ପୃଷ୍ଠା:Odisha Itihasa.pdf/୩୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅକ୍ଟୋବର ୮ ତାରିଖରେ ବାହାଡ଼ାଝୋଲା ଜଙ୍ଗଲରେ ପ୍ରଜାମଣ୍ଡଳର ବୈଠକ ବସି ରାଜାଙ୍କୁ ଗାଦିଚ୍ୟୁତ କରିବାକୁ ତଥା ସରକାରୀ ଅଫିସ୍‍ଗୁଡ଼ିକୁ କବ୍‍ଜା କରିବାକୁ ଗୁପ୍ତ ନିଷ୍ପତ୍ତି ନିଆଗଲା । ବୈଠକରେ ଆନନ୍ଦ ଚନ୍ଦ୍ର ସ୍ୱାଇଁ, ସଦାଶିବ ଷଡ଼ଙ୍ଗୀ, କଣ୍ଡୁରୀ ପରିଡ଼ା, ଲକ୍ଷ୍ମଣ ସାହୁ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନେ ଚାରୋଟି ଦଳରେ ବିଭକ୍ତ ହୋଇ ଏକା ସାଙ୍ଗରେ ଗୋଡ଼ିପଡ଼ା, ଓଡ଼ଗାଁ, ବାହାଡ଼ାଝୋଲା ଓ ବରକୋଳା ଉପରେ ଆକ୍ରମଣ କରିବାକୁ ଯୋଜନା କଲେ । ୯ ଅକ୍ଟୋବର ଦିନ ସେମାନେ ବରକୋଳା ଡାକବଙ୍ଗଳାରେ ଡିମ୍ବିରିପଲ୍ଲୀ ଫରେଷ୍ଟ ଅଫିସ ଆକ୍ରମଣ କଲେ । ଅକ୍ଟୋବର ୧୦ ତାରିଖ ଦିନ ଆଦିବାସୀ କଂଧମାନେ ମିଶି ନୂଆଗାଁ ଥାନା ଉପରେ ଆକ୍ରମଣ କଲେ । ପୋଲିସ ପକ୍ଷରୁ ଗୁଳିଚାଳନା ହେଲା । ତହିଁରେ କାସ୍ତି ଡାକୁଆ ନାମକ ଜଣେ କନ୍ଧ ଯୁବକର ମୃତ୍ୟୁ ହେଲା । ପ୍ରାୟ ୫୦ ଜଣ ଲୋକ ଗୁରୁତର ଆହତ ହେଲେ । ଏହି ସମୟରେ ୨୦୦୦ ଲୋକ ନୟାଗଡ଼ ସହରକୁ କବ୍‍ଜା କରିବାକୁ ଏକତ୍ରିତ ହୋଇ ଗୋଟାଏ ଡାକବଙ୍ଗଳା ଏବଂ ହରେକୃଷ୍ଣପୁରର ସ୍କୁଲ୍‍ ଗୃହକୁ ଭାଂଗି ପକାଇଲେ ।

ଆନ୍ଦୋଳନକୁ ପ୍ରଶମିତ କରିବାପାଇଁ ପୋଲିସର ଦମନ ଲୀଳା ଚାଲିଲା । ଅନେକ ନେତାଙ୍କର ବାସଗୃହ କୋରଖ ହେଲା । ପ୍ରାୟ ୧୦୦୦ ଲୋକ ଗିରଫ ହେଲେ । ଏତେ ଅଧିକ ସଂଖ୍ୟକ ଆନ୍ଦୋଳନକାରୀ ୧୯୪୨ରେ ଅନ୍ୟ କେଉଁଠି ଗିରଫ ହୋଇ ନଥିଲେ । ୨୨ଟି ଗାଁରେ ପିଟୁଣି ଟିକସ ଲାଗୁ ହେଲା । ରାଜ୍ୟରେ ଯେହେତୁ ଏତେ ଅଧିକ ସଂଖ୍ୟକ ବନ୍ଦିଙ୍କୁ ରଖିବାପାଇଁ ଆବଶ୍ୟକ ମାତ୍ରାରେ ଜେଲ ଘର ନଥିଲା; ଅନେକ ଘୋଡ଼ାଶାଳ, ମଠଘର ଓ କଚେରିକୁ ଅସ୍ଥାୟୀ ଭାବେ ଜେଲରେ ପରିଣତ କରାଗଲା । ମାତ୍ର ୩୦ଜଣ ବନ୍ଦିଙ୍କ ଲାଗି ନିର୍ମିତ ନୟାଗଡ଼ ଜେଲରେ ୨୦୦ ରାଜବନ୍ଦିଙ୍କୁ ରଖାଗଲା । ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ୨ ଜଣ ରାଜବନ୍ଦି ଜେଲ ଭିତରେ ମୃତ୍ୟୁବରଣ କଲେ ।

ନୟାଗଡ଼ ଆନ୍ଦୋଳନର ବିଶେଷତ୍ୱ ହେଲା ଯେ, ଅଗଷ୍ଟରୁ ଆରମ୍ଭ ହୋଇ ନାନା ପ୍ରତିଘାତ ସତ୍ତ୍ୱେ ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ଅବଦମିତ ହେବା ପରେ ବି ଅକ୍ଟୋବରର ମଧ୍ୟ ଯାଏ ଏହା ଚାଲିଥିଲା । ଏଠାରେ ମଧ୍ୟ ପ୍ରଜାମଣ୍ଡଳ ଶୃଙ୍ଖଳିତ ଭାବରେ ବିଭିନ୍ନ ସ୍ଥାନରେ ଏକ ସମୟରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଉଭୟ ଅଣ-ଆଦିବାସୀ ଓ କଂଧ ଆଦିବାସୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରାଜଧାନୀ ନୟାଗଡ଼ ଓ ମୁଖ୍ୟ ସହର ଓଡ଼ଗାଁ ବ୍ୟତୀତ ବାହାଡ଼ାଝୋଲା ଗାଁ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ଥିଲା ।

ନୀଳଗିରି ଆନ୍ଦୋଳନ ନୀଳଗିରି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ରାଜନୈତିକ ସଚେତନତା ଯଥେଷ୍ଟ ବୃଦ୍ଧି ପାଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଓଡ଼ିଶାର ବାମପନ୍ଥୀ ନେତାମାନଙ୍କ ସହ ସଂପର୍କ ରଖିଥିଲେ । ଅଗଷ୍ଟ ବିପ୍ଳବର ଖବର ପ୍ରସାରିତ ହେବା ପରେ ସେମାନେ ଆନ୍ଦୋଳନ କରିବାକୁ ଯୋଜନା ପ୍ରସ୍ତୁତ କଲେ । ଅଗଷ୍ଟ ୧୨ ତାରିଖ ଦିନ ନୀଳଗିରି ସହରରେ ଏକ ସାଧାରଣ ସଭା୩୨୦ . ଓଡ଼ିଶା ଇତିହାସ