ପୃଷ୍ଠା:Odisha Itihasa.pdf/୩୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଲପୁର ଜିଲ୍ଲାରେ ମୋଟ ୧୫୫ ଜଣ କର୍ମୀ ଏଥିରେ ଜେଲଦଣ୍ଡ ଭୋଗି ଥିଲେ । ପୁଣି ଅନେକ କର୍ମୀ ଗିରଫ ନ ହୋଇ ଆନ୍ଦୋଳନ କାମରେ ସଂଶ୍ଳିଷ୍ଟ ଥିଲେ । ସମ୍ବଲପୁର ଜିଲ୍ଲା ଅଗଷ୍ଟ ବିପ୍ଳବର ବିଶେଷତ୍ୱ ହେଲା ଯେ, ସେଠାରେ କୌଣସି ବ୍ୟାପକ ହିଂସାକାଣ୍ଡ ବା ପୋଲିସ୍‍ ଗୁଳିଚାଳନା ପରିଦୃଷ୍ଟ ହୋଇ ନଥିଲା । କର୍ମୀମାନେ ସାଧାରଣତଃ ଶୋଭାଯାତ୍ରାରେ ଯାଇ କଂଗ୍ରେସ ଓ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ଏବଂ ସେହି ପ୍ରକ୍ରିୟାରେ ପୋଲିସ ସେମାନଙ୍କୁ ଗିରଫ କରୁଥିଲା । ଅଧିକାଂଶ ଗିରଫ କର୍ମୀ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନ ଓ ତା'ର ଗଠନମୂଳକ କାର୍ଯ୍ୟ ସହ ପରିଚିତ ଥିଲେ । ସେହି ଶୃଙ୍ଖଳା ଅଗଷ୍ଟ ବିପ୍ଳବରେ ଅଂଶଗ୍ରହଣ କଲା ସମୟରେ ମଧ୍ୟ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଉଦାହରଣ ସ୍ୱରୂପ, ନୃସିଂହ ଗୁରୁ ଅସହଯୋଗ ସମୟରୁ ଏବଂ ଦୟାନନ୍ଦ ଶତପଥୀ ବାମଣ୍ଡା ପ୍ରଜା ଆନ୍ଦୋଳନ (୧୯୨୮) ସମୟରୁ କଂଗ୍ରେସର କାର୍ଯ୍ୟ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ ।

ଗଞ୍ଜାମରେ ଆନ୍ଦୋଳନ ୯ ଅଗଷ୍ଟ ୧୯୪୨ ଦିନ ଓଡ଼ିଶାର ଅନ୍ୟ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଗଞ୍ଜାମର ଉମାଚରଣ ପଟ୍ଟନାୟକ ଗିରଫ ହୋଇଥିଲେ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ଅଫିସ୍‍ ସମେତ ଗୁରୁଣ୍ଡି ସେବାଶ୍ରମ ଓ କୁଲାଡ଼ୋ ଆଶ୍ରମକୁ ପୋଲିସ ବାଜ୍ୟାପ୍ତ କରି ଦେଇଥିଲେ । ଆନ୍ଦୋଳନ ଆରମ୍ଭ ହୋଇଥିବା କଥା ପ୍ରଚାର ହେବା ପରେ, ୧୦ ଅଗଷ୍ଟ ଦିନ ବିପି ବିହାରୀ ରଥ ନାମକ ଜଣେ କିଶୋର ଯୁବକଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ ସ୍କୁଲ୍‍ ଛାତ୍ର ବ୍ରହ୍ମପୁର ମୁଖ୍ୟ ପୋଷ୍ଟ ଅଫିସ୍‍ ଆଗରେ ପିକେଟିଂ କଲେ । ପରଦିନ ଆସ୍କା ହାଇସ୍କୁଲ୍‍ରେ ଏବଂ ୧୪ ତାରିଖ ଦିନ ପାରଳାଖେମୁଣ୍ଡି କଲେଜର ଛାତ୍ର କଂଗ୍ରେସ ନେତୃବୃନ୍ଦଙ୍କ ଗିରଫ ପ୍ରତିବାଦରେ ହରତାଳ ହେଲା । ଅଗଷ୍ଟ ୧୫ ତାରିଖରେ ଗୁରୁଣ୍ଡିଠାରେ ଏକ ଜନସଭା ଆୟୋଜିତ ହେଲା । ଏଥିରେ ଜିଲ୍ଲା କୃଷକ ସଭାର ସଭାପତି ନାରାୟଣ ପାତ୍ର ବକ୍ତୃତା ଦେବା ପରେ ପୋଲିସଦ୍ୱାରା ଗିରଫ ହେଲେ । ପାରଳାଖେମୁଣ୍ଡିରେ ଏକ ସରକାରୀ ଡାକବଙ୍ଗଳାକୁ ଆଦିବାସୀମାନେ ଭାଙ୍ଗି ପକାଇଲେ । ଛତ୍ରପଡ଼ା, କେରୁଣା, କଣ୍ଟାପାରି ଆଦି ସ୍ଥାନରେ ମଧ୍ୟ ସେହି ଦିନ ହରତାଳ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ସ୍ଥାନରେ ଗୋଟାଏ କାର୍ଯ୍ୟକ୍ରମ ସଂଘଟିତ ହେଉଥିବାରୁ ସିଦ୍ଧ ହୁଏ ଯେ, କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆପୋସ ବୁଝାମଣା ରହିଥିଲା ଏବଂ ମିଳିତ ଭାବରେ ସେମାନେ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ । ଅଗଷ୍ଟ ୧୮ ତାରିଖ ଦିନ ରସୁଲକୋଣ୍ଡାରେ ପ୍ରତିବାଦ ସଭା ଓ ହରତାଳ ଆୟୋଜିତ ହୋଇଥିଲା ।

ଗଞ୍ଜାମ ଜିଲ୍ଲାରେ ମୋଟ ୧୦୧ ଜଣ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ । ତନ୍ମଧ୍ୟରେ ଥିଲେ କୁଲାଡ଼ା ଆଶ୍ରମର କର୍ମୀ ହରିହର ପତି, ଆପ୍ପା ରାଓ, ମହାଦେବ ପଣ୍ଡା, ଖଲି ସାହୁ, ଗୋପୀନାଥ ସାହୁ ଏବଂ ଫୁଲ ଦେଇ । ଜିଲ୍ଲାର ଅନ୍ୟ ପ୍ରମୁଖ ଗିରଫ କର୍ମୀଙ୍କ ମଧ୍ୟରେ ଥିଲେ ଶୀହର୍ଷ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଦୀନବନ୍ଧୁ ବେହେରା, ଅପନ୍ନା ପାତ୍ର, ବିଶ୍ୱନାଥ ଦାସ,{{right|ଓଡ଼ିଶା ଇତିହାସ . ୩୧୫