ପୃଷ୍ଠା:Odisha Itihasa.pdf/୩୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫେରିଆସିବା ପରେ ଏକ ଗୁପ୍ତ ସଂଗଠନ ଭାବରେ ସେମାନେ କଂଗ୍ରେସର କାର୍ଯ୍ୟ ଆରମ୍ଭ କଲେ । କଂଗ୍ରେସ ବାର୍ତ୍ତା ଓ ସତ୍ୟ ସମ୍ବାଦ ନାମକ ବୁଲେଟିନ୍ ବାହାର କରି ସୁରେନ୍ଦ୍ରନାଥ ଦ୍ୱିବେଦୀ ସେଗୁଡ଼ିକୁ କଲେଜ ଛାତ୍ରମାନଙ୍କ ହାତରେ ବିଭିନ୍ନ ସ୍ଥାନକୁ ପ୍ରେରଣ କଲେ । ମଥୁରାନନ୍ଦ ସାହୁ ଓ ଗୌରଚନ୍ଦ୍ର ଦାସ ଥିଲେ ତାଙ୍କର ପ୍ରଧାନ ସହଯୋଗୀ । ବୁଲେଟିନ୍‍ ମାଧ୍ୟମରେ ଜିଲ୍ଲାମାନଙ୍କରେ ଗୁପ୍ତ ସଂଗଠନ ସ୍ଥାପନ କରିବାକୁ ତଥା ଗିରଫ ନ ହୋଇ 'ଅଣ୍ଡରଗ୍ରାଉଣ୍ଡ'ରେ ଥିବା କର୍ମୀମାନଙ୍କ ମଧ୍ୟରେ ସହଯୋଗ ରକ୍ଷା କରିବାକୁ ଉଦ୍ୟମ କରାଯାଉଥିଲା । ଏହାଛଡ଼ା ଛାତ୍ର, ବ୍ୟବସାୟୀ, ପୋଲିସ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ବିପ୍ଳବରେ ଯୋଗଦେବାକୁ ପ୍ରେରଣା ଦିଆଯାଉଥିଲା । ଆଜାଦ ପଞ୍ଚାୟତ ଗଢ଼ି ତାହାରି ମାଧ୍ୟମରେ ଆପୋସରେ କଳି, ଗଣ୍ଡଗୋଳକୁ ସମାଧାନ କରିବାକୁ ତଥା ସରକାରୀ ତହସିଲ୍‍ରେ ଖଜଣା କିମ୍ବା ଜୋରିମାନା ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଉଥିଲା । କେତେକ ସ୍ଥଳରେ ବିପ୍ଳବ-ବିରୋଧୀଙ୍କୁ ଗୁପ୍ତ ସଂଗଠନ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଉଥିଲା । ପୋଲିସକୁ ନିରସ୍ତ୍ର କରିବା ସକାଶେ ମଧ୍ୟ ଏଥିରେ ପରାମର୍ଶ ଦିଆ ଯାଉଥିଲା । 'ଭାରତର ସ୍ୱାଧୀନତାପାଇଁ ଶେଷ ବିପ୍ଳବ' ନାମକ ଏକ ବୁଲେଟିନ୍‌ରେ ଉଲ୍ଲେଖ ଥିଲା -

"ବନ୍ଧୁଗଣ ! ଇଂରେଜକୁ ଛାଡ଼ନାହିଁ । ଏତେ ଦିନ ଧରି ଯେ ଆମ ରକ୍ତ ଶୋଷି ଚାଲିଥିଲେ, ଅତି କମ୍‍ରେ ଥରୁଟିଏ ଭାରତରେ ସେମାନଙ୍କ ରକ୍ତପାତ ହେଉ । ଆଉ ସମୟ ନାହିଁ । ସମସ୍ତେ ଜାଗ୍ରତ ହୁଅ । ସବୁ ସରକାରୀ କାର୍ଯ୍ୟାଳୟକୁ ଜାଳିଦିଅ । ଟେଲିଫୋନ୍‍ ଓ ବିଜୁଳି ତାରକୁ କାଟି ପକାଅ । ରାଜକୋଷ ଲୁଟି ନେଇ ଗରିବଙ୍କ ମଧ୍ୟରେ ବାଣ୍ଟିଦିଅ । ...ରାତିରେ ଗୋରା ସାହେବଙ୍କ ଉପରେ ଅତର୍କିତ ଆକ୍ରମଣ କର ।"

