ପୃଷ୍ଠା:Odisha Itihasa.pdf/୩୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରକାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପ୍ରତି ନମନୀୟ ହୋଇ ଭାରତୀୟମାନଙ୍କ ସହଯୋଗ ଲୋଡ଼ିବା କଥା । ମାତ୍ର ତାହା କରୁ ନଥିଲେ । ପ୍ରାଦେଶିକ ମନ୍ତ୍ରିମଣ୍ଡଳଗୁଡ଼ିକର ବିନା ପରାମର୍ଶରେ ଭାରତକୁ ଯୁଦ୍ଧରେ ମିତ୍ର ପକ୍ଷର ସମର୍ଥରେ ସାମିଲ୍‍ କରିଦେଲେ । ଏହାର ପ୍ରତିବାଦ କରି ୧୯୩୯ ନଭେମ୍ବରରେ କଂଗ୍ରେସର ମନ୍ତ୍ରିମଣ୍ଡଳଗୁଡ଼ିକ ସରକାରରୁ ଇସ୍ତଫା ଦେଲେ, ଯାହା ପୂର୍ବରୁ ଆଲୋଚିତ ହୋଇ ସାରିଛି । ଏହିଭଳି ପରିସ୍ଥିତିରେ ଜାତୀୟ କଂଗ୍ରେସ ଓ ତା'ର ନେତୃତ୍ୱରେ ଥିବା ମହାତ୍ମାଗାନ୍ଧୀଙ୍କ ପାଇଁ ଆନ୍ଦୋଳନକୁ ନେଇ ନିଷ୍ପତ୍ତି ନେବା କଠିନ ହୋଇ ପଡ଼ିଲା । ୧୯୪୦ ମସିହାରେ ଗାନ୍ଧି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ । କର୍ମୀମାନଙ୍କ ମନୋବଳକୁ ଅତୁଟ ରଖିବା ସକାଶେ ଏହା ଥିଲା ଏକ ସୀମିତ ଆନ୍ଦୋଳନ । ୧୯୪୨ ଏପ୍ରିଲ୍‍ରେ ସରକାର ଯୁଦ୍ଧରେ କଂଗ୍ରେସର ସହଯୋଗପାଇଁ କ୍ରିପ୍‍ସ ମିଶନକୁ ଭାରତ ପ୍ରେରଣ କଲେ । ସାର ଷ୍ଟାଫୋର୍ଡ଼ କ୍ରିପ୍ପଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ମିଶନ ଭାରତର ସ୍ୱାଧୀନତାପାଇଁ କୌଣସି ଠୋସ୍‍ ପଦକ୍ଷେପକୁ ସ୍ୱୀକାର କଲା ନାହିଁ । ଫଳରେ କଂଗ୍ରେସ ତାକୁ ଅଗ୍ରାହ୍ୟ କଲା । ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ହେଲା ଯେ, ଇଂରେଜମାନେ ଫାସୀବାଦର ଆକ୍ରମଣ ସତ୍ତ୍ୱେ ଭାରତର ଦାବିକୁ ମାନିନେଇ ପ୍ରକୃତ ସହଯୋଗ ପାଇବା ଲକ୍ଷ୍ୟରେ ନାହାନ୍ତି । ସରକାରର ଅନମନୀୟତା ଲୋକଙ୍କୁ ଅଧିକ ଉଗ୍ର କଲା । ଅନ୍ୟ ପକ୍ଷରେ ଯୁଦ୍ଧଯୋଗୁଁ ଦରଦାମ ବୃଦ୍ଧି ମଧ୍ୟ ଲୋକଙ୍କୁ ସରକାର ବିରୋଧୀ କଲା । ଏସବୁ ବ୍ୟତୀତ ଯୁଦ୍ଧରେ ଦକ୍ଷିଣ ପୂର୍ବ ଏସିଆରେ ଜାପାନର ଆଶୁ ସଫଳତା ଓ ବ୍ରିଟିଶ୍‍ର ତୀବ୍ର ବିଫଳତାରୁ ମନେ ହେଲା ଯେ ଇଂରେଜ ସରକାର ଯେ କୌଣସି ସମୟରେ ଭାରତରେ ଜାପାନ ଆକ୍ରମଣର ସମ୍ମୁଖୀନ ହେବ ଏବଂ ତାକୁ ପ୍ରତିହତ କରି ନପାରି ଜାପାନ ଭଳି ଏକ ଫାସୀବାଦୀ ଶକ୍ତି ହାତରେ ଦେଶକୁ ଛାଡ଼ି ପଳାଇବ । ମାଳୟ ଓ ବର୍ମାରେ ବ୍ରିଟିଶ୍‍ମାନେ ପରାଜୟର ସମ୍ମୁଖୀନ ହୋଇ ସାରିଥିଲେ । ୧୯୪୩ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ବ୍ରିଟିଶ୍‍ ହାତରୁ ଜାପାନ ହାତକୁ ଚାଲିଗଲା । ଏହି ସ୍ଥିତିରେ ଉଭୟ ଇଂରେଜ ଉପନିବେଶବାଦ ଓ ଜାପାନୀ ସାମରିକ ଫାସୀବାଦରୁ ଦେଶକୁ ସୁରକ୍ଷିତ କରିବାନିମିତ୍ତ ଏକ ବ୍ୟାପକ ଗଣ ଆନ୍ଦୋଳନ ଆରମ୍ଭ କରିବାକୁ ଗାନ୍ଧୀ ନିଷ୍ପତ୍ତି ନେଲେ ।

୧୯୪୨ ଜୁଲାଇ ୧୪ ତାରିଖ ଦିନ ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେଲା । ତହିଁରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଗଲା । ୧୯୪୨ ଅଗଷ୍ଟ ୮ ତାରିଖ ଦିନ ମୁମ୍ବାଇ(ବମ୍ବେ)ର ଗୋଓ୍ୱାଲିଆଟେଙ୍କଠାରେ ଅଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲା । ବୈଠକସ୍ଥଳୀ ସମ୍ମୁଖରେ ଏକତ୍ରିତ ଜନ ସମାଗମରୁ ସ୍ପଷ୍ଟ ହେଲା ଯେ, ଆଗତ ଗଣ-ଆନ୍ଦୋଳନର ପ୍ରଭାବ ଦୀର୍ଘସ୍ଥାୟୀ ଓ ସୁଦୂରପ୍ରସାରୀ ହେବ ।

ଅଗଷ୍ଟ ବିପ୍ଳବକୁ ମୂଳରୁ ଦମନ କରିବା ସକାଶେ ସରକାର ସମସ୍ତ ବନ୍ଦୋବସ୍ତ କରିଥିଲେ । ବମ୍ବେରେ ଏକତ୍ରିତ କଂଗ୍ରେସର ନେତୃବର୍ଗଙ୍କୁ ୯ ତାରିଖ ବେଳକୁ ଗିରଫ କରାଗଲା ଏବଂ ଅଜଣା ସ୍ଥାନମାନଙ୍କରେ ଅଟକ ରଖାଗଲା । କଂଗ୍ରେସକୁ ନିଷିଦ୍ଧ ଘୋଷଣା କରାଗଲା । କଂଗ୍ରେସକୁ୩୦୦ . ଓଡ଼ିଶା ଇତିହାସ