ପୃଷ୍ଠା:Odisha Itihasa.pdf/୩୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ ନିଷେଧାଜ୍ଞା ଜାରିହେଲା । ସମ୍ବଲପୁର ଜିଲ୍ଲାର ଅନ୍ୟ ଜଣେ ପ୍ରମୁଖ ନେତା ଭାଗୀରଥି ପଟ୍ଟନାୟକ, ତାଙ୍କ ପତ୍ନୀ ଜମ୍ବୁବତୀ ପଟ୍ଟନାୟକ ଓ ପୁତ୍ର ପ୍ରଫୁଲ୍ଲ ପଟ୍ଟନାୟକ ଅଗଷ୍ଟ ବିପ୍ଳବ ସମୟରେ ବିହାରରେ ଯାଇ କଂଗ୍ରେସ କାମ କରୁଥିଲେ । ଫଳରେ ସାଧାରଣ କଂଗ୍ରେସ କର୍ମୀମାନେ ହିଁ ଜିଲ୍ଲାରେ ଆନ୍ଦୋଳନକୁ ସକ୍ରିୟ କରିଥିଲେ । ଜିଲ୍ଲାରେ ଆନ୍ଦୋଳନର ଆରମ୍ଭ ହେଲା ୧୮ ଅଗଷ୍ଟ ଦିନ । ୧୭ ଅଗଷ୍ଟ ଦିନ ଜମ୍ବୁବତୀ ଦେବୀ ଏବଂ ପ୍ରେମାଦେବୀଙ୍କୁ ବିହାରର ଦୁମୁକାଠାରେ ଗିରଫ କରାଗଲା । ଏହାର ପ୍ରତିବାଦ କରି ୧୮ ଅଗଷ୍ଟ ଦିନ ଝାରସୁଗୁଡ଼ାରେ ଛାତ୍ରମାନେ ସହରରେ ହରତାଳ ପାଳନ କଲେ; ଶୋଭାଯାତ୍ରା କଲେ । ତା' ପରଦିନ ହରତାଳକୁ ସହଯୋଗ କରିବା ଅଭିଯୋଗରେ ନୃସିଂହ ଗୁରୁ, ତାଙ୍କ ଭାଇ ଦୁର୍ଗାପ୍ରସାଦ ଗୁରୁ, ଦୟାନିଧି ଶତପଥୀ, ଲକ୍ଷ୍ମୀନାରାୟଣ ଅଗ୍ରଓ୍ୱାଲ୍‍ ଓ ରାମରକ୍ଷା ଶୁକ୍ଳଙ୍କୁ ପୋଲିସ ଭାରତ ରକ୍ଷା ଆଇନ ବଳରେ ଗିରଫ କଲେ । ଏହାର ଦୁଇଦିନ ପରେ ୨୧ ଅଗଷ୍ଟ ଦିନ ସମ୍ବଲପୁର ଭୁଲିଆ ପଡ଼ାର ଯୁଧିଷ୍ଠିର ମେହେର, ପ୍ରେମାନନ୍ଦ ମେହେର, ଆନନ୍ଦ ମେହେର, ରାଧେଶ୍ୟାମ ମେହେର ଓ ପବିତ୍ର ଦାସ ଗିରଫ ହେଲେ । ତନ୍ତୀ ସଂପ୍ରଦାୟର ଏହି କଂଗ୍ରେସକର୍ମୀଗଣ ରେଭିନ୍ୟୁ ଅଫିସରଙ୍କୁ ସରକାରୀ ପଦବୀରୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ବରଗଡ଼ରେ ଫକୀର ବେହେରା, ରାଜେନ୍ଦ୍ର ପଣ୍ଡା ଓ ତୀର୍ଥବାସୀ ପୁରୋହିତଙ୍କୁ ଗିରଫ କରାଯାଇ ସମ୍ବଲପୁର ଜେଲରେ ରଖାଗଲା ।

ସମ୍ବଲପୁର ଆନ୍ଦୋଳନର ବିଶେଷତ୍ୱ ଥିଲା ନାରୀ ନେତୃତ୍ୱର ଉଦୟ । ଭାଗୀରଥି ପଟ୍ଟନାୟକଙ୍କ ପତ୍ନୀ ଜମ୍ବୁବତୀ ଦେବୀ ଆଇନ ଅମାନ୍ୟ ସମୟରୁ ସକ୍ରିୟ ରହି ଅଗଷ୍ଟ ବିପ୍ଳବ ବେଳେ ବିହାରରେ ଗିରଫ ହୋଇଥିଲେ । ତାଙ୍କଦ୍ୱାରା ଉଦ୍‍ବୁଦ୍ଧ ହୋଇ ବରଗଡ଼ ନିକଟସ୍ଥ ସମଲାଇପଦର ଗ୍ରାମର ପାର୍ବତୀ ଗିରି ଓ ତେଲିପଡ଼ାର ପ୍ରଭାବତୀ ଦେବୀ ବରଗଡ଼ରେ ମହିଳାମାନଙ୍କୁ ପଟୁଆରରେ ନେଇ ଶୋଭାଯାତ୍ରା କରିଥିଲେ । ସେମାନେ କେତେକ ମଦ ଦୋକାନକୁ ବନ୍ଦ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲେ ।

ବରଗଡ଼ ନିକଟସ୍ଥ ପାଣିମୋରା ଗ୍ରାମରେ ୩୨ଜଣ କର୍ମୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେମାନେ ସମସ୍ତେ ଥିଲେ ଚାଷୀ ଓ ମଜୁରିଆ ଶ୍ରେଣୀର । ସେମାନେ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗଷ୍ଟ ବିପ୍ଳବର ବହୁ ପୂର୍ବରୁ ଭାଗୀରଥି ପଟ୍ଟନାୟକଙ୍କ ସହ ମିଶି କଂଗ୍ରେସର ଗଠନମୂଳକ କାର୍ଯ୍ୟରେ ସଂପୃକ୍ତ ଥିଲେ । ପାଣିମୋରାର କର୍ମୀମାନଙ୍କ ମଧ୍ୟରେ ଥିଲେ ଫୁଲଶର ପ୍ରଧାନ, ଦିବ୍ୟ କିଶୋର ସାହୁ, ଅଭିମନ୍ୟୁ ଭୋଇ, ଗୋକୁଳଚନ୍ଦ୍ର ନାୟକ, ଶ୍ରୀବତ୍ସ ନାୟକ, ମଦନ ମୋହନ ପ୍ରଧାନ, ଧନୁ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧନଞ୍ଜୟ ପ୍ରଧାନ, ରାଘବଚନ୍ଦ୍ର ପରଡ଼ିଆ, ଚୈତନ୍ୟ ସରାଫ୍‍, ଶଙ୍କର ପ୍ରଧାନ, ଦୟାନିଧି ନାୟକ, ସୁଖଶରଣ ଭୋଇ, ଚନ୍ଦ୍ରଭାନୁ ପରଡ଼ିଆ, ଧନସିଂହ ପ୍ରଧାନ, ପ୍ରଭାକର ପ୍ରଧାନ, କହ୍ନେଇଲାଲ୍‍ ସାହୁ, ମଦନ ଭୋଇ, ରୁଷି ସରାଫ୍‍, ହରିହର ଭୋଇ, ଦାଶରଥି ନାୟକ ଓ କଏରା ସାହୁ । ସେମାନଙ୍କ ସଂପୃକ୍ତି ଅଗଷ୍ଟ ବିପ୍ଳବକୁ ବ୍ୟାପକ ପରିସରଭୁକ୍ତ କଲା ।୩୧୪ . ଓଡ଼ିଶା ଇତିହାସ