କଟକବାସୀଙ୍କୁ ସଂବୋଧନ କରି ଅନ୍ୟ ଏକ ବୁଲେଟିନ୍‌ରେ ଲେଖାଥିଲା, "ହେ କଟକବାସୀ! ତୁମେ କ'ଣ ଏହି ମହାନ ସଂକଳ୍ପରୁ ଦୂରେଇ ରହିବ ? ଆଉ ବିଳମ୍ବ ନ କରି ସାହସ ଓ ଦମ୍ଭର ସହିତ ଏହି ପ୍ରବଳ ସ୍ରୋତରେ ଝାସ ଦିଅ । ସରକାରୀ କଳକୁ ଅଚଳ କରିଦିଅ । ପୋଲିସ୍‍ ଷ୍ଟେସନ, କଚେରି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର କାଗଜପତ୍ରକୁ ପୋଡ଼ିଦିଅ । ଟେଲିଗ୍ରାଫ୍‍ ଓ ଟେଲିଫୋନ୍‍ ଖୁଣ୍ଟଗୁଡ଼ିକୁ ଉପାଡ଼ି ପକାଅ । ରେଳ ଷ୍ଟେସନକୁ ଧ୍ୱଂସ କର । ଶତ୍ରୁର ଦାସତ୍ୱର ବେଡ଼ିରୁ ପୋଲିସ୍‍, ଡେପୁଟି ମାଜିଷ୍ଟ୍ରେଟ୍‍ ଓ କିରାଣି ଭାଇମାନଙ୍କୁ ମୁକୁଳେଇ ଦିଅ । ସରକାରର ସାହାଯ୍ୟକାରୀମାନଙ୍କୁ କିଛି ବିକ୍ରୀ କରନାହିଁ । ମଫସଲରେ ଆନ୍ଦୋଳନକୁ ବିସ୍ତାରିତ କର ।"

ବୁଲେଟିନ୍‌ଗୁଡ଼ିକରେ ସରକାରୀ କର୍ମଚାରୀ, ପୋଲିସ ଏବଂ ଜନସାଧାରଣଙ୍କୁ ମଧ୍ୟ ବହୁ ସଂଖ୍ୟାରେ ବିପ୍ଳବରେ ଯୋଗ ଦେବାକୁ ଆହ୍ୱାନ କରାଯାଇଥିଲା । ବୁଲେଟିନ୍ ମାଧ୍ୟମରେ ବହୁ ଉତ୍ତେଜନାମୂଳକ ଲେଖା ପ୍ରକାଶିତ ହେଉଥିଲା । ଏସବୁ କାର୍ଯ୍ୟରେ ପରିଣତ ନହେଲେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଓ କଟକ ଜିଲ୍ଲାର ଗୋବିନ୍ଦପୁର, ଏରସମା, ତିର୍ତ୍ତୋଲ୍‍ ଓ ଯାଜପୁରଠାରେ ଯେଉଁ ହିଂସାତ୍ମକ ଘଟଣାମାନ ଘଟିଥିଲା, ତହିଁରେ ତା'ର ଅନେକ ପ୍ରଭାବ ରହିଥିଲା । ସମଗ୍ର ପ୍ରଦେଶରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆନ୍ଦୋଳନର ଶାଖା ଗଠନ କରିବାକୁ୩୦୨ . ଓଡ଼ିଶା ଇତିହାସ