ପୃଷ୍ଠା:Odisha Itihasa.pdf/୩୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗଷ୍ଟରେ 'ରକ୍ତ ବାହିନୀ' ନାମରେ ଏକ ସଂଗଠନ ଗଢ଼ି କିଛି ଯୁବକ ଆଶ୍ରମକୁ ପୁନର୍ଦଖଲ କଲେ । ସେଠାରେ କିଶୋର ବୟସର ଯୁବକମାନେ ବାନର ସେନା ଗଢ଼ି ଆନ୍ଦୋଳନକୁ ପୁନର୍ଜୀବିତ କରି ରଖିଥିଲେ । କେତେକ ଲୋକ ବରୀ ଆଶ୍ରମର ବାଜ୍ୟାପ୍ତ ଜିନିଷପତ୍ର ଗଚ୍ଛିତ ଥିବା ପିଡବ୍ଲ୍ୟୁଡି କୋଠାରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ପୋଲସ ଦୁଃଶାସନ ଜେନା ଓ ପ୍ରହଲ୍ଲାଦ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୋବିନ୍ଦପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ବାଗଲପୁର ଗାଁରେ ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ କିଛି ଯୁବକ ସୁରକ୍ଷା ବାହିନୀ ଗଢ଼ିଥିଲେ । ପୋଲିସ ଦମନର ମୁକାବିଲାପାଇଁ ସେମାନେ ଲାଠି ଚାଳନା ଶିକ୍ଷା କରିଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ପରିଚାଳନାରେ ଚାଲିଥିବା ଭୂମିଗତ ଆନ୍ଦୋଳନ ସହ ସେମାନଙ୍କର ସଂପର୍କ ଥିଲା । ଏହି ବାହିନୀର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଚିତ୍ତରଂଜନ ଦାସ, ଜଗନ୍ନାଥ ଦାସ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, କମଳା ଚରଣ ଦାସ, କଳ୍ପତରୁ ଦାସ ଓ ଇନ୍ଦ୍ରମଣି ଦାସ । ଏହି ବାହିନୀ ବିଭିନ୍ନ ସରକାରୀ ଅଫିସ୍‍ ଓ ପୋଷ୍ଟ ଅଫିସ୍‍ ପୋଡ଼ା ଘଟଣାରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିଲେ । କଟକରୁ ଆସୁଥିବା ଗୁପ୍ତ ବୁଲେଟିନ୍‌କୁ ମଧ୍ୟ ସେମାନେ ବାଣ୍ଟିବା କାମ କରୁଥିଲେ । ସେମାନଙ୍କ ଗତିବିଧିରୁ ସ୍ପଷ୍ଟ ହେଉଥିଲା ଯେ, ଆନ୍ଦୋଳନ ସାମୟିକ ଘଟଣାରେ ସୀମିତ ନରହି ଦିନକୁ ଦିନ ଦୃଢ଼ ହେବାକୁ ଆରମ୍ଭ କରିଥିଲା । ଗୌରାଙ୍ଗ ଚରଣ ଦାସ ଆଦି କେତେକ କର୍ମୀ ସୁଦୂର ଗଡ଼ଜାତ ଅଂଚଳକୁ ମଧ୍ୟ ଯାଇ ଆନ୍ଦୋଳନ କାମ ଆରମ୍ଭ କଲେ ।

ଅଗଷ୍ଟ ୨୦ରୁ ୨୬ ତାରିଖ ମଧ୍ୟରେ ବରୀର ବାନରସେନା, କାଇପଦା, ସନ୍ନ୍ୟାସୀପୁର ଆଦି ଗ୍ରାମରେ ଅନେକ ସଭା ସମିତି ଓ ହିଂସାତ୍ମକ ଘଟଣା ଭିଆଇଲେ । ୨୦ ଅଗଷ୍ଟରେ ସେମାନେ କାଇପଦା ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇଦେଲେ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଅନେକ ଜିନିଷ ଭଙ୍ଗାରୁଜା କଲେ । ୨୫ ଓ ୨୬ ତାରିଖରେ ଅଧିକ ପୋଲିସ ଫୋର୍ସ ଆସିବା ପରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଛକାପଂଝା ଚାଲିଲା । ଆଖପାଖରୁ ଲୋକ ଆସି ପୋଲିସର ବିରୋଧ କଲେ । ଯେତେବେଳେ ପୋଲିସ ଇନ୍ଦ୍ରମଣି ତ୍ରିପାଠୀ, ବିଦ୍ୟାଧର ରାୟ, ଡମ୍ବରୁଧର ରାୟ, ହୃଷୀକେଶ ରାୟ, ଅନାମ ଚନ୍ଦ୍ର ଦାସ ଓ ବେଣୁଧର ଦାସଙ୍କ ସମେତ ଅନ୍ୟ କେତେଜଣ କର୍ମୀଙ୍କୁ ଗିରଫ କରି ଦଉଡ଼ିରେ ବାନ୍ଧି କାଇପଦା ସେବାଶ୍ରମକୁ ନେଲା, ଲୋକ ଗିରଫ କର୍ମୀଙ୍କୁ ମୁକ୍ତ କରିବାପାଇଁ ପୋଲିସର ଅନୁଧାବନ କଲେ । କଳାମାଟିଆ ଛକରେ ସେମାନେ ଗୌରାଙ୍ଗ ପଣ୍ଡା ନାମକ ଜଣେ ଗିରଫ କର୍ମୀଙ୍କୁ ପୋଲିସ କବଳରୁ ଛଡ଼େଇ ଆଣିଲେ ଏବଂ ପୋଲିସର ଏକ ରାଇଫଲ୍‍ ମଧ୍ୟ ଲୁଟିନେଲେ । ଏହା ପରେ ପୋଲିସ ଫାୟାରିଂରେ ଚାରିଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୯ ଜଣ ଲୋକ ଗୁରୁତର ଆହତ ହେଲେ । ଅନେକ ବାନରସେନା କର୍ମୀଙ୍କୁ ମଧ୍ୟ ଗିରଫ କରାଗଲା । ଗିରଫ କର୍ମୀମାନଙ୍କୁ ଅଧିକ ଗଣ୍ଡଗୋଳ ଆଶଂକାରେ ପ୍ରଥମେ ବିଂଝାରପୁର ଓ ଯାଜପୁର ଏବଂ ସେଠାରୁ କଟକ ଜେଲକୁ ପଠାଇ ଦିଆଗଲା ।{{right|ଓଡ଼ିଶା ଇତିହାସ . ୩୦୭