ପୃଷ୍ଠା:Odisha Itihasa.pdf/୩୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଦ ଦୋକାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆଗରେ ପିକେଟିଂ ଆରମ୍ଭ କଲେ । କୋରାପୁଟର ସଂରକ୍ଷିତ ଜଙ୍ଗଲକୁ ପଶି ଗଛଗୁଡ଼ିକୁ ମଧ୍ୟ ସେମାନେ କାଟି ପକାଇଲେ ଏବଂ କୋରାପୁଟ କଳାହାଣ୍ଡି ସୀମାନ୍ତରେ ଆମ୍ବପାଣିଠାରେ ଏକ ପୋଲକୁ ଭାଙ୍ଗି ଯୋଗାଯୋଗ ଧ୍ୱଂସ କଲେ । ଏହା ସେମାନଙ୍କ ପୁଂଜୀଭୂତ କ୍ରୋଧକୁ ପରିପ୍ରକାଶ କଲା । ଜଙ୍ଗଲ ଆଇନ ବଳରେ ସରକାର ଆଦିବାସୀମାନଙ୍କର ପାରଂପରିକ ଅଧିକାରକୁ ନେଇ ଯାଇଥିଲେ । ତା'ର ସେମାନେ ବିରୋଧ ମାତ୍ର କରୁଥିଲେ । 'ଗାନ୍ଧୀଙ୍କ ବାର୍ତ୍ତା' ନାମକ ସାମାନ୍ୟ ପ୍ରଚାରପତ୍ରଟି ସେମାନଙ୍କୁ ଖୋଲାଖୋଲି ବିଦ୍ରୋହ କରିବା ସକାଶେ ଦିଆସିଲି କାଠି ଭଳି ଉପଯୋଗୀ ସିଦ୍ଧ ହୋଇଥିଲା । ୨୧ ଅଗଷ୍ଟ ଦିନ ଜିଲ୍ଲାର ମାଥିଲିଠାରେ ଆନ୍ଦୋଳନ ଉଗ୍ର ରୂପ ନେଲା । ଜିଲ୍ଲାସ୍ତରର ଜଣେ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାୟକ ସେଠାରେ ଆନ୍ଦୋଳନର ନେତୃତ୍ୱ ନେଲେ । ୧୯୩୬ ମସିହାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଥିଲେ ଏବଂ 'ଖଜଣା ଛାଡ଼' ଆନ୍ଦୋଳନ କରି ଗିରଫ ମଧ୍ୟ ହୋଇଥିଲେ । ୧୯୪୦ରେ ଯେତେବେଳେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହେଲା, ତହିଁରେ ମଧ୍ୟ ଗିରଫ ହୋଇ ସେ ୯ମାସ ଜେଲ୍‍ରେ କାଟିଥିଲେ । ଅଗଷ୍ଟ ବିପ୍ଳବ ସମୟରେ ସହସ୍ରାଧିକ ଲୋକଙ୍କୁ ନେଇ ସେ ମାଥିଲି ଥାନାକୁ କବ୍‍ଜା କରିବାକୁ ବାହାରିଲେ । ରାସ୍ତାରେ କୋଙ୍ଗ୍ରାବେଡ଼ା, ଚନ୍ଦ୍ରବେଡ଼ା ଓ କୁଣ୍ଟିପାଲୁଠାରେ ମଦ ଦୋକାନଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରି ପକାଇଲେ ।

ମାଥିଲି ଥାନାରେ କଂଗ୍ରେସର ପତାକା ଉତ୍ତୋଳନ କରିବା ଅବସରରେ ଉପସ୍ଥିତ ଜନତାକୁ ସଂବୋଧନ କରି ଲକ୍ଷ୍ମଣ ନାୟକ କହିଥିଲେ, "ଆମ୍ଭେମାନେ ହେଲେ ଯୋଦ୍ଧା । ମହାତ୍ମାଗାନ୍ଧୀ ଆମର ନେତା । ସେ କହିଛନ୍ତି, ଆଜିଠାରୁ ଦେଶ ଆମର । ଇଂରେଜ ସରକାର ଚାଲିଯାଇଛି । ମହାତ୍ମାଗାନ୍ଧୀ ଆମର ରାଜା । ଜୟପୁର ରାଜା ଆଉ ନାହିଁ । ଆମେ ସ୍ୱାଧୀନତା ପାଇ ସାରିଛୁ । ଥାନା ଆମର । ପୋଲିସ ଭାଇମାନେ ହେଲେ ଭାରତବାସୀ । ସେମାନେ ଆମ ସାଙ୍ଗରେ ମିଶିଯିବେ । ଆସ ଭାଇମାନେ ! ସମସ୍ତେ ଏହି ଯୁଦ୍ଧରେ ସାମିଲ୍‍ ହୁଅ । ମହାତ୍ମାଗାନ୍ଧୀଙ୍କର ଜୟ!" ଲକ୍ଷ୍ମଣ ନାୟକଙ୍କର ଭାଷଣରୁ ମନେହୁଏ ଯେ, ସେ ହିଂସା ଭିଆଇବାକୁ ଚାହୁଁ ନଥିଲେ । ମାତ୍ର ମାଲକାନଗିରିରୁ ପୋଲିସ ଆସିଲା ପରେ ମାଥିଲି ପୋଲିସ ନିଜକୁ ଅଜେୟ ମନେକଲେ ଏବଂ ସମବେତ ଆଦିବାସୀମାନଙ୍କ ଉପରେ ଗୁଳି ଚାଳନା କଲେ । ଏଥିରେ ପାଞ୍ଚ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ନିଜେ ଲକ୍ଷ୍ମଣ ନାୟକ ମଧ୍ୟ ଗୁରୁତର ଭାବେ ଆହତ ହୋଇ ସଂଜ୍ଞା ହରାଇଥିଲେ । ତାଙ୍କୁ ପରେ ଗିରଫ କରାଗଲା ଏବଂ ଘଟଣା ଦିନ ମୃତ୍ୟୁବରଣ କରିଥିବା ଜଣେ ଫରେଷ୍ଟ ଗାର୍ଡ଼କୁ ହତ୍ୟା କରିବା ଅଭିଯୋଗରେ ୨୯ ମାର୍ଚ୍ଚ ୧୯୪୩ ଦିନ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା । ଲକ୍ଷ୍ମଣ ନାୟକଙ୍କ ସାଙ୍ଗରେ ଥିବା ଅନ୍ୟ ୫୦ ଜଣ ଆଦିବାସୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ମାଥିଲିରେ ଲକ୍ଷ୍ମଣ ନାୟକ ଓ ତାଙ୍କ ସହଯୋଗୀମାନଙ୍କର ଆନ୍ଦୋଳନ ଏବଂ ସେମାନଙ୍କ ଉପରେ ପୋଲିସର ଦମନଲୀଳା ଇଂରେଜ ସରକାରର ମୁଖା ଖୋଲିଦେଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।{{right|ଓଡ଼ିଶା ଇତିହାସ . ୩୦୫