ପୃଷ୍ଠା:Odisha Itihasa.pdf/୩୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବନମାଳୀ ମହାରଣା ଏବଂ ମାଗୁଣି ଦାସ । ପୁରୁଷୋତ୍ତମପୁର ହାଇସ୍କୁଲ୍‍ର ଛାତ୍ର ରାମମୋହନ ଜେନା ଗୁଣ୍ଡାରି ଥାନାକୁ ପୋଡ଼ି ଦେବାକୁ ଉଦ୍ୟମ କରିବା ଅପରାଧରେ ଗିରଫ ହୋଇଥିଲେ । ଜିଲ୍ଲାର ଜଗନ୍ନାଥପ୍ରସାଦରେ ଲୋକ ଜଙ୍ଗଲ ଆଇନକୁ ଅମାନ୍ୟ କରିବା ଉଦ୍ଦେଶ୍ୟରେ ପଞ୍ଚବଟୀ ଜଙ୍ଗଲର ଗଛ କାଟି ନେଇଗଲେ । ଋଷିକୂଲ୍ୟା ନଦୀ ଉପରେ ଥିବା ଏକ ପୋଲକୁ ଡିାମାଇଟ୍‍ ଲଗାଇ ଧ୍ୱଂସ କରିବାକୁ ମାଗୁଣି ଦାସ, ଡକ୍ଟର ରାମମୂର୍ତ୍ତିି ଓ ନିରଞ୍ଜନ ପଟ୍ଟନାୟକ ଆଦି ଯୋଜନା କରିଥିଲେ । ଏଥିପାଇଁ ଡିନାମାଇଟ୍‍ ମଧ୍ୟ ସଂଗ୍ରହ କରାଯାଇଥିଲା । ମାତ୍ର ନେତାମାନେ ଗିରଫ ହେବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ମୋଟ ଉପରେ ଦେଖିଲେ, ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ବିପ୍ଳବ ଖୁବ୍‍ ବେଶି ଧ୍ୱଂସାତ୍ମକ ହୋଇ ନଥିଲା । ହିଂସାତ୍ମକ ପଦକ୍ଷେପ ଗୃହୀତ ହେବା ପୂର୍ବରୁ ଅନେକ ସ୍ଥଳରେ ନେତାମାନଙ୍କୁ ଗିରଫ କରାଯାଇଥିଲା । ଦ୍ୱିତୀୟତଃ କାଁ ଭାଁ କେତୋଟି ଘଟଣାକୁ ବାଦ ଦେଲେ ସେଠାରେ ଆନ୍ଦୋଳନ କର୍ମୀମାନଙ୍କ ମଧ୍ୟରେ ସୀମିତ ଥିଲା । ବ୍ୟାପକ ସ୍ତରରେ ସାଧାରଣ ଜନତା ଆନ୍ଦୋଳନରେ ଭାଗ ନେଇ ନଥିଲେ, ଯଦିଓ ସେମାନଙ୍କର ଆନ୍ଦୋଳନ ପ୍ରତି ମୌନ ସମର୍ଥନ ରହିଥିଲା ।

ଗଡ଼ଜାତରେ ଆନ୍ଦୋଳନ ଅସହଯୋଗ ଓ ଆଇନ ଅମାନ୍ୟ ସମୟରେ ସାମାନ୍ୟ କେତୋଟି ଗଡ଼ଜାତରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ମାତ୍ର ହୋଇଥିଲା । ମାତ୍ର ୧୯୪୨ ବେଳକୁ ଗଡ଼ଜାତଗୁଡ଼ିକ ମୋଗଲବନ୍ଦି ଅପେକ୍ଷା ରାଜନୀତିକରଣରେ ଆଗୁଆ ରହିଲେ । ଶିକ୍ଷାଦୀକ୍ଷାରେ ପଛରେ ରହିବା ସତ୍ତ୍ୱେ ଗଡ଼ଜାତର ଏହି ପ୍ରତ୍ୟକ୍ଷ ରାଜନୀତିକରଣ ତାକୁ ମୋଗଲବନ୍ଦିର ସମତୁଲ କରିଦେଲା । ସେହି ଦୃଷ୍ଟିରୁ ଦେଖିଲେ, ଅଗଷ୍ଟ ବିପ୍ଳବ ଉଭୟ ଓଡ଼ିଶାର ସମନ୍ୱୟ ଦିଗରେ ଏକ ପ୍ରମୁଖ ଅନୁପୂରକ ପ୍ରମାଣିତ ହେଲା । ୧୯୩୮- ୩୯ରେ ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ହୋଇଥିବା କଥା ପୂର୍ବରୁ ଆଲୋଚିତ ହୋଇଛି । ୧୯୪୨ ଅଗଷ୍ଟ ଆନ୍ଦୋଳନରେ ମଧ୍ୟ ଏହି ପ୍ରଜାମାନେ ଅନୁରୂପ ଭାବରେ ଭାଗ ନେଲେ । ଫଳରେ ପ୍ରଜାମଣ୍ଡଳ ଓ ଅଗଷ୍ଟ ଆନ୍ଦୋଳନ ସେଠାରେ ସମ ରୂପ ହେଲା । ଗଡ଼ଜାତ ରାଜାମାନେ ଇଂରେଜଙ୍କ ସମର୍ଥନ ଓ କଂଗ୍ରେସର ବିରୋଧ କରୁଥିବାଯୋଗୁଁ ପ୍ରଜାମାନେ ପ୍ରତ୍ୟକ୍ଷ ରୂପରେ ରାଜାବିରୋଧୀ ହେଲେ ।

ତାଳଚେରରେ ଆନ୍ଦୋଳନ ଗଡ଼ଜାତଗୁଡ଼ିକ ମଧ୍ୟରେ ତାଳଚେରର ଅଗଷ୍ଟ ଆନ୍ଦୋଳନ ସର୍ବାଗ୍ରେ ରହିଥିଲା । ସେଠାରେ ପ୍ରଜାମଣ୍ଡଳର ଭିତ୍ତି ଉପରେ ଆନ୍ଦୋଳନ ତୀବ୍ର ରୂପ ନେଲା । ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ପ୍ରଜା ତାଳଚେରରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠନ କଲେ ଏବଂ ତାକୁ ଦମନ କରିବାପାଇଁ ସରକାର ପକ୍ଷରୁ ହେଲିକେପ୍ଟରରେ ବୋମା ବର୍ଷଣ ମଧ୍ୟ କରାଗଲା । ସମଗ୍ର ଦେଶରେ ତାଳଚେରର ଆନ୍ଦୋଳନ ଅଭୂତପୂର୍ବ ବୋଲି ପ୍ରସିଦ୍ଧି ପାଇଲା ।୩୧୬ . ଓଡ଼ିଶା ଇତିହାସ