ପୃଷ୍ଠା:Odisha Itihasa.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗଷ୍ଟ ୨୪ ତାରିଖ ଦିନ କୋରାପୁଟ ଜିଲ୍ଲାର ନବରଂଗପୁର ନିକଟସ୍ଥ ପାପଡହାଣ୍ଡିଠାରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ସେଠାରେ ଆଦିବାସୀମାନେ ସଭା କଲେ ଏବଂ ସଭା ପରେ ଜଗନ୍ନାଥ ତ୍ରିପାଠୀ, ସୀମାଞ୍ଚଳ ବେହେରା ଓ ଲକ୍ଷ୍ମଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ନବରଂଗପୁର ଥାନା କବ୍‍ଜା କରିବାକୁ ଶୋଭାଯାତ୍ରାରେ ବାହାରିଲେ । ରାସ୍ତାରେ ପାପଡହାଣ୍ଡିର ତୂରୀ ନଦୀ ଉପରେ ଥିବା ପୋଲରେ ସେମାନଙ୍କୁ ପୋଲିସ୍‍ ଅବରୋଧ କଲା । ପୋଲିସ ପକ୍ଷରୁ ପୋଲକୁ ଭାଂଗି ଦିଆଗଲା ଏବଂ ଲୋକଙ୍କ ଉପରକୁ ଗୁଳି ଚାଳନା କରାଗଲା । ଏଥିରେ ଅନ୍ୟୂନ ୧୫ ଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ଅନେକ ଲୋକ ପୋଲିସ ଗୁଳିରୁ ରକ୍ଷାପାଇବାପାଇଁ ନଦୀକୁ ଡେଇଁ ପଡ଼ିଲେ ।

ଏସବୁ ବାହାରେ ମଧ୍ୟ କୋରାପୁଟର ଅନ୍ୟ ଅଞ୍ଚଳଗୁଡ଼ିକରେ ଆନ୍ଦୋଳନ ହୋଇଥିଲା । କେବଳ ଏହି ଜିଲ୍ଲାରୁ ଅଗଷ୍ଟ ବିପ୍ଳବରେ ୧୯୭୦ ଜଣ ଗିରଫ ହୋଇଥିଲେ ଏବଂ ତନ୍ମଧ୍ୟରୁ ୫୭୦ ଜଣଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲରେ ୫୦ ଜଣ ଓ ପୋଲିସ୍‍ ଫାୟାରିଂରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତଙ୍କ ମୋଟ ସଂଖ୍ୟା ଥିଲା ୨୧୪୭ । ପୋଲିସ ପକ୍ଷରୁ ମୋଟ ୨୪ ଥର ଏବଂ ୪୫୧ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏସବୁ ବ୍ୟତୀତ ପିଟୁଣି ଟିକସ ଓ ଅନ୍ୟାନ୍ୟ ଜୋରିମାନା ବାବଦରେ ଲୋକଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଥିଲା । ଅଗଷ୍ଟ ମାସରେ ଆନ୍ଦୋଳନ ଆରମ୍ଭ ହୋଇ କୋରାପୁଟରେ ସେହି ମାସରେ ପ୍ରାୟ ଶେଷ ହୋଇ ଯାଇଥିଲା । ସେପ୍ଟେମ୍ବର ଓ ଅକ୍ଟୋବର ବେଳକୁ ସେଠାରେ ଆଉ ପ୍ରାୟ ଆନ୍ଦୋଳନ ନ ଥିଲା । ପୋଲିସ ଦମନଯୋଗୁଁ ସେଠାରେ ଅତି ଅଳ୍ପ ଅବଧି ମଧ୍ୟରେ ଆନ୍ଦୋଳନର ଅବସାନ ଘଟିଥିଲା ।

କଟକ ଜିଲ୍ଲାରେ ଆନ୍ଦୋଳନ ରାଜ୍ୟର ପ୍ରମୁଖ ସହର ଭାବରେ କଟକ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଅଗଷ୍ଟ ବିପ୍ଳବ ସମୟରେ ଖୁବ୍‍ ଅଧିକ ମାତ୍ରାରେ ସକ୍ରିୟ ହୋଇଥିଲା । ରେଭେ୍‍ସା ମହାବିଦ୍ୟାଳୟର ଛାତ୍ର-ଆନ୍ଦୋଳନ କଥା ପୂର୍ବରୁ ଆଲୋଚିତ ହୋଇଛି । ଅଗଷ୍ଟ ମାସରେ ହିଁ ଜିଲ୍ଲାର ଅଭ୍ୟନ୍ତରରେ ମଧ୍ୟ ଆନ୍ଦୋଳନାତ୍ମକ ଘଟଣାମାନ ଦେଖିବାକୁ ମିଳିଲା । ଜିଲ୍ଲାର ଯାଜପୁର, ବରୀ, କାଇପଦା, ବଡ଼ଚଣା, ବିଂଝାରପୁର, ତିର୍ତ୍ତୋଲ୍‍, ଏରସମା, ବାଗଲପୁର ଓ ମାହାଙ୍ଗା ଅନ୍ତର୍ଗତ କୁଆଁପାଳ ଆଦି ସ୍ଥାନରେ ଲୋକେ ସକ୍ରିୟ ଭାବରେ ଆନ୍ଦୋଳନ କରିଥିଲେ ।

ବରୀଠାରେ ୧୯୩୪ରୁ ଗୋପବନ୍ଧୁ ଚୌଧୁରୀ ଏକ ଆଶ୍ରମ ସ୍ଥାପନ କରି ବରୀ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରୁଥିଲେ । ସେହି ପ୍ରକ୍ରିୟାରେ ସେଠାରେ କିଛି କଂଗ୍ରେସ କର୍ମୀ ସୃଷ୍ଟି ହୋଇଥିଲେ । ଅଗଷ୍ଟ ୯ ତାରିଖରେ ଗୋପବନ୍ଧୁ ଚୌଧୁରୀ, ତାଙ୍କ ପତ୍ନୀ ରମାଦେବୀ ଓ ପୁତ୍ର ମନମୋହନ ଚୌଧୁରୀଙ୍କୁ ଗିରଫ କଲା ପରେ ପୋଲିସ ଆଶ୍ରମକୁ ମଧ୍ୟ ଦଖଲ କଲା ଏବଂ ସେଠାରେ ଥିବା କାଗଜପତ୍ର ନଷ୍ଟ କରିଦେଲା । ଏହାର ପ୍ରତିକ୍ରିୟା ସ୍ୱରୂପ ୧୬୩୦୬ . ଓଡ଼ିଶା ଇତିହାସ