ପୃଷ୍ଠା:Odisha Itihasa.pdf/୩୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସହଯୋଗୀ ଥିଲେ । ଖଇରାଡିହର ଜଣେ ଯୁବକ ବୈଦ୍ୟନାଥ ରାଉତ, ଯିଏ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ର ଧର୍ମଘଟରେ ଜଣେ ସାଧାରଣ ଛାତ୍ରକର୍ମୀ ଭାବରେ ଭାଗ ନେଇଥିଲେ, ସମାନ୍ତରାଳ ସରକାରର କେନ୍ଦ୍ର ଥିଲେ । ଧାମନଗରର ସୂର୍ଯ୍ୟମଣି ତ୍ରିପାଠୀ ଓ ସୋରୋ ହାଇସ୍କୁଲ୍‍ର କେତେକ ଛାତ୍ର ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମାନଙ୍କ ବ୍ୟତୀତ କୃଷ୍ଣଚନ୍ଦ୍ର ଜେନା, ଚିନ୍ତାମଣି ପଣ୍ଡା ଓ ପୁରୁଷୋତ୍ତମ ପାଢ଼ୀ ଆଦି କେତେକ ପୁରୁଖା କର୍ମୀ ମଧ୍ୟ ସମାନ୍ତରାଳ ସରକାର ଗଠନରେ ସକ୍ରିୟ ସହଯୋଗ କରିଥିଲେ । ସେପ୍ଟେମ୍ବର ୬ ତାରିଖରେ ଏକ କଂଗ୍ରେସ ସଭାର ଆୟୋଜନ ହେଲା ଏବଂ ସେହି ପ୍ରକ୍ରିୟାରେ ଅଗଷ୍ଟ ବିପ୍ଳବର ସେଠାରେ ଶୁଭାରଂଭ ହେଲା । ୧୨ ତାରିଖ ଦିନ ତୁଡିଗଡ଼ିଆ ଓ ତା'ର ଆଖପାଖର ୧୬ ବର୍ଗମାଇଲ୍‍ କ୍ଷେତ୍ରକୁ ସ୍ୱାଧୀନ ଓ ମୁକ୍ତ ଘୋଷଣା କରାଗଲା । ଛତ୍ର ଗାଁ ସ୍ଥିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଘର ସମାନ୍ତରାଳ ସରକାରର ମୁଖ୍ୟ କେନ୍ଦ୍ର ହେଲା । ତହିଁରେ ସ୍ୱାଧୀନ ସରକାରର କଚେରି ଓ ଜେଲ ମଧ୍ୟ ରହିଲା । ସରକାରର ମୁଖ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ତେଣିକି ଖଇରା ଥାନାର ପୋଲିସ ଓ ଚୌକିଦାରମାନଙ୍କୁ ତଲବ କଲେ । ସେପ୍ଟେମ୍ବର ୨୨ ତାରିଖରେ ପୋଲିସ ଛତ୍ର ଗାଁରେ ପହଞ୍ଚି ବୈଦ୍ୟନାଥ ରାଉତଙ୍କୁ ଗିରଫ କଲେ । ଖବର ପାଇ ହଜାର ହଜାର ଲୋକ ଏକତ୍ରିତ ହେଲେ । ପୋଲିସ ଓ ଜନତା ମଧ୍ୟରେ ଆରମ୍ଭ ହୋଇଥିବା ଖଣ୍ଡଯୁଦ୍ଧରେ ପୋଲିସ ସବ୍‍ ଇନ୍‍ସପେକ୍ଟର, ଚୌକିଦାର ଓ ଦଫାଦାରଙ୍କ ଉପରେ ପ୍ରବଳ ମାଡ଼ ହେଲା । କଂଗ୍ରେସ କର୍ମୀ ସୂର୍ଯ୍ୟମଣି ତ୍ରିପାଠୀ ମଧ୍ୟ ପୋଲିସ ମାଡ଼ରେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ପୋଲିସ କବଳରୁ ମୁକ୍ତ କରାଗଲା । ଭିଡ଼ ଅଧିକ ହେବାରୁ ଭୟରେ ପୋଲିସ ଦଳ ଛତ୍ରଭଙ୍ଗ ଦେଲେ । ଏହା ବିପ୍ଳବୀମାନଙ୍କର ମନୋବଳକୁ ବୃଦ୍ଧି କଲା ।

୨୪ ସେପ୍ଟେମ୍ବରରେ ଅଧିକ ସଂଖ୍ୟକ ପୋଲିସ ନେଇ ଜଣେ ଇନ୍‍ସପେକ୍ଟର କଂଗ୍ରେସ ନେତାମାନଙ୍କୁ ଗିରଫ କରିବାପାଇଁ ଖଇରାଡିହରେ ପହଞ୍ଚିଲେ । ଭିଡ଼କୁ ଇତସ୍ତତଃ କରିବାପାଇଁ ଗୁଳିଚାଳନା କରାଗଲା । ଫଳରେ ମାଗୁଣି ଜେନା ନାମକ ଜଣେ କର୍ମୀ ଗୁରୁତର ଆହତ ହେଲେ । ଏହା ସତ୍ତ୍ୱେ ଲୋକେ ପୋଲିସକୁ ବିରୋଧ କରିବାରୁ ପଛଘୁଞ୍ଚା ଦେଲେ ନାହିଁ । ବାଧ୍ୟ ହୋଇ ଶେଷରେ ପୋଲିସ ପୁଣି ଥରେ ଛତ୍ରଭଂଗ ଦେଲା । ସେପ୍ଟେମ୍ବର ୨୬ ତାରିଖରେ ତୃତୀୟ ଥରପାଇଁ ପୋଲିସ ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାକୁ ଆସି ଖଇରାଡିହରେ ସମବେତ ଜନତାର ସମ୍ମୁଖୀନ ହେଲା । ପୁଣି ଥରେ ପୁଲିସ ଗୁଳିଚାଳନା କଲା । ରଘୁ ବେହେରା ଓ ମକର ଜେନାଙ୍କର ପୋଲିସ ଗୁଳିରେ ମୃତ୍ୟୁ ହେଲା ଏବଂ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାପାଇଁ ତାଙ୍କ ପୈତୃକ ଘର ଖାନତଲାସୀ କରାଗଲା ଏବଂ ଆସବାବପତ୍ରକୁ କୋରଖ କରାଗଲା । ମୃତ ଦେହ ଓ ଆସବାବପତ୍ରକୁ ସାଙ୍ଗରେ ନେଇ ତୁଡିଗଡ଼ିଆ କେମ୍ପକୁ ଫେରୁଥିବା ପୋଲିସ ବାହିନୀ ଉପରେ ପ୍ରାୟ ୩୦୦୦ ଲୋକ ଆକ୍ରମଣ କଲେ । ସେମାନଙ୍କ ନେତୃତ୍ୱ ନେଇଥିଲେ ବୈଦ୍ୟନାଥ ରାଉତ, ଚିନ୍ତାମଣି ପଣ୍ଡା, କୃଷ୍ଣଚନ୍ଦ୍ର ଜେନା ଓ ସୂର୍ଯ୍ୟମଣି ତ୍ରିପାଠୀ । ପୋଲିସ ପକ୍ଷରୁ ସେଠାରେ ପୁଣି ଥରେ୩୧୦ . ଓଡ଼ିଶା ଇତିହାସ