ପୃଷ୍ଠା:Odisha Itihasa.pdf/୩୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧର୍ମଘଟଯୋଗୁଁ ରେଭେନ୍‌ସା ମହାବିଦ୍ୟାଳୟ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ବନ୍ଦ ରହିଲା । କିଛି ଛାତ୍ର ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସଂଯୋଜନାରେ ଚାଲିଥିବା ଭୂମିଗତ ଗୁପ୍ତ ଆନ୍ଦୋଳନରେ ମଧ୍ୟ ସଂପୃକ୍ତ ରହିଲେ । ରେଭେନ୍‌ସାରେ ସେମାନେ ସିକ୍ରେଟ୍‍ ନ୍ୟୁଜ୍‍ ସର୍ଭିିସେସ୍‍ (ଏସ୍‍ଏନ୍‍ଏସ୍‍) ନାମରେ ଏକ ସଂସ୍ଥା ଗଠନ କରି ତା' ମାଧ୍ୟମରେ ଆନ୍ଦୋଳନ ସଂପର୍କିତ ଖବରମାନ ପ୍ରସାର କରୁଥିଲେ । ଧର୍ମଘଟରେ ସଂଶ୍ଳିଷ୍ଟ ଛାତ୍ରନେତାଙ୍କୁ ପ୍ରିନ୍‌ସିପାଲ୍‍ କଲେଜରୁ ବହିଷ୍କାର କରି ତଥା ଅନ୍ୟ ଛାତ୍ରମାନଙ୍କଠାରୁ ସନ୍ତୋଷଜନକ ଆଚରଣପାଇଁ ମୁଣ୍ଡପିଛା୧୦ଟଙ୍କା ଲେଖା ଜାମିନ୍ ଆଦାୟ କରି ଶେଷରେ ଛାତ୍ର ଆନ୍ଦୋଳନକୁ ଦମନ କଲେ । କିନ୍ତୁ 'ଭାରତ ଛାଡ଼' ଆନ୍ଦୋଳନରେ ଛାତ୍ରମାନଙ୍କର ସଂପୃକ୍ତି ଏକ ନୂଆ ରାଜନୀତିର ସଂକେତ ଦେଲା ।

କୋରାପୁଟ ଆନ୍ଦୋଳନ ଅଗଷ୍ଟ ୯ ତାରିଖ ଦିନ କୋରାପୁଟ ଅଞ୍ଚଳର ପ୍ରମୁଖ କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା ଏବଂ ଜିଲ୍ଲା କଂଗ୍ରେସ ଅଫିସ୍‍କୁ ବାଜ୍ୟାପ୍ତ କରି ଦିଆଯାଇଥିଲା । ଏହାପରେ ସୁଦୂର ଏବଂ ବଣଜଙ୍ଗଲଘେରା କୋରାପୁଟରେ ଯେ ଅଗଷ୍ଟ ବିପ୍ଳବ ଆରମ୍ଭ ହୋଇ ପାରିବ- ଏହି ଆଶଙ୍କା ସରକାର କରି ପାରୁ ନଥିଲେ । ମାତ୍ର କୋରାପୁଟରେ ଆନ୍ଦୋଳନ ଖୁବ୍‍ ତୀବ୍ର ରୂପ ନେଲା ଏବଂ ତା'ର ନେତୃତ୍ୱ ପୂର୍ଣ୍ଣତଃ ସ୍ଥାନୀୟ ଆଦିବାସୀମାନଙ୍କ ହାତକୁ ଚାଲିଗଲା ।

ଆନ୍ଦୋଳନର ଆରମ୍ଭ ହେଲା ଅଗଷ୍ଟ ୧୩ ତାରିଖରେ । ଜୟପୁରରେ ଦୁଇଜଣ କିଶୋର ବାଳକ କଂଗ୍ରେସ ପତାକା ଧରି 'ଗାନ୍ଧିଙ୍କ ବାର୍ତ୍ତା' ନାମରେ ଏକ ପ୍ରଚାର ପତ୍ର ବାଣ୍ଟିଲେ । ସେମାନଙ୍କ କହିବା କଥା ଯେ, ପତ୍ରଟିକୁ ଗାନ୍ଧୀ ବମ୍ବେରୁ ପଠାଇଛନ୍ତି । ପତ୍ରଟି ଲୋକଙ୍କ ମନରେ ଖୁବ୍‍ ଉତ୍ସାହ ସୃଷ୍ଟିକଲା ଏବଂ ସେହିଦିନ ଜୟପୁରରେ ହରତାଳ ଆରମ୍ଭ ହେଲା । ପତ୍ରରେ ଇଂରେଜ ସରକାର ଦେଶରୁ ବିତାଡ଼ିତ ହୋଇ ସାରିଛି ଏବଂ ଲୋକଙ୍କୁ ଏଣିକି ଖଜଣା ଦେବାକୁ ପଡ଼ିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଲୋକେ ଜେଲରୁ ଗାନ୍ଧୀଙ୍କ ମୁକ୍ତିଲାଗି ଶପଥ ନେଲେ ଏବଂ ସରକାରୀ କୋଠା ଘରଗୁଡ଼ିକ ଉପରେ ଆକ୍ରମଣ କଲେ । ସେମାନେ ଜୟପୁର ପୋଲିସ୍‍ ଷ୍ଟେସନର ପ୍ରବେଶ ପଥକୁ ମଧ୍ୟ ଗଛକାଟି ଅବରୁଦ୍ଧ କଲେ । ବିଦ୍ରୋହର ରୂପ ଧାରଣ କରିଥିବା ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଲାଠି ଚାର୍ଯ କଲେ ଏବଂ କେତେକ ନେତାଙ୍କୁ ଗିରଫ କଲେ ।

୧୭ ଅଗଷ୍ଟ ଦିନ ଜିଲ୍ଲାର ଗୁଣପୁର, ଲକ୍ଷ୍ମୀପୁର, ସେମିଳିଗୁଡ଼ା ଓ ଦଶମନ୍ତପୁରରେ ଆନ୍ଦୋଳନ ଆରମ୍ଭ ହେଲା । ସେମିଳିଗୁଡ଼ାରେ ପ୍ରାୟ ୨୦୦ ଲୋକ ଜୟପୁର ଯାଇ ସେଠାକାର ରେଭିନ୍ୟୁ ଅଫିସ୍‍କୁ ଆକ୍ରମଣ କଲେ । ଦଶମନ୍ତପୁରରେ ଆଦିବାସୀମାନେ ଥାନାକୁ କବ୍‍ଜା କରିନେଲେ । କିନ୍ତୁ ସେମାନଙ୍କ ସରଳତାର ସୁଯୋଗ ନେଇ ଆଠ ଜଣ ଆଦିବାସୀଙ୍କୁ ଗିରଫ କରି ପୋଲିସ ଅଫିସର ଥାନାକୁ ମୁକ୍ତ କଲେ । ଲକ୍ଷ୍ମୀପୁର ଓ ଗୁଣପୁରରେ ଆଦିବାସୀ କଚେରି,୩୦୪ . ଓଡ଼ିଶା ଇତିହାସ