ପୃଷ୍ଠା:Odisha Itihasa.pdf/୨୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ । ଏହା ପରେ ଦୁଇବର୍ଷ ପର୍ଯ୍ୟନ୍ତ ଗଭର୍ଣ୍ଣର ଶାସନକାର୍ଯ୍ୟ ପରିଚାଳନା କଲେ । ୧୯୪୧ ନଭେମ୍ବରରେ ପାରଳାଖେମୁଣ୍ଡି ମହାରାଜାଙ୍କୁ ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ କରାଗଲା । କଂଗ୍ରେସର ଗୋଦାବରୀଶ ମିଶ୍ର ଓ ନୀଳକଣ୍ଠ ଦାସ ଆଦି ଏହାକୁ ସମର୍ଥନ କରି ଦଳରୁ ବହିଷ୍କୃତ ହେଲେ । ୧୯୪୧ରୁ ୧୯୪୪ ପର୍ଯ୍ୟନ୍ତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଧାନମନ୍ତ୍ରିତ୍ୱରେ ମନ୍ତ୍ରିମଣ୍ଡଳ ଗଠିତ ହେଲା । ପ୍ରାକ୍ତନ କଂଗ୍ରେସ ନେତା ଗୋଦାବରୀଶ ମିଶ୍ର ଓ ମୁସଲିମ୍‍ ଲୀଗ୍‍ ସଦସ୍ୟ ଅବଦୁର୍‍ ଶୋଭ ଖାଁ ଥିଲେ ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇ ଜଣ ସଦସ୍ୟ । କଂଗ୍ରେସର ଅନ୍ୟ କେତେକ ନେତା ଯଥା: ନୀଳକଣ୍ଠ ଦାସ, ଅଟଳ ବିହାରୀ ଆଚାର୍ଯ୍ୟ, ଦିବାକର ପଟ୍ଟନାୟକ ଓ ଯଦୁମଣି ମଂଗରାଜ ମଧ୍ୟ ଏହି ସମୟରେ ଦଳ ତ୍ୟାଗ କରି ମିଳିତ ମନ୍ତ୍ରିମଣ୍ଡଳର ସମର୍ଥନ କରିଥିଲେ ।

ପ୍ରଗତିଶୀଳ ରାଜନୀତିର ଅଭ୍ୟୁଦୟ ୧୯୩୦ ଦଶକର ଜାତୀୟତାବାଦୀ ରାଜନୀତିର ଏକ ପ୍ରମୁଖ ବିଶେଷତ୍ୱ ହେଲା ପ୍ରଗତିଶୀଳ ରାଜନୈତିକ ବିଚାରଧାରାର ଅଭ୍ୟୁଦୟ । ଆଇନ ଅମାନ୍ୟ ଆନ୍ଦୋଳନର ଅବସାନ ପରେ ବିଶେଷକରି ଯୁବଗୋଷ୍ଠୀ ମଧ୍ୟରେ ଘୋର ନିରାଶା ଦେଖାଗଲା । କଂଗ୍ରେସ ନେତୃତ୍ୱରେ ସଫଳତା ମିଳିବ ବୋଲି ଯୁବଗୋଷ୍ଠୀର ଆସ୍ଥା ରହିଲା ନାହିଁ । ଏହି ସମୟରେ ବିଶ୍ୱ ସ୍ତରରେ ଯୁଦ୍ଧଖୋର ଓ ଧ୍ୱଂସକାରୀ ଫାସୀବାଦୀ ଶକ୍ତିର ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ସୋଭିଏତ୍‍ ରୁଷ୍‍ରେ କମ୍ୟୁନିଷ୍ଟ ନେତୃତ୍ୱ ଉଭୟ ଫାସୀବାଦ ଓ ସାମ୍ରାଜ୍ୟବାଦକୁ ସଫଳତାର ସହ ବିରୋଧ କରୁଛି ବୋଲି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଶ୍ୱାସ ଜାତ ହେଲା । ପୁଣି ଆଦିବାସୀ, କୃଷକ ଓ ଶ୍ରମିକମାନଙ୍କୁ ସ୍ୱାଧୀନତା ସଂଗ୍ରାମକୁ ଆଣିବାକୁ ହେଲେ କଂଗ୍ରେସ ନେତୃତ୍ୱ ବାହାରେ ଏକ ବିକଳ୍ପ ନେତୃତ୍ୱ ସୃଷ୍ଟି କରିବାକୁ ହେବ ବୋଲି ସେମାନେ ଅନୁଭବ କଲେ । ଜାତୀୟ କଂଗ୍ରେସର ନେତୃତ୍ୱ ପ୍ରତି ସେମାନଙ୍କ ଆସ୍ଥା ଊଣା ହେବାକୁ ଲାଗିଲା । ଏହାର ପରିଣାମ ସ୍ୱରୂପ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବାମପନ୍ଥୀ ପ୍ରଗତିଶୀଳ ରାଜନୀତିର ଅଭ୍ୟୁଦୟ ହେଲା । ଏଥିରେ ଉଭୟ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟମାନେ ସାମିଲ୍‍ ଥିଲେ । ଜାତୀୟ କଂଗ୍ରେସର ବିକଳ୍ପ ଭାବରେ ଏହି ଗୋଷ୍ଠୀ ପ୍ରତିଷ୍ଠିତ ହେବାକୁ ଉଦ୍ଦେଶ୍ୟ ରଖିଥିଲେ ସତ୍ୟ, ମାତ୍ର କଂଗ୍ରେସର ବିରୋଧୀ ହେବାକୁ ସେମାନେ ଚାହୁଁ ନଥିଲେ । ଅର୍ଥାତ୍‍ ଜାତୀୟ କଂଗ୍ରେସର ଛତ୍ରଛାୟା ତଳେ ସେମାନଙ୍କର ଅଭ୍ୟୁଦୟ ଘଟିଥିଲା ।

୧୯୩୩ ମସିହା ମେ' ମାସରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରଗତିଶୀଳ ଗୋଷ୍ଠୀର ମୂଳଦୁଆ ପଡ଼ିଲା । ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ଅଳ୍ପ କେତେ ଜଣ ମାତ୍ର ସେତେବେଳେ ଏହି ଗୋଷ୍ଠୀରେ ସାମିଲ୍‍ ଥିଲେ । ସେମାନେ ଓଡ଼ିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ନାମରେ ଏକ ସଂଗଠନ ଗଢ଼ିଥିଲେ । ସଭ୍ୟମାନେ ବ୍ୟକ୍ତିଗତ ସମ୍ପତ୍ତି କରିବେ ନାହିଁ ଏବଂ ନିଜ ନାମରେ ଥିବା ସମ୍ପତ୍ତିକୁ ସଂଘକୁ ଦାନ କରିବେ ବୋଲି ଘୋଷଣା କଲେ । ସେହି{{right|ଓଡ଼ିଶା ଇତିହାସ . ୨୯୫