ପୃଷ୍ଠା:Odisha Itihasa.pdf/୩୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆୟୋଜନ କଲେ ଏବଂ ହରତାଳ ପାଳନ କଲେ । ଏହା ପରେ ପ୍ରଜାମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ମହାନ୍ତି ଏବଂ ଉଦୟନାଥ ବୀରବର, ସାଧୁ ପ୍ରସାଦ ବିଦ୍ୟାଧର ମହାପାତ୍ର, ଶରତଚନ୍ଦ୍ର ମହାନ୍ତି, ଜଗନ୍ନାଥ ପଣ୍ଡା, ଗିରିଧର ପଣ୍ଡା ଓ ପ୍ରଭୁନାଥ ଅଗସ୍ତି ଆଦି କେତେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଏହି ଗିରଫଦାରିର ପ୍ରତିବାଦରେ ୧୩ ଅଗଷ୍ଟ ୧୯୪୨ ଦିନ ପୁଣି ଜନସଭା ଓ ହରତାଳ ଆୟୋଜିତ ହେଲା । ଯଦିଓ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଥିଲା, ସରକାର ତାକୁ ଦୃଢ଼ ହସ୍ତରେ ଦମନ କରିବାକୁ ପ୍ରୟାସ କଲେ । ଗାଁ ଗାଁରେ ପୋଲିସ ଘୂରିବୁଲିଲେ ଏବଂ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କଲେ । ଅତ୍ୟାଚାରରେ ଅତିଷ୍ଠ ଜନତା ରାଜକର୍ମଚାରୀମାନଙ୍କୁ ସାମାଜିକ ବାସନ୍ଦ କଲେ । କେତେକ କର୍ମଚାରୀଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରଜାମଣ୍ଡଳ ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ପ୍ରଜା ରାସ୍ତା ଅବରୋଧ ଓ ରାଜାଙ୍କ ଅମାର ଆଦି ଲୁଟ୍‍ କରିଥିବାର ଖବର ପ୍ରଚାରିତ ହୋଇଥିଲା । ଦମନପାଇଁ ପିଟୁଣି ଟିକସ୍‍ ବ୍ୟତୀତ ହେଲିକପ୍‍ଟରରୁ ଫାୟାରିଂ ମଧ୍ୟ କରାଯାଇଥିଲା । ଫଳରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅତ୍ୟାଚାର ଅସହ୍ୟ ହେବାରୁ ଅନେକ ଲୋକ ରାଜ୍ୟ ଛାଡ଼ି ମୋଗଲବନ୍ଦି ଅଂଚଳକୁ ପଳାଇଲେ । ନୀଳଗିରି ଆନ୍ଦୋଳନର ପ୍ରମୁଖ ନେତା ଥିଲେ ବନମାଳୀ ଦାସ । ସେ ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଆତ୍ମଗୋପନ କରି ଆନ୍ଦୋଳନ ପରିଚାଳନା କରିଥିଲେ । ସେ ଗିରଫ ହେବା ପରେ ଆନ୍ଦୋଳନ ଶିଥିଳ ପଡ଼ିଗଲା ।

ଅନ୍ୟାନ୍ୟ ଆନ୍ଦୋଳନ ଏସବୁ ଗଡ଼ଜାତକୁ ବାଦ ଦେଲେ ଆଠଗଡ଼, ବଡମ୍ବା, ବୌଦ, ଖଣ୍ଡପଡ଼ା, ମୟୂରଭଞ୍ଜ, ନରସିଂହପୁର, ରଣପୁର ଓ ସୋନପୁର ଆଦି ଗଡ଼ଜାତ ଓ ଜମିଦାରୀରେ ମଧ୍ୟ ଅଗଷ୍ଟ ବିପ୍ଳବ ଖିବାକୁ ମିଳିଥିଲା । ନରସିଂହପୁରରେ ଚକ୍ରଧର ଜେନାଙ୍କ ନେତୃତ୍ୱରେ ପଟୁଆରରେ ଯାଉଥିବା ଜନତା ଉପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।

ଉଭୟ ମୋଗଲବନ୍ଦି ଓ ଗଡ଼ଜାତରେ ଅଗଷ୍ଟ ବିପ୍ଳବ ବେଳେ ଲୋକ ଗିରଫଦାରିକୁ ବରଣ କରୁ ନଥିଲେ । ବରଂ ଆତ୍ମଗୋପନ କରିି ଆନ୍ଦୋଳନପାଇଁ କାମ କରିବାକୁ ପ୍ରୟାସ କରୁଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀ, ମାଳତୀ ଚୌଧୁରୀ , ବୀର ବୈଷ୍ଣବ ପଟ୍ଟନାୟକ ଓ ନୀଳଗିରିର ବନମାଳୀ ଦାସ ଆଦି ପୋଲିସ ହାତରେ ଧରା ନ ପଡ଼ିବାକୁ ସର୍ବଦା ପ୍ରୟାସ କରୁଥିଲେ ଏବଂ ଗୋପନରେ ଆନ୍ଦୋଳନ ପରିଚାଳନା କରୁଥିଲେ । ତାଳଚେରର ପବିତ୍ର ମୋହନ ପ୍ରଧାନ ଜେଲ ପାଚେରି ଡେଇଁ ପଳାଇଥିଲେ । ଏହି ନେତୃବର୍ଗଙ୍କର ଦୁଃସାହସପୂର୍ଣ୍ଣ ପଦକ୍ଷେପ ଆନ୍ଦୋଳନକୁ ତୀବ୍ରତର କରିଥିଲା । ଅଗଷ୍ଟ ବିପ୍ଳବ ସେମାନଙ୍କୁ ନେତାର ମର୍ଯ୍ୟାଦା ପ୍ରଦାନ କରିଥିଲା ।

ଏକଥା ସର୍ବବିଦିତ ଯେ, ଅନେକ ସ୍ଥାନରେ ଆନ୍ଦୋଳନକାରୀ ହିଂସାତ୍ମକ ଘଟଣା ଭିଆଇଥିଲେ । ସରକାରୀ ଘରେ ନିଆଁ ଲଗାଇବା, ଥାନା ଉପରେ ଆକ୍ରମଣ କରିବା, ରାସ୍ତାଘାଟର ପୋଲ ଭାଂଗିବା ତଥା ଡାକବଙ୍ଗଳାକୁ ଭାଂଗିଦେବା ଥିଲା ସେତେବେଳର ସାଧାରଣ ଘଟଣା ।{{right|ଓଡ଼ିଶା ଇତିହାସ . ୩୨୧