ପୃଷ୍ଠା:Odisha Itihasa.pdf/୩୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଦନାମ କରିବାପାଇଁ ତଥା ସରକାରୀ ଦମନକୁ ଯୁକ୍ତିସିଦ୍ଧ କରିବାପାଇଁ ସରକାର କଂଗ୍ରେସ ବିରୁଦ୍ଧରେ ନାନା ଅଭିଯୋଗ ଆଣିଲେ । ତହିଁରେ କଂଗ୍ରେସର ସମାନ୍ତରାଳ ସରକାର ଗଠନ କରିବା, ବ୍ରିଟିଶ୍‍ ବ୍ୟକ୍ତିମାନଙ୍କୁ ସାମାଜିକ ବାସନ୍ଦ କରିବା, ଗାନ୍ଧିଙ୍କର ନିଜକୁ ବିଦ୍ରୋହୀ ଓ ବ୍ରିଟିଶ୍‍ ନାଗରିକତାକୁ ତ୍ୟାଗ କରିବା ନେଇ ଘୋଷଣା କରିବା, ରାସ୍ତାର ପୋଲ ଭାଙ୍ଗିବା, ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରବର୍ତ୍ତାଇବା, ରେଳ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରିବା, ଟେଲିଗ୍ରାଫ୍‍ ଯୋଗାଯୋଗରେ ବାଧା ଉତ୍ପନ୍ନ କରିବା, ବିନା ଟିକଟରେ ରେଳ ଯାତ୍ରା କରିବା ଆଦି ଉଲ୍ଲେଖ ଥିଲା । ସରକାରଙ୍କ ଅଭିଯୋଗ ଯେତେବେଳେ ଲୋକଲୋଚନକୁ ଆସିଲା, ଲୋକ ସେସବୁକୁ କଂଗ୍ରେସର ଉଦ୍ଦେଶ୍ୟ ମନେକରି କାର୍ଯ୍ୟକାରୀ କରିବାକୁ ଲାଗିଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସାତ୍ମକ ରୂପ ନେଲା । କଂଗ୍ରେସର ନେତୃବୃନ୍ଦ ଗିରଫ ହୋଇ ଥିବାରୁ ଲୋକଙ୍କୁ ଏସବୁ କାର୍ଯ୍ୟରୁ ବାରଣ ସୁଦ୍ଧା କରାଯାଇ ପାରିଲା ନାହିଁ । ଅଗଷ୍ଟ ପ୍ରସ୍ତାବର ଆଲୋଚନା ବେଳେ ବ୍ୟାପକ ଦମନର ଆଶଙ୍କା କରି ଗାନ୍ଧୀ ସୁସ୍ପଷ୍ଟ କରିଥିଲେ ଯେ 'କର ବା ମର' ହେବ ଏହି ବିପ୍ଳବର ମୂଳମନ୍ତ୍ର । ଦମନଯୋଗୁଁ ଯଦି କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ହୁଏ, ତେବେ ପ୍ରତ୍ୟେକ ସ୍ୱାଧୀନତାକାମୀ ନିଜେ ନିଜର ପଥ ପ୍ରଦର୍ଶକ ହେବେ । ଗାନ୍ଧୀଙ୍କର ଏହି ନିର୍ଦେଶ ଲୋକଙ୍କୁ ନିଜ ନିଜ ମତେ ଆନ୍ଦୋଳନର ପନ୍ଥା ନିର୍ଦ୍ଧାରଣ କରିବାକୁ ଅବସର ଦେଲା । ଏହା ଫଳରେ ଅଗଷ୍ଟ ବିପ୍ଳବ ଆଉ ଅହିଂସ ରହିପାରିଲା ନାହିଁ । ଲୋକ ପୋଷ୍ଟ ଅଫିସ୍‍ ଲୁଟି ନେଲେ, ରେଳଧାରଣା ଉପାଡ଼ି ଦେଲେ, ଟେଲିଗ୍ରାଫ୍‍ ତାର କାଟି ନେଲେ, ସରକାରୀ ଅଫିସ୍‍ଗୁଡ଼ିକ ଉପରେ ଆକ୍ରମଣ କଲେ ତଥା ବିଭିନ୍ନ ସ୍ଥାନରେ ସମାନ୍ତରାଳ ସରକାର ଗଠନ କଲେ । ଅଳ୍ପ ସମୟ ମଧ୍ୟରେ 'ଭାରତ ଛାଡ଼ ଆନ୍ଦୋଳନ' ଏକ ବ୍ୟାପକ ବିପ୍ଳବର ରୂପ ନେଲା । ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ୯ ଅଗଷ୍ଟ ପ୍ରତ୍ୟୂଷରେ ଅଧିକାଂଶ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ, ଭାଗୀରଥି ମହାପାତ୍ର, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଜକୃଷ୍ଣ ବୋଷ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାଣକୃଷ୍ଣ ପଢ଼ିଆରୀ, ମଦନ ମୋହନ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ରାଧାକୃଷ୍ଣ ବିଶ୍ୱାସରାୟ, ମନମୋହନ ଚୌଧୁରୀ, ରାଧାନାଥ ରଥ, ଆଚାର୍ଯ୍ୟ ହରିହର ଦାସ, ଲୋକନାଥ ମିଶ୍ର, ସୁଧୀର ଘୋଷ, ନୀଳାମ୍ବର ଦାସ ଓ ମହମ୍ମଦ ଅଝର । ସେହିଦିନ (୯ ଅଗଷ୍ଟ ୧୯୪୨) ସରକାରୀ ଗେଜେଟରେ କଂଗ୍ରେସର ୩୮ଟି କାର୍ଯ୍ୟାଳୟକୁ ବେଆଇନ୍‍ ଘୋଷଣା କରାଗଲା ଏବଂ ସେଗୁଡ଼ିକର ସମସ୍ତ ଆସବାବପତ୍ରକୁ ବାଜ୍ୟାପ୍ତ କରାଗଲା । ଏହା ପରେ ଆନ୍ଦୋଳନ ଆଉ ବଡ଼ ନେତାଙ୍କ ନିୟନ୍ତ୍ରଣରେ ରହିଲା ନାହିଁ । ବିଶେଷକରି ଯୁବକର୍ମୀ ଓ ଛାତ୍ର, ଆଦିବାସୀ ଓ ସାଧାରଣ କର୍ମୀ ଏଣିକି ଆନ୍ଦୋଳନକୁ ପରିଚାଳନା କଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସ୍ର ହେବାକୁ ଅବସର ପାଇଲା ।

ବମ୍ବେର କଂଗ୍ରେସ ବୈଠକରେ ଓଡ଼ିଶାରୁ ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ପ୍ରହଲ୍ଲାଦ ରାୟ ଲାଠ ଓ ଲକ୍ଷ୍ମୀ ନାରାୟଣ ମିଶ୍ର ରାଜ୍ୟ ପ୍ରତିିନିଧି ଭାବେ ଯୋଗ ଦେଇଥିଲେ । ଅଗଷ୍ଟ ୧୧ ଓ ୧୨ ବେଳକୁ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ମାଳତୀ ଦେବୀ କଟକ{{right|ଓଡ଼ିଶା ଇତିହାସ . ୩୦୧