ପୃଷ୍ଠା:Odisha Itihasa.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖାରବେଳଙ୍କ ଶାସନ

କଳିଙ୍ଗର ଐତିହାସିକ ଘଟଣାବଳୀକୁ ଜାଣିବାପାଇଁ ଅଶୋକଙ୍କ ଶିଳାଲେଖ ଓ ଅନୁଶାସନ ପରେ ଉଦୟଗିରି (ଭୁବନେଶ୍ୱର)ରେ ଖୋଦିତ ହାତୀଗୁମ୍ଫା ଶିଳାଲେଖ ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ । ଏଥିରୁ ଖାରବେଳ ନାମକ ଜଣେ ପରାକ୍ରମୀ ରାଜାଙ୍କର ଜୀବନ, ରାଜତ୍ୱ ତଥା ତତ୍‍କାଳୀନ ଘଟଣାବଳୀ ସମ୍ବନ୍ଧରେ ସୂଚନା ମିଳେ । ଶିଳାଲେଖ କାବ୍ୟିକ ଶୈଳୀରେ, ବ୍ରାହ୍ମୀ ଲିପିରେ, ପାଲି ଭାଷା ସହିତ ଖୁବ୍‍ ସାମଞ୍ଜସ୍ୟ ଥିବା ଏକ ଭାଷାରେ ଲିଖିତ । ଅନେକ ସ୍ଥଳରେ ନଷ୍ଟ ହୋଇଯାଇଥିବାଯୋଗୁଁ ଶିଳାଲେଖବିଦ୍‍ମାନେ ଏହାର ପାଠକୁ ପୂର୍ଣ୍ଣଭାବରେ ଉଦ୍ଧାର କରି ପାରିନାହାନ୍ତି । ମାତ୍ର ଲିଖିତ ଭାବରେ ଏହା ଉପଲବ୍ଧ ହୋଇଥିବାରୁ ତଥା ଅନ୍ୟ ଉପାଦାନଗୁଡ଼ିକର ଅଭାବରେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହାକୁ ଅନେକ ମହତ୍ତ୍ୱ ଦିଆଯାଏ । ଓଡ଼ିଶା ଇତିହାସରେ ହାତୀଗୁମ୍ଫା ଶିଳାଲେଖକୁ ମହତ୍ତ୍ୱ ମିଳିବାର ଅନ୍ୟ ଏକ କାରଣ ହେଲା ଏହା କଳିଙ୍ଗର ପରାକ୍ରମ, ଗୌରବ ତଥା ସମୃଦ୍ଧିକୁ ଦର୍ଶାଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ହାତରେ କଳିଙ୍ଗବାସୀ ପରାଜୟ ବରଣ କରି ଯେଉଁ ଗୌରବ ହରାଇଥିଲେ, ତାକୁ ହାତୀଗୁମ୍ଫାର ବର୍ଣ୍ଣନ ଅନେକାଂଶରେ ଭରଣା କରିବାକୁ ସ୍ଥାନୀୟ ଐତିହାସିକମାନଙ୍କୁ ଅବସର ପ୍ରଦାନ କରେ । ପ୍ରତୀକ ଭାବରେ ହେଲେ ମଧ୍ୟ ଭୁବନେଶ୍ୱର ନିକଟସ୍ଥ ଧଉଳିଗିରିର ଅଶୋକଙ୍କ ଅନୁଶାସନ ଯେତେବେଳେ କଳିଙ୍ଗର ପରାଜୟର କାହାଣୀ କହେ, ସେତେବେଳେ ତା'ର ପ୍ରତିକ୍ରିୟା ଭଳି ହାତୀଗୁମ୍ଫାର ଶିଳାଲେଖ କଳିଙ୍ଗର ପରାକ୍ରମକୁ ଲିପିବଦ୍ଧ କରେ । ସେହି ଦୃଷ୍ଟିରୁ ଦେଖିଲେ, ହାତୀଗୁମ୍ଫା ଶିଳାଲେଖ କଳିଙ୍ଗର ହୃତଗୌରବକୁ ଫେରିପାଇବାର ଏକ ପ୍ରତୀକ ରୂପେ ବିବେଚିତ ହୁଏ; ଖାରବେଳ ହୁଅନ୍ତି ଆଦର୍ଶ ନାୟକ, କଳିଙ୍ଗପାଇଁ ଅଶୋକଙ୍କ ବିକଳ୍ପ !

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ୧୩ ବର୍ଷର ଶାସନର ବର୍ଣ୍ଣନା ରହିଛି । ଏହାର ଅର୍ଥ ହେବ ଖାରବେଳଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଏହା ଲିଖିତ ହୋଇଛି । ତେଣୁ, ରାଜତ୍ୱର ତ୍ରୟୋଦଶ ବର୍ଷର ପରବର୍ତ୍ତୀ ଘଟଣାବଳୀ ସମ୍ବନ୍ଧରେ ଏଥିରେ କିଛି ତଥ୍ୟ ନାହିଁ । ଏହି ଆଧାରରେ{{right|ଓଡ଼ିଶା ଇତିହାସ . ୩୧