ପୃଷ୍ଠା:Odisha Itihasa.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନେ କରାଯାଏ, ଖାରବେଳ ଯେ ମାତ୍ର ତେରବର୍ଷ ରାଜତ୍ୱ କରିଥିଲେ, ହୁଏତ ଏହା ସତ୍ୟ ହୋଇ ନ ପାରେ । ଦ୍ୱିତୀୟତଃ, ଶିଳାଲେଖରେ ରହିଥିବା ବର୍ଣ୍ଣନାକୁ ବିଶ୍ଳେଷଣ କଲାବେଳେ ଐତିହାସିକମାନେ ଅନେକ ବିଷୟରେ ଏକମତ ହୋଇପାରନ୍ତି ନାହିଁ । କାରଣ ଶିଳାଲେଖ ସ୍ଥାନେ ସ୍ଥାନେ ଅସ୍ପଷ୍ଟ ରହିଛି, ଲିପି ନଷ୍ଟ ହୋଇଯାଇଛି ଏବଂ ତା'ର ଭାଷା ଆଜିର ଭାଷାଠାରୁ ଯଥେଷ୍ଟ ପୃଥକ୍‍ । ଭିନ୍ନ ଭିନ୍ନ ଅର୍ଥରେ ତାକୁ ବିଶ୍ଳେଷଣ କରାଯାଇପାରେ । ତୃତୀୟତଃ, ଶିଳାଲେଖର ବର୍ଣ୍ଣନାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରିବା କେତେଦୂର ଯୁକ୍ତିିନିଷ୍ଠ ତଥା ଇତିହାସସମ୍ମତ ହେବ- ତାହାବି ଏକ ପ୍ରଶ୍ନବାଚୀ । ଖାରବେଳ ଶିଳାଲେଖର ଚାରିପଟେ ବଦ୍ଧମଙ୍ଗଳ ସ୍ୱସ୍ତିକ, ନନ୍ଦିପଦ ଓ ବୃକ୍ଷ, ଚୈତ୍ୟ ଆଦି ଜୈନଧର୍ମର ପ୍ରତୀକମାନ ଖୋଦିତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେବ ଲିପିବଦ୍ଧ ସୂଚନାକୁ ସତ୍ୟ ଆଧାରିତ ବୋଲି ଲୋକେ ଗ୍ରହଣ କରନ୍ତୁ । ମାତ୍ର, ତାହା ସତ୍ତ୍ୱେ ଆଧୁନିକ ଇତିହାସକାର ଏହାର ତର୍ଜମା କଲାବେଳେ ସତ୍ୟାସତ୍ୟ ପ୍ରତି ଧ୍ୟାନ ଦେବାକୁ ପ୍ରୟାସ କରେ । ଅବସୋସର ବିଷୟ ଯେ ଅନ୍ୟ ଐତିହାସିକ ତଥ୍ୟ ପ୍ରମାଣ ଓ ନିଦର୍ଶନର ଅଭାବରେ ଐତିହାସିକମାନେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହି ଶିଳାଲେଖ ଉପରେ ହିଁ ଅଧିକରୁ ଅଧିକ ନିର୍ଭର କରିବାକୁ ବାଧ୍ୟ । ଏହି ଶିଳାଲେଖ ଅନୁଯାୟୀ ଚେଦୀ ବଂଶର ମହାମେଘବାହନଙ୍କ ପୌତ୍ର ହେଲେ ଖାରବେଳ । କେତେକଙ୍କ ମତରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସେ କଳିଙ୍ଗରେ ଶାସନ କରୁଥିଲେ । ମଗଧର ରାଜା ପୁଷ୍ୟମିତ୍ର ସୁଙ୍ଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୧୮୪ରୁ ଖ୍ରୀଷ୍ଟପୂର୍ବ ୧୪୮) ଓ ଦାକ୍ଷିଣାତ୍ୟର ସାତବାହନ ରାଜା ସାତକର୍ଣ୍ଣୀ ଥିଲେ ତାଙ୍କର ସମସାମୟିକ । କଳିଙ୍ଗନଗରୀ, ଯାହାକୁ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହିତ ଚିହ୍ନିତ କରାଯାଏ, ତାହା ଥିଲା ତାଙ୍କର ରାଜଧାନୀ । ସେ ଜୈନଧର୍ମର ଉପାସକ ଥିଲେ, ମାତ୍ର ଅହିଂସା ମାର୍ଗକୁ ଆପଣାଇ ନଥିଲେ । ମନେହୁଏ ସାମରିକବାହିନୀର ଉପଯୋଗ କରି ସେ ଦିଗ୍‍ବିଜୟ କରିବାରେ ଆନନ୍ଦ ଲାଭ କରୁଥିଲେ । ସମ୍ଭବତଃ ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ସେତେବେଳେ ଅନେକ ସ୍ୱାଧୀନ ରାଜ୍ୟ ମୁଣ୍ତ ଟେକିଥିଲେ । କଳିଙ୍ଗରେ ଖାରବେଳ ବଂଶ ଓ ଦାକ୍ଷିଣାତ୍ୟରେ ସାତବାହନ ବଂଶ ଥିଲେ ସେହି ଧରଣର ଗୋଟିଏ ଗୋଟିଏ ସ୍ୱାଧୀନ ରାଜ୍ୟ ।

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କୁ କଳିଙ୍ଗାଧିପତି ବୋଲି ବର୍ଣ୍ଣନା କରାଯାଇଛି । କଳିଙ୍ଗ ନାମରେ ଖ୍ୟାତ ସମଗ୍ର ଅଞ୍ଚଳର ଛୋଟ ଛୋଟ ରାଜ୍ୟମାନଙ୍କୁ ପ୍ରଥମେ ସେ ଜୟ କରିଥିଲେ ।

ଶିଳାଲେଖରେ ଖାରବେଳଙ୍କ ବାଲ୍ୟଜୀବନ, ଶିକ୍ଷା, ରୁଚି ଓ ସିଂହାସନ ଆରୋହଣ ସମ୍ବନ୍ଧରେ ସୂଚନା ରହିଛି । ତାହା ଅନୁଯାୟୀ, ଐତିହାସିକମାନେ ଖାରବେଳଙ୍କ କାଳ ନିରୂପଣ କରିବାକୁ ପ୍ରୟାସ କରନ୍ତି । ଯାହା ପୂର୍ବରୁ ଉଲ୍ଲିଖିତ କେତେକଙ୍କ ମତରେ ଖାରବେଳ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ରାଜ୍ୟଶାସନ କରୁଥିଲେ । ମାତ୍ର ଅନ୍ୟ ଏକ ମତ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୬୪ରେ ସମ୍ଭବତଃ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଚେତରାଜ ଓ ପିତାମହ ଥିଲେ ମହାମେଘବାହନ । କୈଶୋରାବସ୍ଥାରେ ସେ ପାରମ୍ପରିକ ଶିକ୍ଷା, ଅର୍ଥନୀତି, ରାଜନୀତି, ଧର୍ମଶାସ୍ତ୍ର,୩୨ . ଓଡ଼ିଶା ଇତିହାସ