ପୃଷ୍ଠା:Odisha Itihasa.pdf/୩୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନଭେମ୍ବର ୧୯୪୦ରେ ତାଳଚେରରେ ପବିତ୍ର ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ଅଗଷ୍ଟ ବିପ୍ଳବର ସୂଚନା ସେମାନଙ୍କୁ ମିଳିଥାଏ । ୧୯୪୨ ଅଗଷ୍ଟ ୩୧ ତାରିଖରେ ଜେଲ ଡେଇଁ ପବିତ୍ରବାବୁ ପଳାଇଯିବା ସହିତ ଗୋପନରେ ଆନ୍ଦୋଳନକୁ ନେତୃତ୍ୱ ଦେଲେ ।

ପବିତ୍ରବାବୁଙ୍କୁ ଧରାଇ ଦେବାପାଇଁ ରାଜାଙ୍କ ପକ୍ଷରୁ ୫୦୦୦ଟଙ୍କା, ୫୦୦ ଏକର ଜମି, ପାଞ୍ଚଟି ଗ୍ରାମର ସରବରାକାରୀ ଅଧିକାର (ରାଜସ୍ୱ ଅସୁଲିର ଅଧିକାର) ଏବଂ ପଦପଦବୀ ଘୋଷଣା କରାଗଲା । ଅନ୍ୟପକ୍ଷରେ, ପ୍ରଜାମାନେ ଧରିନେଲେ ଯେ ପବିତ୍ରବାବୁଙ୍କୁ ରାଜା ହତ୍ୟା କରିଛନ୍ତି । ଫଳରେ ଆନ୍ଦୋଳନ ଅଧିକ ତୀବ୍ର ଆକାର ଧାରଣ କଲା । ସେପ୍ଟେମ୍ବର ୩ ତାରିଖରେ କୁମୁଣ୍ଡା ଗ୍ରାମରେ ତାଳଚେର ପ୍ରଜାମଣ୍ଡଳର କର୍ମକର୍ତ୍ତାମାନଙ୍କର ବୈଠକ ବସି ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନର ଉଦ୍ଦେଶ୍ୟ ଅନୁସାରେ ସମାନ୍ତରାଳ ସରକାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଗଲା । ପବିତ୍ରବାବୁଙ୍କ ହତ୍ୟା ଗୁଜବ ଜନବିକ୍ଷୋଭକୁ ପ୍ରଜ୍ଜ୍ୱଳିତ କରିଦେଲା । ଲୋକେ ସରକାରଙ୍କୁ ଅବଜ୍ଞା କଲେ । 'ରାଜବଂଶ ଧ୍ୱଂସ କର', 'ଗଡ଼ଜାତ ସରକାରକୁ ଧ୍ୱଂସ କର', 'ଗାନ୍ଧିଜୀଙ୍କ ହୁକୁମ ଅନୁସାରେ ପଞ୍ଚାୟତ ସରକାର ଗଢ଼' ଏବଂ 'ଇଂରେଜକୁ ମାରି ତଡ଼' ବୋଲି ସ୍ଳୋଗାନ ଦେଲେ । ଜନବିକ୍ଷୋଭକୁ ନିୟନ୍ତ୍ରିତ କରିବାପାଇଁ ରାଜ୍ୟରେ ଅଫିସ୍‍, ଅଦାଲତ ଓ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଗଲା । ସେପ୍ଟେମ୍ବର ୩ ତାରିଖରୁ ବ୍ରିଟିଶ୍‍ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ତାଳଚେରରେ ବୋମା, ହେଲିକେପ୍ଟର, ମେସିଗନ ଓ ସେନାବାହିୀ ଆଦି ପଇଁତରା ମାରିଲା । ପ୍ରଜାଙ୍କୁ ଦମନ କରିବାପାଇଁ ଧୂଆଁବାଣ ଓ ଲୁହବୁହା ବୋମାର ପ୍ରୟୋଗ ହେଲା ।

ସେପ୍ଟେମ୍ବର ୭ ତାରିଖରୁ ତାଳଚେରରେ 'ପ୍ରଜାସଭା'ର ନିୟନ୍ତ୍ରଣରେ ସ୍ୱାଧୀନ ସରକାର ଗଠିତ ହେଲା । ଆନ୍ଦୋଳନକାରୀଙ୍କ ଏକ ହିସାବ ଅନୁଯାୟୀ ତାଳଚେରରେ ସେଦିନ ୪୦ ହଜାର ପ୍ରଜା ଏକତ୍ରିତ ହୋଇ ସଭା କଲେ ଏବଂ ରାଜା ଓ ବ୍ରିଟିଶ ବିରୋଧୀ ସ୍ଳୋଗାନ ଦେଲେ । ଉତ୍ତ୍ୟକ୍ତ ଜନତା ସରକାରୀ ଡାକବଙ୍ଗଳା ଓ ଘରଗୁଡ଼ିକୁ ପୋଡ଼ିଦେଲେ । ପୋଲିସ ଥାନା ଓ ଜଙ୍ଗଲ ବିଭାଗର ଅଫିସ୍‍ ମଧ୍ୟ ଆକ୍ରମଣରୁ ରକ୍ଷା ପାଇଲା ନାହିଁ । ଟେଲିଫୋନ୍‍ ତାରକୁ କାଟି ପକାଇଲେ । ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାର ପୋଲଗୁଡ଼ିକୁ ନଷ୍ଟ କଲେ ଏବଂ ତାଳଚେର-ପୁରୀ ରେଳ ଲାଇନ୍‍କୁ ସ୍ଥାନେ ସ୍ଥାନେ ଉପାଡ଼ି ଦେଲେ । ରାଜ୍ୟରେ ସେହିଦିନଠାରୁ ଚାଷୀ ମୂଲିଆ ପଞ୍ଚାୟତ ସରକାରର ପ୍ରତିଷ୍ଠା ହେଲା । ରାଜ୍ୟର ଗ୍ରାମେ ଗ୍ରାମେ ଏହି ସରକାର କାର୍ଯ୍ୟକାରୀ ହୋଇଥିବାରୁ ରାଜାଙ୍କ ସରକାର ସଂପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିଲା । ଏଥିରେ ପବିତ୍ର ବାବୁଙ୍କ ବ୍ୟତୀତ ମାଗୁଣି ଚରଣ ପ୍ରଧାନ, ବନମାଳୀ ପ୍ରଧାନ, କାଳିନ୍ଦୀ ଚରଣ ପ୍ରଧାନ, ଦାଶରଥି ପାଣି, ଝୁଲୁଦାସ, କୃତ୍ତିବାସ ରଥ, ପବିତ୍ର ବେହେରା ଓ ଗୋବର୍ଦ୍ଧନ ସାହୁ ଆଦି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଅନ୍ୟ ପକ୍ଷରେ ଆନ୍ଦୋଳନକୁ ଦମନ କରିବାପାଇଁ ସରକାରଙ୍କ ପକ୍ଷରୁ ତାଳଚେର ସହରରେ ହେଲିକେପ୍ଟର ଉପରୁ ମେସି୍‍ଗନ୍‍ରୁ ଗୁଳି ବର୍ଷଣ କରାଗଲା । ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା । ପବିତ୍ର ବାବୁ ପୋଲିସ୍‍ ହାତରେ ଧରା ନ ପଡ଼ିବେ{{right|ଓଡ଼ିଶା ଇତିହାସ . ୩୧୭