ପୃଷ୍ଠା:Odisha Itihasa.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇପଦ

ଓଡ଼ିଶାର ବିବିଧ ବିଷୟରେ ଓଡ଼ିଆ ପୁସ୍ତକ ସୁଲଭ ମୂଲ୍ୟରେ ସାଧାରଣ ପାଠକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ "ଆମ ଓଡ଼ିଶା'ର ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ୱାରା ଓଡ଼ିଶାର ଭାଷା, ସାହିତ୍ୟର ସୁରକ୍ଷା ସହିତ ଓଡ଼ିଶାକୁ ଚିହ୍ନି ଭଲପାଇବାର ସଂକଳ୍ପ ସଫଳ ହେବ ବୋଲି ଆମର ଆଶା । ଭାଷା ଓ ଜାତିର ପରିଚୟ ପାଇଁ ଯେଉଁ କେତେଗୁଡ଼ିଏ ମୌଳିକ ପୁସ୍ତକର ଆବଶ୍ୟକତା ଅଛି, ସେଗୁଡ଼ିକ ମଧ୍ୟରୁ ଅଭିଧାନ, ବ୍ୟାକରଣ ଓ ଇତିହାସ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତୀତକୁ ନ ଜାଣିଲେ ବର୍ତ୍ତମାନକୁ ବୁଝି ହେବନାହିଁ କି ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା କରିହେବ ନାହିଁ । ମୋର କାହିଁକି ମନେ ହେଉଛି, ଓଡ଼ିଶାର ଯାବତୀୟ ଜାତୀୟ ସମସ୍ୟା ପାଇଁ ଅତୀତ-ସଚେତନତାର ଅଭାବ ଅନେକ ପରିମାଣରେ ଦାୟୀ । ଏହା ଆମ ସମସ୍ତଙ୍କ ପାଇଁ ଏକ ବିଡ଼ମ୍ବନା । କାରଣ ଓଡ଼ିଶାର ଅତୀତକୁ ନେଇ ଆମେ ସାଧାରଣତଃ ଗର୍ବ କରିଥାଉ, ଅଥଚ ସାଧାରଣରେ ଆମର ଆବଶ୍ୟକ ଅତୀତ-ସଚେତନତା ନାହିଁ । ଏହାର ମୂଳ କାରଣ ହେଲା, ସ୍କୁଲ୍ ପାଠ୍ୟକ୍ରମରେ ଓଡ଼ିଶାର ଇତିହାସ ସଂପର୍କରେ ପିଲାମାନଙ୍କୁ ବିଶେଷ କିଛି ପଢ଼ିବାପାଇଁ ଦିଆଯାଉ ନାହିଁ । ନିଜସ୍ୱ ଉଦ୍ୟମରେ ଜଣେ କିଛି ଜାଣିବାକୁ ଚାହିଁଲେ ମଧ୍ୟ ଏକ ସଂକ୍ଷିପ୍ତ ଇତିହାସ ବହି ସହଜରେ ଓ ସୁଲଭ ମୂଲ୍ୟରେ ମିଳୁ ନ ଥିବାରୁ ତାହା ସମ୍ଭବ ହେଉ ନାହିଁ ।

ଓଡ଼ିଶାର ଅତୀତକୁ ସହଜରେ ଜାଣିବାପାଇଁ ଏକ ସଂକ୍ଷିପ୍ତ ଅଥଚ ପୂର୍ଣ୍ଣାଙ୍ଗ ଇତିହାସ ପୁସ୍ତକ ପ୍ରକାଶ କରିବାର ଯୋଜନା ଆମର ବହୁ ଦିନରୁ ଥିଲା । ଏଥିପାଇଁ ଓଡ଼ିଶାର ବିଶିଷ୍ଟ ଐତିହାସିକମାନଙ୍କୁ ନେଇ ଏକ ଲେଖକମଣ୍ତଳୀ ଗଠନକରି ସେମାନଙ୍କୁ ଏହି ଦାୟିତ୍ୱ