ପୃଷ୍ଠା:Odisha Itihasa.pdf/୩୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ ଆକ୍ରମଣ କଲେ, ଡାକଘର ପୋଡ଼ି ଦେଲେ ଏବଂ ରାସ୍ତାର ଏକ ପୋଲକୁ ଧ୍ୱଂସ କରିଦେଲେ । ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଜଗନ୍ନାଥ ଦାସ, ବୈଷ୍ଣବ ଚରଣ ନାୟକ, ମହନ୍ତ ଦୁର୍ଗାଚରଣ ଭାରତୀ ଏବଂ ଦ୍ୱାରିକାନାଥ ଦାସଙ୍କୁ ଗିରଫ କଲେ ଏବଂ ଆକ୍ରମଣରେ ଭାଗ ନେଇଥିବା ଭଣ୍ଡାରିପୋଖରୀ, ଉତ୍ତରବାଡ଼, ଦକ୍ଷିଣବାଡ଼, ଚନ୍ଦ୍ରଭାନପୁର, କୋହରାପୋଖରୀ, ରାଜେନ୍ଦ୍ରପୁର, ନଅଗାଁ, ପଟୌଲି, ପାଲଟ୍‍ ଓ ତୋରାଟ ଆଦିର ଗ୍ରାମବାସୀଙ୍କ ଉପରେ ଛଅ ହଜାର ଟଙ୍କା ପିଟୁଣି ଟିକସ ଲାଗୁ କଲେ ।

ସେପ୍ଟେମ୍ବର ୫ ତାରିଖରେ ଧାମନଗର ନିକଟସ୍ଥ ଧୁଷୁରୀଠାରେ ଲୋକେ ଚୌକିଦାର ଓ ଦଫାଦାରଙ୍କ ପୋଷାକ କାଢ଼ିନେଇ ତହିଁରେ ନିଆଁ ଲଗାଇ ଦେଲେ । ଧାମନଗର ଅଂଚଳର ପ୍ରମୁଖ ନେତା ଥିଲେ ମୁରଲୀଧର ପଣ୍ଡା । ସେ ପାଣ୍ଠିପାଇଁ ସ୍ଥାନୀୟ ଜମିଦାର ଓ ମହାଜନମାନଙ୍କଠାରୁ ଜବରଦସ୍ତି ଧାନ ଚାଉଳ ଆଦାୟ କରୁଥିବାର ଅଭିଯୋଗ ପାଇ ୨୨ ସେପ୍ଟେମ୍ବରରେ ପୋଲିସ ତାଙ୍କୁ ଗିରଫ କରିବାକୁ ଲୁଣିଆ-କାଟସାହି ଗଲେ । ତା' ପୂର୍ବରୁ ସେପ୍ଟେମ୍ବର ୨୦ ତାରିଖରେ ମୁରଲୀଧର ଜେନା ନାମକ ଜଣେ କର୍ମୀଙ୍କୁ ଗିରଫ କରିବା ପରେ ପୋଲିସ ଜାଣିପାରିଲା ଯେ, ୨୫ ସେପ୍ଟେମ୍ବରରେ ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଭଦ୍ରକ କଚେରି କବ୍‍ଜା କରିବାକୁ ଯୋଜନା ହୋଇଛି । ପୋଲିସ ଆସିବାର ଖବର ପାଇ ପାଞ୍ଚ-ଛଅ ହଜାର ଲୋକ ପୋଲିସର ବିରୋଧ କରିବାକୁ ସଂଗେସଂଗେ ଏକତ୍ରିତ ହେଲେ । ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସଂସର୍ଗରେ ଆସିଥିବା ମୁରଲୀଧର ପଣ୍ଡା ସାଧାରଣ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଜମିଦାର ଓ ମହାଜନମାନଙ୍କଠାରୁ ଶସ୍ୟ ଆଦାୟ କରି ସେ ଦରିଦ୍ର ଲୋକଙ୍କ ମଧ୍ୟରେ ତାକୁ ବଣ୍ଟନ କରୁଥିଲେ । ଇଂରେଜ ସରକାର ଅପସରି ଗଲେ ଜମିଦାରୀ ବ୍ୟବସ୍ଥା, ବେଠି, ବେଗାରି ଆଦି ଉଚ୍ଛେଦ ହେବ ବୋଲି ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ତାଙ୍କ ଗିରଫର ବିରୋଧ କରିବାଲାଗି ଲୋକ ନିକଟସ୍ଥ ଚଣ୍ଡିଆ ପୋଷି ପଡ଼ିଆରେ ପୋଲିସକୁ ଘେରିଗଲେ । ସେମାନେ ପୋଲିସର ରାଇଫଲ୍‍ ଓ ଗୁଳିଗୋଳା ମଧ୍ୟ ଲୁଟି ନେଇଗଲେ । ମାତ୍ର ଏହାଦ୍ୱାରା ପୋଲିସ ଦଳ ଚାକିରି ହରାଇବେ ଜାଣି ପୁଣି ସେଗୁଡ଼ିକୁ ଦୟାପରବଶ ହୋଇ ଫେରସ୍ତ ଦେଲେ । ଅସ୍ତ୍ରଶସ୍ତ୍ର ଫେରିପାଇ ପୋଲିସ ଗୁଳିଚାଳନା କଲେ ଏବଂ ତହିଁରେ ନଅଜଣ କର୍ମୀଙ୍କର ମୃତ୍ୟୁ ହେଲା । ଲୋକଙ୍କଠାରୁ ପିଟୁଣି ଟିକସ ବାବଦକୁ ୨୨୫୫ଟଙ୍କା ମଧ୍ୟ ଆଦାୟ କରାଗଲା । ଏହିଭଳି ଭାବେ ବିଶ୍ୱାସଘାତକତା କରି ପୋଲିସ ଲୁଣିଆ ଆନ୍ଦୋଳନକୁ ଦମନ କଲେ ।

ଛତ୍ର ଗାଁର ସମାନ୍ତରାଳ ସରକାର ବାଲେଶ୍ୱର ଜିଲ୍ଲାର ଖଇରା ପୋଲିସ ଷ୍ଟେସନ ଅନ୍ତର୍ଗତ ଛତ୍ର ଗାଁକୁ କେନ୍ଦ୍ର କରି ସେପ୍ଟେମ୍ବର ୧୯୪୨ରେ ଏକ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତୁଡିଗଡ଼ିଆ, ଖଇରାଡିହ, ହରେକୃଷ୍ଣପୁର, ପାଣି ସିଆଳି ଓ ମଲ୍ଲିକ୍‍ ପୁର ଆଦି ଗାଁର ଲୋକେ ଏହି ସରକାରର ପ୍ରମୁଖ{{right|ଓଡ଼ିଶା ଇତିହାସ . ୩୦୯