ପୃଷ୍ଠା:Odisha Itihasa.pdf/୨୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୩୯ ମେ' ମାସରେ ମହାତ୍ମାଗାନ୍ଧୀଙ୍କ ସହ ମତ ପାର୍ଥକ୍ୟଯୋଗୁଁ ସୁଭାଷ ବୋଷ ଫରଓ୍ୱାର୍ଡ଼ ବ୍ଲକ୍‍ ନାମରେ ଏକ ନୂଆ ପାର୍ଟି ଗଠନ କଲେ । ଏହା ସ୍ୱାଧୀନତାପାଇଁ ଶୀଘ୍ର ଏକ ବଡ଼ ଧରଣର ଆନ୍ଦୋଳନ ହେବା କଥା ବୋଲି ଯୁକ୍ତି ବାଢ଼ୁଥିଲା । କଂଗ୍ରେସ ଦଳର ବାମପନ୍ଥୀ ପ୍ରଗତିଶୀଳ ଗୋଷ୍ଠୀ ଫରଓ୍ୱାର୍ଡ଼ ବ୍ଲକ୍‍ର ନିକଟତର ହେବାକୁ ଲାଗିଲେ । କମ୍ୟୁନିଷ୍ଟମାନେ ନିଜ ଗାନ୍ଧୀ ବିରୋଧୀ ସ୍ୱଭାବଯୋଗୁଁ ଏହି ଦଳକୁ ଆରମ୍ଭରେ ଦୃଢ଼ ସମର୍ଥନ ଜଣାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା କଂଗ୍ରେସର ଏକ ରକ୍ଷଣଶୀଳ ଗୋଷ୍ଠୀ ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ଏହି ଦଳକୁ ସମର୍ଥନ ଦେଲେ । ଜନ ସମର୍ଥନପାଇଁ ସୁଭାଷ ବୋଷ ପୁରୀକୁ ଆସିଥିଲେ । ତାଙ୍କୁ ନୀଳକଣ୍ଠ ଦାସ ଆଦି ଖୋଲାଖୋଲି ସାହାଯ୍ୟ କରୁଥିଲେ । ଫଳରେ କମ୍ୟୁନିଷ୍ଟମାନେ ଫରଓ୍ୱାର୍ଡ଼ ବ୍ଲକ୍‍ରୁ ଦୂରେଇ ରହିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୁଭାଷ ବୋଷ ପୁଣି ଭାରତରୁ ଚାଲିଯାଇ ନାଜୀ ଜର୍ମାନୀର ସମର୍ଥନ ଲୋଡ଼ିଲେ । ଅନ୍ୟ ପକ୍ଷରେ ଜୁନ୍ ୧୯୩୯ରେ ନାଜି ଜର୍ମାନୀ ପକ୍ଷରୁ ସୋଭିଏତ ରୁଷ ଉପରେ ଆକ୍ରମଣ ହେଲା । ଏହା ପରେ କମ୍ୟୁନିଷ୍ଟମାନେ ସୁଭାଷ ବୋଷ ଓ ଫରଓ୍ୱାର୍ଡ଼ ବ୍ଲକ୍‍କୁ ଆଉ ମିତ୍ର ମଣିଲେ ନାହିଁ ।

ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ୧୯୩୦ ଦଶକର ଇତିହାସ ଓଡ଼ିଶାପାଇଁ ଖୁବ୍‍ ମହତ୍ତ୍ୱପୂର୍ଣ୍ଣ ଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ପ୍ରଜାମଣ୍ଡଳ ଆନ୍ଦୋଳନ, ମନ୍ତ୍ରିମଣ୍ଡଳ ଗଠନ ଏବଂ ଆଇନ ଅମାନ୍ୟ ମାଧ୍ୟମରେ ଲବଣ ସତ୍ୟାଗ୍ରହ, ଆଦି ଘଟନା ଓଡ଼ିଶାର ଜନଜୀବନକୁ ରାଜନୈତିକ କଲା ଯେତିକି, ଇଂରେଜ ଉପନିବେଶବାଦର ବିରୋଧୀ କଲା ସେତିକି । ଏହି କାଳାଂଶରେ ଗୋଟିଏ ପଟେ ପ୍ରଗତିଶୀଳ ଗୋଷ୍ଠୀ ସାଧାରଣ ପ୍ରଜାର ପକ୍ଷ ନେଇ ବିଶ୍ୱସ୍ତରର ମାର୍କସବାଦୀ ଆନ୍ଦୋଳନ ସହ ନିଜକୁ ଯୋଡ଼ିବାକୁ ପ୍ରୟାସ କଲେ । ଅନ୍ୟ ପକ୍ଷରେ, ଅନେକ ପ୍ରାକ୍ତନ ଲଢ଼ୁଆ କଂଗ୍ରେସ ନେତା କ୍ଷମତା ଲୋଭର ଶିକାର ହୋଇ ଗୋଷ୍ଠୀ କନ୍ଦଳରେ ଜଡ଼ିତ ରହିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଶାସକ ଦଳଗୁଡ଼ିକ ଯେଉଁସବୁ ସ୍ତରରେ କ୍ଷମତା ରାଜନୀତିର ଶିକାର ହେଲେ, ତା'ର ଏକ ବୀଜ ରୂପ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଲା । କଂଗ୍ରେସ ଦଳ ୧୯୩୯ ନଭେମ୍ବରରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲା । ପରେ କେତେକ କଂଗ୍ରେସ ନେତା ସରକାରର ପକ୍ଷ ନେଲେ ଏବଂ ମିଳିତ ମନ୍ତ୍ରିମଣ୍ଡଳ ଗଠନ କଲେ । ଅର୍ଥାତ୍‍ ଏହି ସମୟରେ ଯେତେବେଳେ କଂଗ୍ରେସ ଦଳ ଏକ ବ୍ୟାପକ ଗଣ ଆନ୍ଦୋଳନର ମୂର୍ତ୍ତ ରୂପ ନେଲା, ସେତେବେଳେ ଏହାର କେତେକ ନେତା ଦଳ ତ୍ୟାଗ କରି କ୍ଷମତାର ଅଂଶୀଦାର ହେବାକୁ ପ୍ରୟାସ କଲେ । ସାମନ୍ତବର୍ଗ ଓ ଇଂରେଜ ସରକାର ସହ ସେମାନଙ୍କର ଏଣିକି ମିତ୍ରତା ବୃଦ୍ଧି ପାଇଲା । ଏହା ବିଶ୍ଳେଷଣ କରି ଦେଖିଲେ ଜାତୀୟତାବାଦୀ ରାଜନୀତିର ଅନ୍ତର୍ଦ୍ୱନ୍ଦ୍ୱକୁ ଦେଖାଏ । ମାତ୍ର ଏହା ଥିଲା ସେତେବେଳର ରାଜନୈତିକ ବାସ୍ତବିକତା ।

...

୨୯୮ . ଓଡ଼ିଶା ଇତିହାସ