ପୃଷ୍ଠା:Odisha Itihasa.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟରେ ଏକ ପ୍ରଧାନ କାରଣ ହେଲା ଯେ, ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୦୯ରେ ସ୍ଥାପିତ ସତ୍ୟବାଦୀ ସ୍କୁଲ୍‍ ସେତେବେଳକୁ ସଂପୂର୍ଣ୍ଣ ରୂପେ ପତନର ଶିକାର ହୋଇ ସାରିଥିଲା । ନିଜେ ଗୋପବନ୍ଧୁ ଦାସ ମଧ୍ୟ ୧୯୨୮ରେ ମୃତ୍ୟୁବରଣ କରିସାରିଥିଲେ । ଦ୍ୱିତୀୟତଃ, ଆଚାର୍ଯ୍ୟ ହରିହର ଦାସଙ୍କୁ ବାଦ ଦେଲେ ସତ୍ୟବାଦୀର ଅନ୍ୟ ପ୍ରମୁଖ ପ୍ରତିଷ୍ଠାତାମାନେ, ଯଥା ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର କଂଗ୍ରେସରୁ ବାହରି ଯାଇ ସରକାରର ସମର୍ଥନରେ ଓଡ଼ିଶାରେ ମିଳିତ ସରକାର ଗଢ଼ିଥିଲେ । ସତ୍ୟବାଦୀ ନେତୃତ୍ୱର ଏହିଭଳି କଂଗ୍ରେସ ବିରୋଧୀ ଭୂମିକା ଯୋଗୁଁ ବୋଧହୁଏ ପୁରୀରେ ଅଗଷ୍ଟ ବିପ୍ଳବ ବିଶେଷ ଉଧେଇ ପାରି ନଥିଲା । ସେ ଯାହାହେଉ, ଅଗଷ୍ଟ ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଗଷ୍ଟ ବିପ୍ଳବ ସଂଘଟିତ ହେବା ପରେ ତା'ର ପ୍ରଭାବ ପୁରୀରେ ମଧ୍ୟ ପଡ଼ିଲା ଏବଂ ପରିଣାମ ସ୍ୱରୂପ ନିମାପଡ଼ାଠାରେ ୧୬ ସେପ୍ଟେମ୍ବରରେ ଆନ୍ଦୋଳନ ଆରମ୍ଭ ହେଲା । ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୫୦୦ ଲୋକ ସେଠାରେ ଏକ ସଭା ଆୟୋଜନ କଲେ ଏବଂ ନିମାପଡ଼ା ଥାନାକୁ କବ୍‍ଜା କରି ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ସଭାର ନେତୃତ୍ୱ ନେଇଥିଲେ ପଦ୍ମଚରଣ ସାମନ୍ତସିଂହାର, ଭବାନୀ ଚରଣ ପଟ୍ଟନାୟକ, ଲୋକନାଥ ସେନାପତି, ଅଲେଖ ପାତ୍ର, ମହେଶ୍ୱର ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ସାହୁ । ସଭା ପରେ କଂଗ୍ରେସ ପତାକା ଧରି ଲୋକେ ଥାନାକୁ ପଟୁଆରରେ ଗଲେ ଏବଂ ପୋଲିସକୁ ଆନ୍ଦୋଳନରେ ଯୋଗ ଦେବାପାଇଁ ଆହ୍ୱାନ କଲେ । ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବାଧା ଦିଆଯିବାରୁ ଖଣ୍ଡଯୁଦ୍ଧ ଆରମ୍ଭ ହେଲା । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ପୋଲିସ ଉପରକୁ ପଥର ମାଡ଼ ହେଲା । ଜଣେ କଂଗ୍ରେସ କର୍ମୀ ଉଚ୍ଛବ ମଲ୍ଲିକ୍‍ କଂଗ୍ରେସ ପତାକା ଧରି ପୋଲିସ ଥାନା ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହେଲା । ଉଚ୍ଛବ ମଲ୍ଲିକ ଥିଲେ ଜଣେ ଦଳିତ ଜାତିର ବ୍ୟକ୍ତି । ପୋଲିସ ଗୁଳିରେ ଅଗଷ୍ଟ ବିପ୍ଳବରେ ତାଙ୍କର ସହିଦ ହେବା ଘଟଣା ଆନ୍ଦୋଳନର ବ୍ୟାପକତାକୁ ଦର୍ଶାଇଲା । ଗୁଳିଚାଳନାଯୋଗୁଁ ୧୬ ଜଣ କର୍ମୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା ପରେ ଉଚ୍ଛବ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର ମଲ୍ଲିକଙ୍କ ସହିତ ୪୧ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜେଲକୁ ପଠାଗଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏକାଧିକ ଥିଲେ ଦଳିତ । ଏହାକୁ ନିମାପଡ଼ା ଆନ୍ଦୋଳନର ଏକ ବୈଶିଷ୍ଟ୍ୟ ଭାବରେ ଗ୍ରହଣ କରାଯାଇପାରେ । ୧୯୦୯ରେ 'ସତ୍ୟବାଦୀ'ର ଶୁଭାରମ୍ଭ ହୋଇ ପୁରୀରେ ଜାତୀୟତା ଆନ୍ଦୋଳନର ଯେମିତି ଭିତ୍ତି ପଡ଼ିଥିଲା । ସେତେବେଳେ ଆନ୍ଦୋଳନର ମୁଖ୍ୟ ଆଧାର ଥିଲେ ଉଚ୍ଚ ଜାତିର ବ୍ରାହ୍ମଣମାନେ । ୧୯୪୨ର ଅଗଷ୍ଟ ବିପ୍ଳବ ବେଳକୁ ଦଳିତମାନେ ଜିଲ୍ଲାରେ ଅଗ୍ରଣୀ ଭୂମିକା ନେଲେ ।

ସମ୍ବଲପୁର ଜିଲ୍ଳାରେ ଆନ୍ଦୋଳନ ବମ୍ବେ କଂଗ୍ରେସ ବୈଠକରେ ଯୋଗ ଦେଇ ସମ୍ବଲପୁର ଫେରିବା ବାଟରେ ଲକ୍ଷ୍ମୀନାରାୟଣ ମିଶ୍ର ଓ ପ୍ରହଲ୍ଲାଦ ରାୟ ଲାଠ ୯ ଅଗଷ୍ଟ ଦିନ ଗିରଫ ହେଲେ । ଜିଲ୍ଲାର ତିିନିଟି କଂଗ୍ରେସ ଅଫିସ୍‍{{right|ଓଡ଼ିଶା ଇତିହାସ . ୩୧୩