୟ ଐତିହାସିକ ତଥ୍ୟ ହେଲା ଅଶୋକଙ୍କଦ୍ୱାରା ଲିଖିତ ଅନୁଶାସନ । ଏସବୁ ଅନୁଶାସନର ସ୍ୱରୂପ ହେଲା ରାଜାଦେଶ । ଉଭୟ ପ୍ରଜା ଓ ରାଜପ୍ରତିିନିଧି ତଥା ରାଜକର୍ମଚାରୀଙ୍କ ସୂଚନାର୍ଥେ ଅନୁଶାସନଗୁଡ଼ିକୁ ଜାରି କରାଯାଇଥିଲା । ଆଜି ଅନୁଶାସନ ଜାରି ହେବାର ପ୍ରାୟ ୨୫୦୦ ବର୍ଷ ପରେ ଐତିହାସିକମାନଙ୍କ ମନରେ ଉଠୁଥିବା ନୂଆ ନୂଆ ପ୍ରଶ୍ନଗୁଡ଼ିକୁ ଦୃଷ୍ଟିରେ ରଖି ତାକୁ ବିଶ୍ଳେଷଣ କରାଯାଉଛି । ସେ କ୍ଷେତ୍ରରେ ତହିଁରୁ ସିଧାସଳଖ ବର୍ତ୍ତମାନର ପ୍ରଶ୍ନଗୁଡିକର ଉତ୍ତର ଆଶା କରିବା ଯୁକ୍ତିଯୁକ୍ତ ମନେହୁଏ ନାହିଁ । ତେଣୁ ଏ ନେଇ ନୂଆ ତଥ୍ୟ ପ୍ରମାଣ ଓ ଐତିହାସିକ ନିଦର୍ଶନ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଆମକୁ ଯୁକ୍ତିନିଷ୍ଠ ଅନୁମାନକୁ ହିଁ ଆଧାର କରି ଇତିହାସ ରଚନା କରିବାକୁ ପଡ଼ିବ ।

ଅଶୋକ ତାଙ୍କ ଅନୁଶାସନଗୁଡ଼ିକରେ ସର୍ବଦା କଳିଙ୍ଗ ଦେଶକୁ କଳିଙ୍ଗମାନେ ବହୁବଚନରେ (Kalingas) ବୋଲି ସମ୍ବୋଧନ କରିଛନ୍ତି । ତାହାର ଅର୍ଥ ହେବ କଳିଙ୍ଗର ଲୋକମାନେ ବା କଳିଙ୍ଗର ରାଜ୍ୟମାନେ । ହୁଏତ ସେତେବେଳେ କଳିଙ୍ଗ ନାମରେ କୌଣସି ଗୋଟିଏ ରାଜ୍ୟ ନଥିଲା । 'କଳିଙ୍ଗମାନେ' (ଯେମିତି ଓଡ଼ିଆମାନେ) ବସବାସ କରୁଥିବା ସମଗ୍ର କ୍ଷେତ୍ରକୁ ବାହାରେ ଲୋକ କଳିଙ୍ଗ ନାମରେ ଜାଣୁଥିଲେ । (ଯେମିତି ପ୍ରାଚୀନ ଓ ମଧ୍ୟଯୁଗରେ ସମଗ୍ର ଭାରତବର୍ଷ ଏକ ଶାସନାଧୀନ ନ ହେବା ସତ୍ତ୍ୱେ ବିଦେଶରେ ଏହି କ୍ଷେତ୍ରକୁ ଭାରତ ବା ଇଣ୍ତିଆ ଏବଂ ଲୋକମାନଙ୍କୁ 'ଭାରତର ଲୋକମାନେ' ବା 'ଭାରତୀୟ' ବୋଲି କୁହାଯାଉଥିଲା । ଭାରତ ଭିତରେ ଅନେକ ରାଜ୍ୟ ଥିଲେ ଏବଂ ସେଗୁଡିକ ପରସ୍ପରଠାରୁ ଭିନ୍ନ ଥିଲେ । ମାତ୍ର ଭାରତ ବାହାରେ ସେମାନଙ୍କର ଗୋଟିଏ ପରିଚୟ ଥିଲା ।) ତେଣୁ କଳିଙ୍ଗର ବ୍ୟବସାୟୀମାନେ ଆସୁଥିବା କ୍ଷେତ୍ରକୁ କଳିଙ୍ଗ ନାମରେ{{right|ଓଡ଼ିଶା ଇତିହାସ . ୨୯