ପୃଷ୍ଠା:Odisha Itihasa.pdf/୨୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂତ୍ରରେ ନବକୃଷ୍ଣ ଓ ମାଳତୀ ଚୌଧୁରୀ ନିଜର ସମ୍ପତ୍ତି ଓ ଗହଣା ଦାନ କଲେ । ଏହି ପୁଞ୍ଜିରେ 'ସାରଥି' ଏବଂ ପରେ 'କୃଷକ' ନାମରେ ପ୍ରଗତିଶୀଳ ପତ୍ରିକା ପ୍ରକାଶିତ ହେଲା । ୧୯୩୪ ମସିହାରେ ବିହାରର ପାଟନାଠାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଗଠନ ହେଲା । ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଅଚ୍ୟୁତ ପଟ୍ଟବର୍ଦ୍ଧନ ଆଦି ଏହାର ପ୍ରମୁଖ ନେତା । ଓଡ଼ିଶାର ସାମ୍ୟବାଦୀ ସଂଘ ଏହି ପାର୍ଟିରେ ସାମିଲ୍‍ ହେଲା । ଏକ ସର୍ବଭାରତୀୟ ସ୍ତରର ସଂଗଠନ ସହ ଯୋଡ଼ି ନହେଲେ ରାଜନୀତିରେ ସଂଘର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ନେତୃବୃନ୍ଦ ଅନୁଭବ କରୁଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ନେତୃବୃନ୍ଦ ବିଭିନ୍ନ ପ୍ରଦେଶରେ ଆଞ୍ଚଳିକ ସ୍ତରରେ ଜନ୍ମ ନେଇଥିବା ସମାଜବାଦୀ ଗୋଷ୍ଠୀଗୁଡ଼ିକ ସହ ସମନ୍ୱୟ ସ୍ଥାପନ କରୁଥିଲେ ।

୧୯୩୪ରେ ଓଡ଼ିଶାର କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ପ୍ରାଣନାଥ ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ ଆଦି ଯୋଗ ଦେଲେ । ପ୍ରାଣନାଥ ଓ ଗୁରୁ ଚରଣ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କାଳରେ କମ୍ୟୁନିଷ୍ଟ ବିଚାରଦ୍ୱାରା ପ୍ରଭାବିତ ହୋଇଥିଲେ । ଭଗବତୀ ପାଟନା ବିଶ୍ୱବିଦ୍ୟାଳୟରେ କମ୍ୟୁନିଷ୍ଟ ଆନ୍ଦୋଳନ ସହ ସଂପୃକ୍ତ ହୋଇଥିଲେ । ଏମାନେ ସମସ୍ତେ ସୋସିଆଲିଷ୍ଟମାନଙ୍କ ସହ ମିଶି କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ କାର୍ଯ୍ୟ କଲେ । ସମସ୍ତେ ମିଶି କୃଷକ ଓ ପ୍ରଜାମଣ୍ଡଳ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ, ଯାହା ପୂର୍ବରୁ ଆଲୋଚନା ହୋଇ ସାରିଛି ।

'ସାରଥି' ଓ 'କୃଷକ' ଥିଲା ଏହି ଗୋଷ୍ଠୀର ମୁଖପତ୍ର । ୧୯୩୫ରେ ସେମାନେ ସଚ୍ଚି ରାଉତ ରାୟ, ଅନନ୍ତ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦିଙ୍କ ସାଙ୍ଗରେ 'ନବଯୁଗ ସାହିତ୍ୟ ସଂସଦ' ଗଠନ କଲେ । ସଂସଦର ଉଦ୍ଦେଶ୍ୟକୁ ସୁସ୍ପଷ୍ଟ କରି ୧୯୩୯ରେ 'ରକ୍ତଶିଖା' ପତ୍ରିକା ଲେଖିଥିଲା - "ଓଡ଼ିଶାରେ ଗଣ ଆନ୍ଦୋଳନ ତୀବ୍ରତର ହେଉଥିଲେ ହେଁ, ସେହି ତୁଳନାରେ ଗଣ ସାହିତ୍ୟର ପ୍ରଗତି ସାଧିତ ହୋଇପାରି ନାହିଁ । ଗଣ ଆନ୍ଦୋଳନକୁ ଆଗେଇ ନେବାରେ ଏକ ସ୍ପଷ୍ଟ ଆଭିମୁଖ୍ୟର ଆବଶ୍ୟକତା ରହିଛି । ନବଯୁଗର ସାହିତ୍ୟ କୃତିଗୁଡ଼ିକ ସମସ୍ତ ପ୍ରକାର ଅଣ-ସାମ୍ରାଜ୍ୟବାଦୀ ଶକ୍ତିପାଇଁ ଏକ ନୂତନ ଯୁଗର ସଂଦେଶ ବହନ କରିବା ସହିତ ସେମାନଙ୍କୁ ଏହି ଆନ୍ଦୋଳନର ଆଭିମୁଖ୍ୟ ବୁଝାଇବାନିମିତ୍ତ ଅଭିପ୍ରେତ ।"

ପ୍ରଗତିଶୀଳ ଗୋଷ୍ଠୀ ବା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଉପରକୁ ଏକ ଦେଖାଯାଉଥିଲା । ମାତ୍ର ତା' ଭିତରେ ଉଭୟ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟମାନେ ରହିଥିଲେ ଏବଂ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ଏହା ସର୍ବଭାରତୀୟ ସ୍ତରରେ ଯେମିତି ଥିଲା, ଓଡ଼ିଶା ସ୍ତରରେ ମଧ୍ୟ ସମ ରୂପରେ ରହିଥିଲା । ସୋସିଆଲିଷ୍ଟମାନଙ୍କ ଅଭିଯୋଗ ଯେ ମାର୍କସବାଦ ଦ୍ୱାରା ପ୍ରଭାବିତ କମ୍ୟୁନିଷ୍ଟମାନେ କଂଗ୍ରେସ ଓ ସୋସିଆଲିଷ୍ଟମାନଙ୍କୁ ନିଜ ଦଳର ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ବୈଚାରିକ ଦୃଷ୍ଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ପାର୍ଥକ୍ୟ ରହିଥିଲା । କଂଗ୍ରେସର ଉପନିବେଶବାଦବିରୋଧୀ ନେତୃତ୍ୱ ଉପରେ୨୯୬ . ଓଡ଼ିଶା ଇତିହାସ