ପୃଷ୍ଠା:Odisha Itihasa.pdf/୨୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତ୍ୟେକ ହଳ ଲଙ୍ଗଳ ଓ ଯୁଆଳିପାଇଁ ଚାରି ଅଣା ;
ଚୌକିଦାରୀ ଟିକସ;
ପଥକର ଓ ବିବାହ କର;
ଟସର ଚାଷପାଇଁ ବାର ଅଣା ।

ଏଥିରୁ ମନେହୁଏ ଯେ, ମୟୂରଭଞ୍ଜରେ ପ୍ରଜାଙ୍କ ଉପରେ କର ଭାର ଊଣା ନଥିଲା , ସର୍ଦ୍ଦାର, ତହସିଲଦାର ଓ ଲାଖରାଜଦାର ଆଦି ଖଜଣା ଅସୁଲକାରୀମାନେ ଅନେକ ସମୟରେ ଧାର୍ଯ୍ୟ ମାତ୍ରାଠାରୁ ଅଧିକ କର ଅସୁଲ କରୁଥିଲେ, ଯାହା ଗଡ଼ଜାତ ଶାସନକୁ ଅଧିକ ଲୋକବିରୋଧୀ କରୁଥିଲା । ୧୯୨୫ ମସିହାଠାରୁ ରାଜ୍ୟରେ ସାଧାରଣ ସଭା ନିଷିଦ୍ଧ ଥିଲା । ଏହା ପ୍ରଜାଙ୍କର ନାଗରିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା ।

ଏହି ପୃଷ୍ଠଭୂମିରେ ୧୯୩୮ରେ ଶରତ ଚନ୍ଦ୍ର ଦାସ ଓ ପ୍ରସନ୍ନ କୁମାର ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜରେ ପ୍ରଜାମଣ୍ଡଳ ଗଠିତ ହେଲା । ସେହି ବର୍ଷ ଅକ୍ଟୋବର ମାସରେ ବଂଶୀଧର ବେହେରା ଏକ ଜନ ସଭା ଆୟୋଜନ କରି ତହିଁରେ ପ୍ରଚଳିତ ଶାସନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । କପ୍ତିପଦା ଓ ପଞ୍ଚପୀଢ଼ଠାରେ ମଧ୍ୟ ସଭାମାନ ଆୟୋଜିତ ହେଲା । ଶରତ ଚନ୍ଦ୍ର ଦାସଙ୍କର କଂଗ୍ରେସ ଦଳ ସହ ସଂପୃକ୍ତି ଓ ଲୋକପ୍ରିୟତାଯୋଗୁଁ ତାଙ୍କୁ ସେଠାକାର ଲୋକ 'ଶରତ ଗାନ୍ଧୀ' ବୋଲି କହୁଥିଲେ । ସେ ଗାନ୍ଧୀଙ୍କର ଅହିଂସା ମାର୍ଗକୁ ପ୍ରମୁଖତା ଦେଉଥିଲେ । ତାଙ୍କରି ପ୍ରଭାବରେ ମୟୂରଭଞ୍ଜ ପ୍ରଜାମଣ୍ଡଳ ଆନ୍ଦୋଳନ ଅନେକ ଗଠନମୂଳକ କାର୍ଯ୍ୟ ମଧ୍ୟ ହାତକୁ ନେଇଥିଲା । ପ୍ରଜାମାନଙ୍କ ଶ୍ରମଦାନରେ ମାନଗୋବିନ୍ଦପୁରଠାରେ 'ଶରତ ଚନ୍ଦ୍ର ବନ୍ଧ' ନାମରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ପ୍ରଜାମଣ୍ଡଳକର୍ମୀ ଗ୍ରାମ ସଫେଇ, ଅସ୍ପୃଶ୍ୟତା ନିବାରଣ, ଖଦି ପ୍ରସାର, ସାକ୍ଷରତା ଅଭିଯାନ ଆଦିକୁ ଗୁରୁତ୍ୱ ଦେଉଥିଲେ ।

ପ୍ରଜାମଣ୍ଡଳ ଆନ୍ଦୋଳନକୁ ବଳପ୍ରୟୋଗ କରି ଦମନ କରିବା ପରିବର୍ତ୍ତେ ମୟୂରଭଞ୍ଜ ରାଜା 'ପ୍ରଜାମଙ୍ଗଳ' ନାମକ ଏକ ସଂଗଠନ ଗଢ଼ିଥିଲେ । ଏହି ସଂଗଠନ ରାଜାଙ୍କର କାର୍ଯ୍ୟକୁ ରାଜ୍ୟରେ ସ୍ୱୀକାର୍ଯ୍ୟ କରିବାପାଇଁ ଉଦ୍ୟମ କରୁଥିଲା । ଅନେକ ସମୟରେ ପ୍ରଜାମଣ୍ଡଳ ଓ ପ୍ରଜାମଙ୍ଗଳ କର୍ମୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା । ୧୯୪୭ ଜୁନ୍ ୩୦ ତାରିଖରେ ପ୍ରଜାମଣ୍ଡଳ ରାଜାଙ୍କ ନିକଟରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିବାକୁ ଦାବି ଉତ୍ଥାପନ କଲେ । ମହାରାଜା ଓ ପ୍ରଜାମଣ୍ଡଳ ମଧ୍ୟରେ ଶେଷରେ ରାଜିନାମା ସ୍ୱାକ୍ଷରିତ ହେଲା । ତା' ଅନୁଯାୟୀ ସ୍ୱାଧୀନତା ପରେ ମୟୂରଭଞ୍ଜ ସ୍ୱତନ୍ତ୍ର ରାଜ୍ୟ ହୋଇ ରହିବ ଓ ମହାରାଜା ତା'ର ସାମ୍ବିଧାନିକ ମୁଖ୍ୟ ହୋଇ ରହିବେ ବୋଲି ସ୍ଥିର ହେଲା ।

୧୯୪୭ ଅଗଷ୍ଟ ୧୫ ପରେ ମୟୂରଭଞ୍ଜରେ ଏକ ପ୍ରତିିନିଧିମୂଳକ ଶାସନ ବ୍ୟବସ୍ଥା ଲାଗୁ ହେଲା । ଶରତ ଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ଭାବରେ ମହାରାଜାଙ୍କଠାରୁ କ୍ଷମତା ଗ୍ରହଣ କଲେ । ୧୯୪୭ ଡିସେମ୍ବର ୧୦ ତାରିଖ ଦିନ ମହାରାଜା ଶରତ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଠିତ ତିିନିଜଣିଆ ମନ୍ତ୍ରିମଣ୍ଡଳ (ଅନ୍ୟ ଦୁଇ ମନ୍ତ୍ରୀ ହେଲେ ବିଦ୍ୟାଧର ମହାପାତ୍ର ଓ ମହେଶ୍ୱର ନାୟକ) ହାତରେ ଆନୁଷ୍ଠାନିକ ଭାବରେ ଶାସନ ଦାୟିତ୍ୱ ଅର୍ପଣ କଲେ । ରାଜା ନିଜେ ହେଲେ ଶାସନର{{right|ଓଡ଼ିଶା ଇତିହାସ . ୨୯୧