ପୃଷ୍ଠା:Odisha Itihasa.pdf/୩୧୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗୁଳିଚାଳନା ହେଲା । ଅନେକ କର୍ମୀ ଗିରଫ ହେଲେ । ଲୋକଙ୍କ ଉପରେ ପିଟୁଣି ଟିକସ ଲାଗୁ ହେଲା । ଶେଷରେ ୩୦ ସେପ୍ଟେମ୍ୱର ଦିନ ବୈଦ୍ୟନାଥ ରାଉତଙ୍କ ଗିରଫ ପରେ ଛତ୍ରଗାଁର ସମାନ୍ତରାଳ ସରକାରର ପତନ ହେଲା ।

ଇରମ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମଠାରେ ସେପ୍ଟେମ୍ୱର ୧୯୪୨ରେ ଏକ ଅଭିନବ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତାକୁ ଦମନ କରିବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହେଲା ଏବଂ ଶହେରୁ ଅଧିକ ଗୁରୁତର ଆହତ ହେଲେ । ଅଗଷ୍ଟ ବିପ୍ଳବରେ ଏହା ଇରମ ହତ୍ୟାକାଣ୍ଡ ନାମରେ କୁଖ୍ୟାତ ।

ସ୍ୱାଧୀନତା ସଂଗ୍ରାମରେ ଇରମର ସଂପୃକ୍ତି ଅସହଯୋଗ ଆନ୍ଦୋଳନ ସମୟରୁ ରହି ଆସିଥିଲା । ଇରମର ବାଞ୍ଛାନିଧି ମହାନ୍ତି ଗୀତି କବିତା ଓ ଅଭିନୟ ମାଧ୍ୟମରେ ଅସହଯୋଗ ଓ ଆଇନ ଅମାନ୍ୟର ବାର୍ତ୍ତାକୁ ସମଗ୍ର ଓଡ଼ିଶାରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଲୋକ ଇରମରେ ଜାତୀୟତା ଆନ୍ଦୋଳନ ଓ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇଥିଲେ । ରାଧାକାନ୍ତ ପାଢ଼ୀ ନାମରେ ଜଣେ ସ୍ଥାନୀୟ ଜମିଦାର ମଧ୍ୟ କଂଗ୍ରେସକୁ ନିୟମିତ ସହଯୋଗ କରୁଥିଲେ । ଅବଶ୍ୟ ଏହି ଅଗଷ୍ଟ ବିପ୍ଳବରେ ତାଙ୍କର ଭୂମିକା ବିଶେଷ ନଥିଲା । ବିଶେଷକରି ସେଠାକାର ଯୁବପିଢି ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା । ତନ୍ମଧ୍ୟରେ ଥିଲେ ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ପାଣିଗ୍ରାହୀ, କମଳା ପ୍ରସାଦ କର, ପ୍ରଭାକର ତ୍ରିପାଠୀ, ଅନିରୁଦ୍ଧ ମହାନ୍ତି ଓ ଗଣେଶ ପ୍ରସାଦ ତ୍ରିପାଠୀ । ଅଗଷ୍ଟ ୨୭ ତାରିଖରୁ ସେମାନେ ନିୟମିତ ଜନସଭା ଆୟୋଜନ କରୁଥିଲେ । ସେମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଲୋକେ ବାସୁଦେବପୁର ଥାନା ପୋଡ଼ିବାକୁ ଉଦ୍ୟମ କରିଥିଲେ । ସ୍କୁଲ୍‍ ଓ ବଜାରରେ ହରତାଳ ପାଳିତ ହୋଇ କେତେକ ଚୌକିଦାର ଓ ଦଫାଦାରଙ୍କ ୟୁନିଫର୍ମକୁ ମଧ୍ୟ ପୋଡ଼ି ଦିଆଯାଇଥିଲା । ଆନ୍ଦୋଳନକାରୀମାନଙ୍କ ଚାପରେ କେତେକ କଂଗ୍ରେସ ବିରୋଧୀ ଜମିଦାର ମଧ୍ୟ ଚୁପ୍‍ ରହିବାକୁ ବାଧ୍ୟ ହୋଇଥିଲେ, ଯାହା ଲୋକଙ୍କୁ ଅଧିକ ସଂଖ୍ୟାରେ ଅଗଷ୍ଟ ବିପ୍ଳବରେ ଯୋଗ ଦେବାକୁ ସାହସ ଓ ଅବସର ପ୍ରଦାନ କରିଥିଲା ।

ସେପ୍ଟେମ୍ୱର ୧୭ ତାରିଖରେ ସ୍ଥାନୀୟ ନେତୃବର୍ଗ ଇରମରେ ଏକ ସମାନ୍ତରାଳ ସ୍ୱାଧୀନ ସରକାର ଗଠନ କଲେ । ବାଞ୍ଛାନିଧି ମହାନ୍ତିଙ୍କ ନାମରେ ଏହାର ନାମ ହେଲା 'ସ୍ୱାଧୀନ ବାଞ୍ଛାନିଧି ଚକଲା' । ଛଅଟି ପଞ୍ଚାୟତର ୨୬ଟି ଗ୍ରାମକୁ ନେଇ ଯେଉଁ ଅଞ୍ଚଳ, ତା'କୁ ଚକଲା କୁହାଗଲା । ଏହାର କ୍ଷେତ୍ରଫଳ ଥିଲା ୧୯ ବର୍ଗ ମାଇଲ । ଚକଲା ସରକାରର ପରିଚାଳନାନିମନ୍ତେ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଏକ ପରିଷଦ ଗଠିତ ହୋଇଥିଲା । ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଥିଲେ ସରକାରର ପ୍ରଧାନମନ୍ତ୍ରୀ ଓ କମଳା ପ୍ରସାଦ କର ଥିଲେ ନିର୍ଦ୍ଦେଶକ ଓ ମୁଖ୍ୟ ସେନାପତି । ପରିଷଦର ଅନ୍ୟ ସଦସ୍ୟମାନେ ଥିଲେ ଅନିରୁଦ୍ଧ ମହାନ୍ତି, ପ୍ରଭାକର ତ୍ରିପାଠୀ ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ ।{{right|ଓଡ଼ିଶା ଇତିହାସ . ୩୧୧